ରାଉରକେଲା : କରୋନା ସମୟରେ କଳାକାରମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ମହାନଗର ନିଗମ, ପୌରପାଳିକା ଓ ଏନ୍‌ଏସିରେ ୱାଲ୍‌ ପେଣ୍ଟିଂ କାମକୁ ଗୁରୁତ୍ବ ଦେଇଥିଲେ। ପ୍ରତ୍ୟେକ ମହାନଗର ନିଗମ, ପୌରପାଳିକା ଓ ଏନ୍‌ଏସିଗୁଡ଼ିକକୁ ପାଣ୍ଠି ମଞ୍ଜୁରି କରିଥିଲେ। ସ୍ମାର୍ଟସିଟିରେ ମହାନଗର ନିଗମ ପକ୍ଷରୁ ଅନୁରୂପ କାମ କରାଯାଇଛି। ସ୍କୁଲ, କଲେଜ, ସରକାରୀ ଅଫିସ୍‌, ରାସ୍ତା ପାର୍ଶ୍ବ କାନ୍ଥ, ଅଙ୍ଗନବାଡି, ‌ଶୌଚାଳୟକୁ ନୂଆ ରୂପ ଦିଆଯାଇଛି। କଳାକାରଙ୍କ ତୁଳୀରେ ବଦଳି ଯାଇଛି କାନ୍ଥର ରୂପରେଖ। କାମ ମିଳିଥିଲା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କୁ। ସ୍ମାର୍ଟସିଟିକୁ ସୌନ୍ଦର୍ଯ୍ୟକରଣ କରିବାକୁ ଏମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳିଛି। ନିମ୍ନମାନର କାମ ଯୋଗୁଁ କେଉଁଠି କାନ୍ଥର ରଙ୍ଗ ଧୋଇଗଲାଣି ତ ଅନ୍ୟ କିଛି କାନ୍ଥ‌ରେ ଲତା, ଅନାବନା ଗଛ ମାଡି ଗଲାଣି। ଛେଣ୍ଡ ଥାନା ଓ ଡିଏସ୍‌ପି ଅଫିସ୍‌ , ରାଉରକେଲା ସ୍ବତନ୍ତ୍ର ଜେଲ୍‌ ଓ ଉଦିତନଗର ସ୍ଥିତ ନେତାଜୀ ସୁବାସ ବୋଷ ପାର୍କର କାନ୍ଥକୁ ଉଦାହରଣ ଭା‌ବେ ନିଆଯାଇ ପାରେ।

କାନ୍ଥରେ ଏମିତି ପେଣ୍ଟିଂ ହୋଇଛି ଯେ, ୬ ମାସ ପର୍ଯ୍ୟନ୍ତ ଚମକ ରହିଲା ନାହିଁ। ବର୍ଷା ଏସବୁ ରଙ୍ଗକୁ ଧୋଇ ନେଇଛି। ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ସହରକୁ ‌ସୌନ୍ଦର୍ଯ୍ୟକରଣ କରିବା ନାଁରେ ଯେଉଁସବୁ ୱାଲ୍‌ ପେଣ୍ଟିଂ କରାଯାଇଛି, ତା’ ସ୍ଥାୟିତ୍ବକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହାନଗର ନିଗମ ଅଞ୍ଚଳରେ କେବଳ ଏହି ତିନିଟି ୱାଲ୍‌ ନୁହେଁ ଅଧିକାଂଶ ସ୍ଥାନରେ ସେହି ସମାନ ସ୍ଥିତି ଉପୁଜିଛି। ସେପଟେ କାଗଜପତ୍ରରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କୁହାଯାଉଛି, କାନ୍ଥରେ ଅଙ୍କା ଯାଇଥିବା ଚିତ୍ରରେ ଯେତିକି ଟଙ୍କା ଖର୍ଚ୍ଚ ହୋଇନଥିଲା ପରି ମନେ ହେଉଛି। ନିମ୍ନମାନର କାମ ଲୁଚାଇବାକୁ କିଛି ଠିକାସଂସ୍ଥାଗୁଡ଼ିକ ବଡ ବଡିଆ ସରକାରୀବାବୁଙ୍କ ସରକାରୀ କାର୍ଟର୍ସ ଓ ଅଫିସ୍‌ କାନ୍ଥରେ ସୁନ୍ଦର ପେଣ୍ଟିଂ କରି ଦେଇଛନ୍ତି। ଯେମିତି ସରକାରୀ ବାବୁଙ୍କର ସହରରେ ପେଣ୍ଟିଂ କାମ କୌଣସି ତ୍ରୁଟି ହୋଇନଥିବା ସନ୍ଦେହ ସୃଷ୍ଟି ହୋଇଛି।

ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରୁ ମିଳିଥିବା ତଥ୍ୟ ଅନୁଯାୟୀ ସହରରେ ପାର୍କ, ସରକାରୀ ସ୍କୁଲ କଲେଜ, ଅଫିସ୍‌, ସରକାରୀ କ୍ବାର୍ଟର୍ସ, ଜେଲ୍‌, ଥାନା ପାଚେରୀ, ରାସ୍ତା ପାର୍ଶ୍ବ କାନ୍ଥ ପେଣ୍ଟିଂରେ ମୋଟ ୭୭ ଲକ୍ଷ ୧୪ ହଜାର ୩୫୦ ଟଙ୍କା ଖର୍ଚ୍ଚ କରାଯାଇଛି। ୮୮ଟିରୁ ଅଧିକ କାନ୍ଥରେ ୱାଲ୍‌ ପେଣ୍ଟିଂ କାମ ହୋଇଛି। ପାଖାପାଖି ୪୦ରୁ ଅଧିକ ଏସ୍‌ଏଚ୍‌ଜିକୁ ଏହି କାମ ଦିଆଯାଇଥିଲା। ପ୍ରତ୍ୟେକ କାନ୍ଥରେ ୮୦ ହଜାର ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ କରାଯାଇଛି। ୱାର୍ଡ ନଂ ୭ ଓ ୮ ବାସନ୍ତୀ କଲୋନିର ଜଗନ୍ନାଥ ମନ୍ଦିର, ସାଂସ୍କୃତିକ ପରିଷଦ ପାଚେରୀରେ ୯୭, ୨୨୫ ଟଙ୍କା ପେଣ୍ଟିଂରେ ଖର୍ଚ୍ଚ କରାଯାଇଛି। ଡିଏଭି ସ୍କୁଲ ପଡିଆରେ ୯୬ ହଜାର ୭୫୬ ଟଙ୍କା, ଡିଏଭି ପାଚେରୀରେ ୯୭ ହଜାର ୫୮୫ ଟଙ୍କା, ଏସ୍‌କେ ଡିଏଭି ପଲିଟେକ୍‌ନିକ୍‌ କାନ୍ଥରେ ଯଥାକ୍ରମେ ୯୨,୯୩୧, ୯୮, ୨୨୮ ଟଙ୍କା ଖର୍ଚ୍ଚ ହୋଇଛି। ଲେବଟେନାମେଣ୍ଟ କଲ୍ୟାଣ ମଣ୍ଡପ ସୌନ୍ଦର୍ଯ୍ୟକରଣରେ ୯୮ ହଜାର ୭୯ ଟଙ୍କା, ୟୁଜିଆଇଇ (ଦକ୍ଷିଣପାର୍ଶ୍ବ) କାନ୍ଥର ସୌନ୍ଦର୍ଯ୍ୟକରଣ ବାବଦରେ ୧ ଲକ୍ଷ ୫ ହଜାର, ଉଦିତନଗର ଥାନା ଓ ଆର୍‌ଆଇ ଅଫିସ୍‌ କାନ୍ଥରେ ୯୭ ହଜାର ୧୧୫ ଟଙ୍କା, ସ୍ବତନ୍ତ୍ର ଜେଲର କାନ୍ଥରେ ପେଣ୍ଟିଂରେ ୧ ଲକ୍ଷ ୬୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସେମିତି ଉଦିତନଗର ନିବେଦିତା ହଷ୍ଟେଲ ୱାଲ୍‌ରୁ ତହସିଲ ଅଫିସ ପର୍ଯ୍ୟନ୍ତ ୯୮ ହଜାର ୨୨୨ ଟଙ୍କା, ପୁଣି ସ୍ବତନ୍ତ୍ର ଜେଲ କ୍ୟାମ୍ପସ୍‌ ୱାଲ୍‌ ପେଣ୍ଟିଂରେ ୧ ଲକ୍ଷ ୬୩ ହଜାର ୯୫୬ ଟଙ୍କା, ଚୁଡିବସ୍ତି ଅଙ୍ଗନବାଡି କେନ୍ଦ୍ରରେ ୱାଲ୍‌ ପେଣ୍ଟିଂରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ଏହା କୌଣସି ସୂଚନା ନାହିଁ। କେବଳ ଚୁଡିବସ୍ତି ନୁହେଁ, ଗୁଣ୍ଡିଚାପାଲି ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ସେହି ସମାନ ସମସ୍ୟା। ଏଥିରୁ ୱାଲ୍‌ ପେଣ୍ଟିଂ ନାଁରେ ଲକ୍ଷ ଲକ୍ଷ ଟଙ୍କା କେମିତି ବାଟମାରଣା ହୋଇଛି, ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି।

The post ଧୋଇଗଲା ସ୍ମାର୍ଟସିଟିର ୱାଲ୍‌ ପେଣ୍ଟିଂ first appeared on Sambad.

from ଜିଲ୍ଲା | Sambad https://ift.tt/3nKMbrO