
କଟକ : ବାଣ ବିକ୍ରି ଓ ଫୁଟାଇବା ଉପରେ ସରକାର ଜାରି କରିଥିବା କଟକଣାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଅଲ୍ ଓଡ଼ିଶା ଫାୟାର ୱାର୍କସ୍ ଡିଲର ଆସୋସିଏସନ୍ ପକ୍ଷରୁ ଏହି ପ୍ରସଂଗ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି।
ଆବେଦନରେ ଦର୍ଶାଯାଇଛି ଯେ ବାଣ ଉପରେ ସରକାର ଜାରି କରିଥିବା କଟକଣା ଗ୍ରହଣୀୟ ନୁହେଁ। କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବା ବେଳେ ବିଭିନ୍ନ କ୍ଷେତ୍ରରେ କଟକଣା କୋହଳ କରାଯାଇଛି। ଧାର୍ମିକ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଥିବା ବେଳେ ଦୀପାବଳିରେ ବାଣ ଫୁଟାଇବା ଏକ ପୁରାତନ ପରମ୍ପରା ଓ ଏହା ଲୋକଙ୍କ ଭାବାବେଗ ସହିତ ଜଡିତ। ଏଭଳି ସ୍ଥିତିରେ ବାଣ ବିକ୍ରି ଓ ଫୁଟାଇବା ପାଇଁ ଦୀପାବଳିରେ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପକ୍ଷଭୁକ୍ତ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳି ଓ ପାର୍ବଣରେ ବାଣ ବିକ୍ରି ହେବନି କି ଫୁଟିବନି ବୋଲି ଗତ ସେପ୍ଟେମ୍ବର ୩୦ରେ ସରକାର ସ୍ପଷ୍ଟ କରିଥିଲେ। ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଓ କରୋନା ସଂକ୍ରମଣ କମାଇବାକୁ ପାର୍ବଣ ମାସ ପାଇଁ ଏହି କଟକଣା ଲଗାଯାଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ନଭେମ୍ବର ୪ରେ ଦୀପାବଳି ପଡୁଥିବା ବେଳେ ଏହି ସମୟରେ ମଧ୍ୟ ବାଣ ବିକ୍ରି ଓ ଫୁଟାଇବା ନିଷେଧ ହେବ ବୋଲି େସପ୍ଟେମ୍ବର ୩୦ରେ କୁହାଯାଇଥିଲା।
The post ବାଣ ବିକ୍ରି ଓ ଫୁଟାଇବା କଟକଣାକୁ ହାଇକୋର୍ଟରେ ଚାଲେଞ୍ଜ first appeared on Sambad.from ଜିଲ୍ଲା | Sambad https://ift.tt/3npB5Xk
0 Comments