ରାୟଗଡ଼ା : ଚାନ୍ଦିଲି ଥାନା ମୁକୁନ୍ଦପୁର ବଜାରରେ ଆଜି ମାଓବାଦୀଙ୍କ ହାତଲେଖା ଚିଠି ଓ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରରେ ଜଣେ ବ୍ୟବସାୟୀକୁ ମାଓବାଦୀ ୭ ହଜାର ଟଙ୍କା ଦେବାକୁ ଉଲ୍ଲେଖ କରିଛନ୍ତି। ନଚେତ୍ ଏହାର ପରିମାଣ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ନିୟମଗିରି କମିଟି ନାଁରେ ଲାଗିଥିବା ଏହି ପୋଷ୍ଟର ଓ ଚିଠିକୁ ନେଇ ପୁଲିସ୍ ସନ୍ଦେହରେ ପଡିଛି। ପ୍ରକୃତରେ ଏହା ମାଓବାଦୀ ଲଗାଇଛନ୍ତି ନା ଆଉ କେହି ଦୁର୍ବୃତ୍ତ ମିଠା ଦୋକାନୀକୁ ଟାର୍ଗେଟ୍ କରି ଏପରି କରିଛି ତାକୁ ନେଇ ପୁଲିସ୍ ଖୋଳତାଡ଼ ଜାରି ରଖିଛି। ଚାନ୍ଦିଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ମୁକୁନ୍ଦପୁର ବଜାର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ବିଭିନ୍ନ ଜାଗାରେ ଲାଗିଥିବା ଚିଠି ଓ ପୋଷ୍ଟରରେ ଆନ୍ଧ୍ରରୁ ମୁକୁନ୍ଦପୁରକୁ ଆସି ବ୍ୟବସାୟ କରୁଥିବା କିଛି ଦୋକାନୀକୁ ଟାର୍ଗେଟ୍ କରାଯାଇଛି। ମୁକୁନ୍ଦପୁର ବଜାରରେ ଠେଲା ଗାଡ଼ିରେ ମିଠା ବିକ୍ରି କରୁଥିବା ଜଣେ ବ୍ୟବସାୟୀକୁ ମାଓବାଦୀ ୭ ହଜାର ଟଙ୍କା ଦେବାକୁ କହିଛନ୍ତି। ହାତୀଖମ୍ବ ଶିବ ମନ୍ଦିର ନିକଟରେ ଏହି ଟଙ୍କା ଶୁକ୍ରବାର ସୁଦ୍ଧା ପହଞ୍ଚାଇବାକୁ ନିର୍ଦେଶ ଅଛି। ଚିଠି ଓ ପୋଷ୍ଟର ସଂପର୍କରେ ପୁଲିସ୍ ଖବର ପାଇବା ପରେ ଘଟଣାକୁ ଗୁରୁତର ସହ ନେଇଛି। ଦୀର୍ଘ ବର୍ଷ ହେଲା ମୁକୁନ୍ଦପୁର ଅଞ୍ଚଳ ମାଓ ମୁକ୍ତ ହୋଇ ସାରିଥିବା ବେଳେ ଏବେ ପୋଷ୍ଟର ଓ ଚିଠିକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି। ଏ ସଂପର୍କରେ ଚାନ୍ଦିଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କୁ ପଚାରିବାରୁ ଏହା ମାଓବାଦୀଙ୍କ ଚିଠି ନା ନାହିଁ ତାହାର ତଦନ୍ତ କରାଯାଉଛି। ଏଥି ସହିତ ରାତିରେ ମୁକୁନ୍ଦପୁର ଅଞ୍ଚଳରେ ପେଟ୍ରୋଲିଂକୁ କଡାକଡି କରିବାକୁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି।

 

The post ମୁକୁନ୍ଦପୁରରେ ମାଓ ପୋଷ୍ଟର! ବ୍ୟବସାୟୀଙ୍କୁ ୭ ହଜାର ଚାନ୍ଦା ଦେବାକୁ ନିର୍ଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/3yEwiFb