ନୂଆପଡ଼ା : ନୂଆପଡ଼ା ବ୍ଲକ୍‌ ଭୈଷାତାଲ ପଞ୍ଚାୟତ ମୁଢ଼େଲା ଗ୍ରାମର (ଭଟାପଡ଼ା)ରେ ଅଙ୍ଗନବାଡ଼ି ପ୍ରାର୍ଥୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଶୁକ୍ରବାର ଭାଟାପଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଧାରଣାସ୍ଥଳକୁ ନୂଆପଡ଼ା ଉପଜିଲ୍ଲାପାଳ ତରଣୀସେନ ନାଏକ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ନହେବା ଯାଏ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

ସେମାନଙ୍କ ଅଭିଯୋଗ ଯେ, ଭୈଷାତାଲ ପଞ୍ଚାୟତ ମୁଢ଼େଲା (ଭଟାପଡ଼ା) ଗ୍ରାମର ଝୁନିଆ ମାଝୀଙ୍କ ଅଙ୍ଗନବାଡ଼ି କର୍ମୀ ପାଇଁ ଯୋଗ୍ୟତା ରହିଛି। ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ଝୁନିଆଙ୍କୁ ଚୟନ ବି କରାଯାଇଥିଲା। କିନ୍ତୁ ଗ୍ରାମର ଜଣେ ଲୋକ ସିଡିପିଓ ଅଫିସ ଆସି ଚଞ୍ଚକତା କରି ଅନ୍ୟ ଜଣେ ଝିଅ ଜରିଆରେ ଝୁନିଆଙ୍କ ନକଲ ଦସ୍ତଖତ କରିଥିଲେ। ଉଦ୍ଦେଶ୍ୟ ଥିଲା ଝୁନିଆଙ୍କୁ ନିଯୁକ୍ତିରୁ ଦୂରେଇ ରଖିବା। ଏନେଇ ସୂଚନା ପାଇ ଝୁନିଆ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଓ ସିଡିପିଓଙ୍କୁ ଅବଗତ କରାଇଥିଲେ। କିନ୍ତୁ ତଦନ୍ତ ବଦଳରେ ଅଧିକାରୀମାନେ ଚୁପ ରହି ଯାଇଥିଲେ। ଏହାକୁ ବିରୋଧ କରି ଶୁକ୍ରବାର ଧାରଣା ଦିଆଯାଇଛି। ଝୁନିଆ ମାଝୀଙ୍କୁ ନିଯୁକ୍ତ ଦିଆନଯିବା ପର୍ଯ୍ୟନ୍ତ ଧାରଣା ଜାରିରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଆଶାୟୀ ଝୁନିଆ ମାଝୀ, ପ୍ରେମଲାଲ ନାଏକ, ୟାଦବ ରାମ ପାଣ୍ଡା, ପୁନିତରାମ ମାଝୀ, ଗନିରାମ ହରିଜନ ପ୍ରମୁଖ ଧାରଣାରେ ବସିଥିଲେ।

The post ଅଙ୍ଗନବାଡ଼ି ପ୍ରାର୍ଥୀ ଚୟନରେ ଅନିୟମିତତା ଅଭିଯୋଗ: ସିଡିପିଓଙ୍କ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/3o6uQtq