
ବଲାଙ୍ଗୀର: ସାର ବ୍ୟବସାୟୀଙ୍କଠାରୁ ୭ ହଜାର ଲାଞ୍ଚ ନେଉଥିବାବେଳେ ବଲାଙ୍ଗୀର କୃଷି ଜିଲ୍ଲା ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପିଓଏସ୍ ମେସିନ ଯୋଗାଇବାକୁ ସେ ଏହି ଲାଞ୍ଚ ନେଉଥିବା ଜଣାଯାଇଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଣ୍ଡକିଟାଲ ଗାଁର ଦୁର୍ଯ୍ୟୋଧନ ବାରିକ ଏକ ସାର ଦୋକାନ କରିଛନ୍ତି। ସାର ବିକ୍ରି କରିବାକୁ ସେ ମାଗଣାରେ ପଏଣ୍ଟ ଅଫ୍ ସେଲ୍ (ପିଓଏସ୍) ମେସିନ ପାଇବା କଥା। କିନ୍ତୁ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେବାପରେ ବି ମେସିନ ପାଉନଥିଲେ। ଶେଷରେ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ପାଢ଼ୀ ତାଙ୍କଠାରୁ ଏଥିପାଇଁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଦୁର୍ଯ୍ୟୋଧନ ଏ ନେଇ ଜଣାଇବା ପରେ ଭିଜିଲାନ୍ସ ଅପରେସନ ଆରମ୍ଭ କରିଥିଲା। ଆଜି ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଚଢ଼ଉ କରିଥିଲା। କୃଷି ଜିଲ୍ଲା ଅଧିକାରୀ ନିଜ କାର୍ଯ୍ୟାଳୟରେ ଥିବା ସମୟରେ ଦୁର୍ଯ୍ୟୋଧନଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲେ। ଏହାସହ କାର୍ଯ୍ୟାଳୟରେ ଫାଇଲପତ୍ର ଯାଞ୍ଚ କରିବା ସହ କୃଷି ଅଧିକାରୀ ଶ୍ରୀ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଟିମ ତଦନ୍ତ କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଚଢ଼ଉ ସମୟରେ ଭିଜିଲାନ୍ସ ହାତରେ ଲାଗିଥିଲା ଏକ ଛୋଟ ଗଞ୍ଜେଇ ପୁଡ଼ିଆ। ଏ ସମ୍ପର୍କରେ କୃଷି ଅଧିକାରୀ ଶ୍ରୀ ପାଢ଼ୀ ବି ସଫେଇ ଦେଇଛନ୍ତି। ତାଙ୍କ ପେଟ ଗ୍ୟାସ ସମସ୍ୟା ଥିବାରୁ ସେ କେବେ କେମିତି ଗଞ୍ଜେଇ ଖାଇଥା’ନ୍ତି କହିଛନ୍ତି। ଜଣେ ସରକାରୀ ଅଧିକାରୀଙ୍କ ପାଖରୁ ଗଞ୍ଜେଇ ପୁଡ଼ିଆ ଜବତ ହେବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। କମ୍ ପରିମାଣର ଗଞ୍ଜେଇ ହୋଇଥିବାରୁ ମାମଲା ରୁଜୁ ହୋଇନଥିବା ଭିଜିଲାନ୍ସ ଅଧିକାରୀ ପ୍ରକାଶ କରିଛନ୍ତି। ସଂଧ୍ୟା ସମୟରେ ଭିଜିଲାନ୍ସ ଅଫିସ୍ରେ ରକ୍ତଚାପ ବଢ଼ିଯିବାରୁ ଅସୁସ୍ଥ ହେବାରୁ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ପାଢ଼ୀଙ୍କୁ ଡାକ୍ତରଖାନାକୁ ଭର୍ତ୍ତି କରିଛନ୍ତି।
The post ଲାଞ୍ଚ ନେଇ ବଲାଙ୍ଗୀର କୃଷି ଅଧିକାରୀ ଗିରଫ: ସାର ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିଲେ first appeared on Sambad.from ଜିଲ୍ଲା | Sambad https://ift.tt/3CUdCDL
0 Comments