
ହରଭଙ୍ଗା : ହରଭଙ୍ଗା ବ୍ଲକ୍ ଏନ୍ଏଚ୍ ୫୭ର ନୂଆପଡ଼ା ଗ୍ରାମର ତିନି ପୁଲିଆ ଉପରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ତାହା ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ନାହିଁ।
ଗୁରୁବାର ଭୋର୍ରେ ତିନିପୁଲିଆ ଉପରେ ଏକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ସୂଚନା ପାଇବା ପରେ ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ନେଇଥିଲେ। ତାଙ୍କର ମୁଣ୍ଡ ଓ ମୁହଁର ବିଭିନ୍ନ ଅଂଶ ଗଭୀର କ୍ଷତାକ୍ତ ହୋଇଥିବାରୁ ଏହା ଦୁର୍ଘଟଣା ଜନିତ ନାଁ କେହି ତାଙ୍କୁ ହତ୍ୟାକରି ବିଳମ୍ବିତ ରାତିରେ ରାସ୍ତା କଡ଼ରେ ଫିଙ୍ଗିଦେଇ ଯାଇଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ମୃତଦେହ ନିକଟରେ ପଡ଼ିଥିବା ଏକ ବ୍ୟାଗରୁ ମିଳିଥିବା ଏକ ଫୋନ୍ ନମ୍ବର ଯୋଗେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ମୃତକ ବ୍ରହ୍ମପୁର ବିଜିପୁରର ମନୋଜ ସାହୁ ବୋଲି ଜଣାଯାଇଛି। ପରିବାର ଲୋକ ସନ୍ଧ୍ୟାରେ ଆସି ଶବ ଚିହ୍ନଟ କରିଥିଲେ।
ସେ ବହୁଦିନ ହେଲା ଅନ୍ୟ ଜାତିର ଜଣେ ଝିଅକୁ ଭଲପାଇ ଘରୁ ଚାଲିଆସିବା ପରେ କାହା ସହିତ ସମ୍ପର୍କ ରଖିନଥିବା ପରିବାର ଲୋକ କହିଥିବା ପୁଲିସ ସୂତ୍ରରୁ ଜଣାଯାଇଛି। ଅପର ପକ୍ଷରେ ସ୍ଥାନୀୟ ଲୋକଙ୍କ କହିବା କଥାହେଲା ମୃତ ମନୋଜ ବୀରନରସିଂହପୁର ସ୍ଥିତ ଏକ ବିଦେଶୀ ମଦ କାଉଣ୍ଟରରେ ରହି କାମ କରୁଥିଲେ। ତାଙ୍କର ମୃତଦେହ ସେଠାକୁ କିପରି ଆସିଲା ତାହା ଜଣାପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
The post ତିନିପୁଲିଆ ରାଜପଥ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3zI2qZa
0 Comments