ସମ୍ବଲପୁର: ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ୨୮ ତାରିଖ ମଙ୍ଗଳବାର ଦିନ ହୀରାକୁଦ ଜଳଭଣ୍ଡାରକୁ ଭରି ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପରେ ମୁଣ୍ଡରେ ଆଦୌ ବର୍ଷା ହୋଇ ନଥିବାବେଳେ ଜଳପ୍ରବେଶ ହ୍ରାସ ପାଉଥିବାରୁ ଜଳଭଣ୍ଡାରକୁ ପୂର୍ଣ୍ଣ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁସାରେ, ସୋମବାର ସବୁ ଗେଟ୍ ବନ୍ଦ ଥିବାରୁ ମଙ୍ଗଳବାର ଦିନ ୧୨ଟା ପୂର୍ବରୁ ହୀରାକୁଦ ଜଳଭଣ୍ଡାର ଭରି ଯାଇଥିଲା। ତେଣୁ ଯେତିକି ପାଣି ପ୍ରବେଶ କରୁଥିଲା, ସେତିକି ନିଷ୍କାସନ କରିବାକୁ ଦିନ ୧୧ଟା ୩୦ ବେଳେ ଗୋଟିଏ ଗେଟ୍ ଖୋଲା ଯାଇଥିଲା। ମଙ୍ଗଳବାର ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜଳସ୍ତର ୬୩୦ ଫୁଟ୍‌ରେ ସ୍ଥିର ରହିଛି। ରାତି ୯ଟା ବେଳେ ଜଳଭଣ୍ଡାରକୁ ହାରାହାରି ୪୬,୮୩୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ସ୍ପିଲ୍‌ୱେର ଗୋଟିଏ ଗେଟ୍‌ ଦେଇ ୧୬,୪୪୦ କ୍ୟୁସେକ୍‌, ପାୱାର୍‌ ଚାନେଲ୍‌ ଦେଇ ୨୫,୮୦୨ କ୍ୟୁସେକ୍‌, ବରଗଡ଼ କେନାଲ୍ ଦେଇ ୩,୫୬୧ କ୍ୟୁସେକ୍‌, ଶାସନ କେନାଲ ଦେଇ ୬୩୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୧୮ କ୍ୟୁସେକ୍‌, ଶିଳ୍ପ ସଂସ୍ଥା ପାଇଁ ୨୮୨ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡ ବର୍ଷା ଶୂନ୍ୟ ରହିଥିବାବେଳେ ତଳ ମୁଣ୍ଡରେ ୩.୪୨ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

The post ଭରିଗଲା ହୀରାକୁଦ ଜଳଭଣ୍ଡାର first appeared on Sambad.

from ଜିଲ୍ଲା | Sambad https://ift.tt/2Zw1Sca