ଚନ୍ଦ୍ରଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ କଟକର ‘ଚିତ୍ତଜ୍ଞାନୀ ଚାରିଟେବଲ୍ ଟ୍ରଷ୍ଟ୍’ ପକ୍ଷରୁ ଆଜି ମାଗଣା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ମୋହନା ବିଡିଓ ସାର୍ଥକସୌରଭ ମହାପାତ୍ର ଏହାକୁ ଉଦ୍‌ଘାଟନ କରିଥିବା ବ‌େଳେ ଟ୍ରଷ୍ଟର ସଭାପତି ଦତ୍ତେଶ୍ବର ହୋତା, ସମ୍ପାଦକ ରାଜେଶ୍ବର ହୋତା ଏବଂ ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟର ଚେୟାରମ୍ୟାନ୍ ସ୍ବର୍ଗତ ଚିତ୍ତରଞ୍ଜନ ହୋତା ଏବଂ ଟ୍ରଷ୍ଟି ଜ୍ଞାନୀ ହୋତାଙ୍କ ଫଟୋରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଦୀପ କୁମାର ପାତ୍ର ସ୍ବାସ୍ଥ୍ୟ ଶିବିରକୁ ପରିଦର୍ଶନ କରିଥିଲେ।

ଟ୍ରଷ୍ଟ୍ ପକ୍ଷରୁ ଆୟୋଜିତ ଏହି ୩୬ତମ ମେଗା ଶିବିରରେ ୨୪ଜଣ ବିଶେଷଜ୍ଞ ଡାକ୍ତର ଯୋଗଦେଇ ଗଜପତି ଜିଲ୍ଲାର ୭ଟି ବ୍ଳକ୍‌ର ୮୫୦ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। କଟକ, ବୁର୍ଲା, ଭୁବନେଶ୍ବର ଓ ସମ୍ବଲପୁରରୁ ଆସିଥିବା ବିଶେଷଜ୍ଞମା‌ନେ ଅତ୍ୟାଧୁନିକ ପଦ୍ଧତିରେ ଏଣ୍ଡୋସ୍କୋପି, ପିଏଫ୍‌ଟି, ଇସିଜି ଓ ବିଭିନ୍ନ ରକ୍ତନମୁନା ପରୀକ୍ଷା କରି ଚିକିତ୍ସା ଯୋଗାଇଥିଲେ। ସ୍ତ୍ରୀ ଓ ପ୍ରସୂତି, ଶଲ୍ୟ, ଅସ୍ଥିଶଲ୍ୟ, ମୂତ୍ରରୋଗ ଓ କିଡ୍‌ନି ରୋଗ, ଶିଶୁରୋଗ, ଭେଷଜ, ହୃଦ୍‌ରୋଗ, ଚକ୍ଷୁ ଏବଂ ଦନ୍ତରୋଗର ଚିକିତ୍ସା କରାଯାଇଥିଲା। ୧୨୪ ଜଣଙ୍କ ଚକ୍ଷୁ ପରୀକ୍ଷା ସହ ମାଗଣାରେ ଚଷମା ବଣ୍ଟାଯାଇଥିଲା। ଦୁର୍ଗମ ଅଂଚଳରେ ଗରିବ ଓ ଅସହାୟଙ୍କ ପାଇଁ ଏଭଳି ସ୍ବାସ୍ଥ୍ୟ ଶିବିର ଆୟୋଜନ ହୋଇଥିବାରୁ ଲୋକେ ଟ୍ରଷ୍ଟର ଏହି ମହତ୍ ଉଦ୍ଦେଶ୍ୟକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଟ୍ରଷ୍ଟ୍ ପକ୍ଷରୁ ଏଭଳି ମାଗଣା ସ୍ବାସ୍ଥ୍ୟ ସେବା ଶିବିର ହାତକୁ ନିଆଯିବ ବୋଲି ସମ୍ପାଦକ ରାଜେଶ୍ବର ହୋତା ପ୍ରକାଶ କରିଛନ୍ତି।

The post ‘ଚିତ୍ତଜ୍ଞାନୀ ଚାରିଟେବଲ୍ ଟ୍ରଷ୍ଟ୍’ ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର first appeared on Sambad.

from ଜିଲ୍ଲା | Sambad https://ift.tt/3lZzZ42