ଜୟପୁର: ଗତକାଲି ପରି ଆଜି ବି କଙ୍ଗା ଅଂଚଳର ଶତାଧିକ ଚାଷୀ କୁମୁଲିପୁଟ ଲ୍ୟାମ୍ପକୁ ୟୁରିଆ ସାର ନେବାକୁ ସକାଳ ୭ଟାରୁ ଆସି ସଂଧ୍ୟା ୭ଟା ପର୍ଯ୍ୟନ୍ତ ରହି ଖାଲି ହାତରେ ଫେରିଛନ୍ତି। କେତେବେଳେ ଟୋକେନ୍ ମିଳିବ ଏବଂ ସାର ସେ ଅନୁଯାୟୀ ଦେବେ ସେ ଆଶା ନେଇ ଶତାଧିକ ଚାଷୀ ସେଭଳି ଲ୍ୟାମ୍ପ ପରିସରରେ ଅପେକ୍ଷା କରି ରହିଥିଲେ। ଲ୍ୟାମ୍ପ କର୍ମଚାରୀ ମାନେ ଘଡ଼ିକୁ ଘଡ଼ି ଦିଆଯିବ ବୋଲି କହି ସମୟ ଅତିବାହିତ କରିଥିଲେ ହେଁ ସାର ଦେଇନଥିଲେ। ଶେଷରେ ସବୁ ଚାଷୀ ନିରାଶ ହୋଇ ଫେରିଛନ୍ତି। ଆସନ୍ତାକାଲି ସକାଳୁ ଯଦି ସାର ଦିଆ ନଯାଏ ତେ‌ବେ ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥକୁ ଅବରୋଧ କରିବେ ଏବଂ ଏଥି ପାଇଁ ଲ୍ୟାମ୍ପ କର୍ତ୍ତୃପକ୍ଷ ହିଁ ଦାୟୀ ରହିବେ ବୋଲି ଚାଷୀମାନେ କହିଛନ୍ତି। ଗତ ମଙ୍ଗଳବାର ଦିନ କଙ୍ଗା ଅଂଚଳର ଶତାଧିକ ଚାଷୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଘେରିଥିଲେ। ସେଠାରେ ପ୍ରଶାସନ ପକ୍ଷରୁ ଗତକାଲି ଅର୍ଥାତ ବୁଧବାର ଦିନ କୁମୁଲିପୁଟ ଲ୍ୟାମ୍ପରେ ସ୍ବତନ୍ତ୍ର କାଉଣ୍ଟର କରି ଟୋକେନ୍ ଦେବା ସହ ସାର ବି ଦିଆଯିବ ବୋଲି କୁହାଯାଇଥିଲା। ଗତ କାଲି ବି ଚାଷୀମାନେ ଦିନ ତମାମ୍‌ ଅପେକ୍ଷା କରି ସଂଧ୍ୟାରେ ଖାଲି ହାତରେ ଫେରିଥିଲେ।

ସାର ଆଜି ଦିଆଯିବ ବୋଲି ଏହି ଚାଷୀଙ୍କୁ କୁହାଯାଇଥିଲା। କଙ୍ଗା ଅଂଚଳର ସଲପିଆଗୁଡ଼ା, ପୁଜାରୀଗୁଡା, ପକନାଗୁଡା, ଦଳାଇଗୁଡା, ଷ୍ଟେସନ କଙ୍ଗା, ଖଡ଼ପା, ଭାଜିଗୁଡା, ରନ୍ଧାରୀଗୁଡା, ଖଟଲାଗୁଡା, ପାକୁଳୁଗୁଡ଼, ରାଉଁଳିଗୁଡ଼ା, ସାନମୁଣ୍ଡାଗୁଡ଼ା, କଟ୍ରିୟାଗୁଡ଼ା, ଗୌଡ଼ଗୁଡ଼ା, ଧଡ୍ରୀଗୁଡ଼ା, ଗୁଜିଂଗୁଡ଼ା, ହାଟକଙ୍ଗା, କଦମଗୁଡ଼ା, ଭୀମାଗୁଡା, ଡୁମୁରାଗୁଡାର ଶତାଧିକ ଚାଷୀ ଆସିଥିଲେ। ତେବେ ଆଜି ବି ସାର ନ ମିଳିବା ପରେ ଚାଷୀମାନେ ଆସନ୍ତାକାଲି ଯଦି ସାର ନ ମିଳେ ତେବେ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛନ୍ତି।

The post କୁମୁଲିପୁଟ ଲ୍ୟାମ୍ପରେ ସାର ପାଇଁ ଦ୍ବିତୀୟ ଦିନରେ ବି ଡେରା ପକାଇଲେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3zMxKa0