
ଚମ୍ପୁଆ/ଚମକପୁର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ରଜିଆ ଜଙ୍ଗଲରେ ଦୀର୍ଘ ତିନିଦିନ ଧରି ପ୍ରସବ ଯନ୍ତ୍ରଣାରେ ଛଟପଟ ହେବା ପରେ ଆଜି ଓୟୁଏଟିର ଏକ ଡାକ୍ତରୀ ଦଳ ଅସ୍ତ୍ରୋପଚାର କରି ହାତୀ ପେଟରୁ ଏକ ମଲାଛୁଆକୁ ବାହାର କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜାମୁଦଲକ ଜଙ୍ଗଲରେ ଗୁରୁବାର ଦୁଇଟି ମାଈହାତୀ ପ୍ରସବ କରିଥିଲେ। ଅନ୍ୟ ଏକ ଗର୍ଭବତୀ ହାତୀ ରଜିଆ ଜଙ୍ଗଲକୁ ଚାଲିଯାଇଥିଲା। ସେଠାରେ ତିନିଦିନ ଧରି ହାତୀଟି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲା। ବନ ବିଭାଗ କର୍ମଚାରୀମାନେ ହାତୀଟିକୁ ଜଗି ରହିଥିଲେ। ଆଜି ସକାଳେ ହାତୀକୁ ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ଭୁବନେଶ୍ବର ଓୟୁଏଟିର ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ତତ୍ତ୍ବାବଧାନରେ ଡା. ଅନାଲିଶା, ଡା. କିରଣ ଓ ଡା. ବନ୍ଦିତା ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ଅସ୍ତ୍ରୋପଚାର କରି ହାତୀ ପେଟରୁ ଏକ ମଲାଛୁଆକୁ ବାହାର କରିଥିଲେ।
ଅସ୍ତ୍ରୋପଚାର ବେଳେ କେନ୍ଦୁଝର ଡିଏଫ୍ଓ ଧମଧୀର ଧନରାଜ୍ ହନୁମନ୍ତ, ସିଏଫ୍ ଘନଶ୍ୟାମ ମହାନ୍ତ, ରେଞ୍ଜର ସଞ୍ଜୀବ କୁମାର ରାଉତ, ଚମ୍ପୁଆ ଓ ପାଟଣା ରେଞ୍ଜର ୭୦ରୁ ଅଧିକ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। ଏନେଇ ଡିଏଫ୍ଓ ଶ୍ରୀ ହନୁମନ୍ତ କହିଛନ୍ତି, ହାତୀଟି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଜଗି ରହିଥିଲେ। ହାତୀଟି ସ୍ବାଭାବିକ ପ୍ରସବ କରିବା ପାଇଁ ତାକୁ ଟ୍ରାଙ୍କୁଲାଇଜ୍ ନକରି ଛାଡ଼ି ଦିଆଯାଇଥିଲା। ପ୍ରସବ ସମୟ ଗଡ଼ିଯିବା ପରେ ଆଜି ଟ୍ରାଙ୍କୁଲାଇଜ୍ କରି ଅସ୍ତ୍ରୋପଚାର କରାଯାଇଥିବା ଡିଏଫ୍ଓ କହିଛନ୍ତି।
The post ଅସ୍ତ୍ରୋପଚାର ପରେ ମଲାଛୁଆକୁ ଜନ୍ମ ଦେଲା ହାତୀ first appeared on Sambad.from ଜିଲ୍ଲା | Sambad https://ift.tt/2XMFlqW
0 Comments