
ରାୟଗଡ଼ା : ପଞ୍ଚାୟତ, ପୌର ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାୟଗଡ଼ା ରାଜନୀତି। ଜୋର୍ ଧରିଲାଣି ଦଳବଦଳ ରଣନୀତି। ଭୁବନେଶ୍ବରରେ ବିଜେଡ଼ିର ମିଶ୍ରଣ ପର୍ବ ପରେ କଂଗ୍ରେସ ରାୟଗଡ଼ାରେ ଦୁଇ ଦିନ ଧରି ମିଶ୍ରଣ ପର୍ବ କରିଥିଲା। ଆଜି ପୁଣି ବିଜେଡ଼ି ମିଶ୍ରଣ ପର୍ବକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ବାସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ୍ ଦେଇଛନ୍ତି ୨୫୦ରୁ ଉର୍ଧ୍ବ କର୍ମୀ। ଯାହାଙ୍କୁ ବିଜେଡ଼ି କୋଳେଇ ନେବା ସହ ପୌର ନିର୍ବାଚନରେ ପୁଣି ଗଡ଼ ବଜାୟ ରଖିବାକୁ ପ୍ରସ୍ତୁତି ଆରମ୍ଭ କରିଛି।
ସଂଧ୍ୟାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ଏନ୍. ଭାସ୍କର ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଲା ସଭାପତି ସୁଧୀର ଦାଶଙ୍କ ଉପସ୍ଥିତିରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପାଇଁ କାମ କରୁଥିବା କର୍ମୀମାନେ ବିଜେଡ଼ିରେ ଯୋଗ ଦେଇଛନ୍ତି। ଯୁବ ବିଜେପି ନେତା ନାଗା ରବି ରେଡ୍ଡୀ ନେତୃତ୍ବରେ ବିଜେଡ଼ିରେ ସାମିଲ୍ ହୋଇଥିବା ୫ଟି ୱାର୍ଡର କର୍ମୀଙ୍କୁ ଦଳୀୟ ଉପଢ଼ୌକନ ଦେଇ ସ୍ବାଗତ କରିଥିଲେ ମନ୍ତ୍ରୀ, ସାଂସଦ ଓ ଜିଲ୍ଲା ସଭାପତି। ଏହା ପୂର୍ବରୁ ଗତ ୨୦ ତାରିଖରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ୍ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ରାଉଳା ମାଝି, ସନ୍ତୋଷ ପାତ୍ର, ବାଦଲ ମହାନ୍ତି, ଶିବ ପ୍ରସାଦ ପାଢୀ, ଟୁକୁଲି ପାଢୀ, ଏମ. ଶ୍ରୀନିବାସଙ୍କୁ ଆଜିର ମିଶ୍ରଣ ପର୍ବରେ ଦଳୀୟ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ଛାଡ଼ି ବିଜେଡ଼ିରେ ୨୫୦ରୁ ଉର୍ଧ୍ବ ଯୁବଗୋଷ୍ଠୀ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ରାୟଗଡ଼ା ଜିଲ୍ଳାରେ ମିଶ୍ରଣ ପର୍ବକୁ ଜୋରଦାର୍ କରାଯିବ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ରାଓ ପ୍ରକାଶ କରିଛନ୍ତି। ପୌର ନିର୍ବାଚନରେ ରାୟଗଡ଼ା, ଗୁଣପୁର, ଗୁଡ଼ାରି ପୌରାଞ୍ଚଳରେ ଗଡ଼ ବଜାୟ ରଖିବା ପାଇଁ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ ମନ୍ତ୍ରୀ ସାରକା ଓ ଜିଲ୍ଲା ସଭାପତି ଶ୍ରୀ ଦାଶ। ଅନ୍ୟମାନଙ୍କ ମଧ୍ୟରେ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ରାଜ୍ୟ ସଂପାଦକ ଚନ୍ଦ୍ରକାନ୍ତ ସାମଲ୍, ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ଅନୁସୂୟା ମାଝି, ରାଜ୍ୟ ଉପସଭାନେତ୍ରୀ ସୁଜାତା ପାଳ, ପୂର୍ବତନ ପୌର ଅଧ୍ୟକ୍ଷ ରାଇସିଂ ବିଡିକା, ଜିଲ୍ଲା ସାଧାରଣ ସଂପାଦକ ଅମୀୟ କୁମାର ସ୍ବାଇଁ, ଓଡ଼ିଶା ମୋ ପରିବାର ଜିଲ୍ଲା ଆବାହକ ବିନାୟକ କର, ରାୟଗଡ଼ା ନଗର ସଭାପତି ସତ୍ୟନାରାୟଣ ପାଢ଼ୀ, ପୂର୍ବତନ ଅଧ୍ୟକ୍ଷା ଭି. ଗୌରୀ ଜୟନ୍ତୀ, ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ବକ୍ସିପାତ୍ର, ରାଜ୍ୟ ଛାତ୍ର ଜନତା ଦଳର ସାଧାରଣ ସଂପାଦକ ଅବିନାଶ ବିଷୋୟୀ, ବି. ତିରୁପତି, ଯୁବ ବିଜେଡ଼ି ନେତା ଅଶୋକ ପଣ୍ଡା, ସନ୍ତୋଷ ରଥ, ଜିଲ୍ଲା ପରିଷଦ ସଦସ୍ୟ ଟି. ଗୌରୀ ଶଙ୍କର, ବ୍ଲକ୍ ଅଧ୍ୟକ୍ଷ ପେଦେଣ୍ଟି ରାମୁଲ୍ ପ୍ରମୁଖ ଉପସ୍ଥିତ ଥିଲେ।
The post ରାୟଗଡ଼ାରେ ମିଶ୍ରଣ ପର୍ବ : ବିଜେପି ଛାଡ଼ିଲେ ୨୫୦ କର୍ମୀ, କୋଳେଇ ନେଲା ବିଜେଡ଼ି first appeared on Sambad.from ଜିଲ୍ଲା | Sambad https://ift.tt/3iexkSR
0 Comments