ବୌଦ୍ଧ : ବିଭିନ୍ନ କୋର୍ଟରେ ବିଚାରାଧୀନ ଥିବା ମାମଲାର ତ୍ୱରିତ ଫଇସଲା ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଓକିଲ ଓ ବିଚାରପତିଙ୍କୁ ପରାମର୍ଶ ଦେଇଛନ୍ତି। ଶନିବାର ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସଂଗ୍ରହାଳୟ ପରିସରରେ ଜିଲ୍ଲା ଓକିଲ ସଂଘ ଦ୍ବାରା ଆୟୋଜିତ ବୈଠକରେ ବକ୍ତବ୍ୟ ଦେଇ ଦଶହରା ଛୁଟି ପରେ ନିୟମିତ କାର୍ଯ୍ୟ କରି ମାମଲାଗୁଡ଼ିକର ଫଇସଲା କରିବାକୁ କହିଥିଲେ।

ଅପରାହ୍ନରେ ପ୍ରଥମେ ଜିଲ୍ଲା କୋର୍ଟ ପରିଦର୍ଶନ କରି ବିଭିନ୍ନ ବିଷୟ ଉପରେ ବିଚାରପତିଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ସଂଗ୍ରହାଳୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସ୍ବାଗତ କରିବା ପରେ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଐତିହାସିକ ସଂଗ୍ରହାଳୟ ପାଇଁ ଜିଲ୍ଲା ପ୍ରଶାସନର ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ଓକିଲ ସଂଘ ସଭାପତି ତାରିଣୀ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଆଇନଜୀବୀ ନବକୁମାର ମିଶ୍ର ସଂଯୋଜନା କରିଥିଲେ। ଓକିଲ ସଂଘ ପକ୍ଷରୁ ବୌଦ୍ଧରେ ଜିଲ୍ଲା ଫାମିଲି କୋର୍ଟ, ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟ ଓ ସ୍ଥାୟୀ ଲୋକ ଅଦାଲତ ସ୍ଥାପନ ପାଇଁ ଦାବି କରାଯାଇଥିଲା। ଦାବିଗୁଡ଼ିକର ଯଥାର୍ଥତା ଥିବା ବେଳେ ଗୁରୁତ୍ବର ସହ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଜିଲ୍ଲା ଓକିଲ ସଂଘ ସଂପାଦକ ଅଶୋକ ମିଶ୍ର ଓ ଉପସଭାପତି ଅଶୋକ ସାହୁ ମଞ୍ଚାସୀନ ଥିଲେ। ଶେଷରେ ଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ। ଜିଲ୍ଲା ଦୌରା ଜଜ ପ୍ରତିମା ପଣ୍ଡା, ଅତିରିକ୍ତ ଜିଲ୍ଲା ଦୌରାଜଜ ସତ୍ୟ ନାରାୟଣ ଷଡ଼ଙ୍ଗୀ, ସିଜେଏମ୍‌ ହୃଷୀକେଶ ଆଚାର୍ଯ୍ୟ, ସବଜଜ ଦୁର୍ବାଶା ଦୁର୍ଗା, ରେଜିଷ୍ଟ୍ରାର ପ୍ରୀତୀଶ ରାଉତରାୟ, ଏସ୍‌ଡିଜେଏମ ସୁମିତ୍ରା ସାହୁ, ଆଇନ ସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ, କୋର୍ଟ ମ୍ୟାନେଜର ଚିନ୍ମୟୀ ମହାପାତ୍ର, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସ୍‌ପି ଜ୍ଞାନ ରଞ୍ଜନ ମହାନ୍ତି, ଡିଆଇପିଆର୍‌ଓ ରୀତାକାନ୍ତି ବଳିଆରସିଂହ ଓ ଓକିଲ ସଂଘର ସଦସ୍ୟ ଉପସ୍ଥିତ ଥିଲେ।

The post ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବୌଦ୍ଧ ଜିଲ୍ଲା ଗସ୍ତ: ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଲେ first appeared on Sambad.

from ଜିଲ୍ଲା | Sambad https://ift.tt/3DqdnR7