ସମ୍ବଲପୁର : ସଦର ଥାନା ଅଧୀନ ଅଞ୍ଚଳରେ ଶୁକ୍ରବାର ରାତିରେ ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା କରାଯାଇଛି। ଘରୁ ଡାକି ନେଇ କିଛି ଯୁବକ ମିଶି ଜଣେ ଅଟୋ ଚାଳକଙ୍କୁ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ସଦର ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ସଦର ଥାନା ଅଧୀନ ତାଲପାଲିର କରୁଣା ଲୁହା(୨୪) ଓ ଶାସନ ଥାନା ଅଧୀନ କନଖିଣ୍ଡା ଗ୍ରାମର ଅମିତ ଲୁହା ଓରଫ ବଳରାମ(୨୩)।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରେମ ପାଇଁ ଏହି ହତ୍ୟାକାଣ୍ଡ ଘଟିଛି। ପୁଅର ପ୍ରେମ ପାଇଁ ବାପା ବରୁଣ କୁମାର ନାଏକ(୩୮)ଙ୍କୁ ଝିଅର କାକା ଓ ତାର ସାଙ୍ଗ ମିଶି ହତ୍ୟା କରିଛନ୍ତି। ମାନେଶ୍ବର ତାଲପାଲି ଅଞ୍ଚଳର ବରୁଣଙ୍କ ବଡ଼ ପୁଅ ଅଭିଯୁକ୍ତ କରୁଣାର ଝିଆରୀଙ୍କୁ ପ୍ରେମ କରୁଥିଲେ। ଏ ନେଇ ଦୁଇ ପରିବାର ମଧ୍ୟରେ କିଛି ଦିନ ହେବ ପାଟିତୁଣ୍ଡ ଲାଗି ରହୁଥିଲା। ବିଶ୍ବକର୍ମା ପୂଜା ସମୟରେ ଝିଅର ପରିବାର ଲୋକ ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ। ତାପରେ ବରୁଣଙ୍କୁ ସତର୍କ କରିବା ସହ ପୁଅକୁ ବୁଝାଇଦେବା ପାଇଁ କରୁଣାଙ୍କ ପରିବାରକୁ ଚେତାବନୀ ଦେଇଥିଲେ। ବରୁଣ ତାଙ୍କ ପୁଅର ପ୍ରେମକୁ ସମର୍ଥନ କରୁଥିବା ବେଳେ କରୁଣାଙ୍କ ପରିବାର ଏହାକୁ ବିରୋଧ କରୁଥିଲେ।

ଶୁକ୍ରବାର ରାତି ୮ଟା ସମୟରେ ୨ ଜଣ ବ୍ୟକ୍ତି ବରୁଣଙ୍କ ଘରକୁ ଆସି ସାଙ୍ଗରେ ଡାକି ନେଇଥିଲେ। ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ, ସେଠାରେ ଆଳତି କରିଥିଲେ। ତାପରେ ସେଠାରୁ ଫେରି ସମସ୍ତେ ଚାଲିଯାଇଥିଲେ। ଦାଣ୍ଡରେ ବରୁଣ ଏକା ଥିବା ବେଳେ ଝିଅର କାକା କରୁଣା ଓ ତାର ସାଙ୍ଗ ଅମିତ ଆସି ବରୁଣକୁ କଥା ହେବାକୁ ଡାକି ନେଇଥିଲେ। କେନାଲ୍‌ ନିକଟରେ ଥିବା ଏକ କଲ୍‌ଭର୍ଟରେ ୩ ଜଣଙ୍କ ମଧ୍ୟରେ ବରୁଣଙ୍କ ପୁଅ ଓ କରୁଣାଙ୍କ ଝିଆରୀଙ୍କ ପ୍ରେମ କଥା ପଡ଼ିଥିଲା। ଏହାପରେ ବରୁଣ ଓ ଅଭିଯୁକ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଯୁକ୍ତି ଅଧିକ ବଢ଼ିବାରୁ ରାଗିଯାଇ କରୁଣା ଓ ଅମିତ ପଥରରେ ବରୁଣଙ୍କୁ ଆକ୍ରମଣ କରିଥିଲେ। ବରୁଣ ପଡ଼ିଯିବା ପରେ ତାଙ୍କୁ ଟାଙ୍ଗିଆରେ ହାଣି ସେଠାରୁ ଫେରାର୍‌ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲା। ଶନିବାର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ହତ୍ୟାର ୧୨ ଘଣ୍ଟା ମଧ୍ୟରେ ପୁଲିସ ୨ ଅଭିଯୁକ୍ତ କରୁଣା ଓ ଅମିତକୁ ପୁଲିସ ଗିରଫ କରିଛି। ପୁଲିସ ଘଟଣାସ୍ଥଳରୁ ଏକ ରକ୍ତ ଲଗା ଟାଙ୍ଗିଆ, ରକ୍ତ ଲଗା ପଥର ଓ ଅଭିଯୁକ୍ତର ଚପଲ ଜବତ କରିଛି।

The post ଅଟୋ ଚାଳକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା: ପୁଅର ପ୍ରେମ ବାପା ପାଇଁ ହେଲା କାଳ first appeared on Sambad.

from ଜିଲ୍ଲା | Sambad https://ift.tt/3ERPS57