
କଟକ: ଶକ୍ତିପୀଠରେ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ମା’ ଙ୍କର ଶାରଦୀୟ ନବରାତ୍ର ପୂଜା। ଶକ୍ତିପୀଠ ଗୁଡ଼ିକରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇ ସାରି ଥିବାବେଳେ ଗୁରୁବାର ଠାରୁ ନବରାତ୍ର ପୂଜା ଆରମ୍ଭ ହେବ। ପ୍ରଥମମ୍ ଶୈଳପୁତ୍ରୀଞ୍ଚମ, ଦ୍ବିତୀୟମମ୍ ବ୍ରହ୍ମଚାରିଣୀ, ତୃତୀୟମମ୍ ଚନ୍ଦ୍ରଘଣ୍ଟେତୈ, କୁସ୍ମାଣ୍ତେ ଚତୁର୍ଥଗମ୍, ପଞ୍ଚମମମ୍ ସ୍କନ୍ଦମାତେତି, ଷଷ୍ଟମମ୍ କତ୍ୟାନିତିଚମ୍, ସପ୍ତମମ୍ କାଳରାତ୍ରିତୀ, ମହାଗୌରୀ ଅଷ୍ଟମମ୍, ନବମମ୍ ସିଦ୍ଧିରାତ୍ରୀ ଭାବେ ମା’ଙ୍କର ଆଗମନ ହେବ। ନିଶାର୍ଦ୍ଧରେ ମା’ଙ୍କୁ ବିଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ବିଧି ମଧ୍ୟ ରହିଛି। ମା’ ଶକ୍ତିଙ୍କ ନବରାତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ପ୍ରଥମ ରାତ୍ରିରେ ମା’ ଶୈଳପୁତ୍ରୀ ଭାବେ ପୂଜା ପାଇବେ। ଏହି ବ୍ରତ ଧାରଣ କଲେ ପରିବାରର ସୁଖ ଶାନ୍ତି ଓ ସୈାହାର୍ଦ୍ଦ୍ୟ ବୃଦ୍ଧି ପାଇଥାଏ। ମା’ ଶକ୍ତି ପ୍ରଥମେ ପର୍ବତ କନ୍ୟା ଭାବେ ଜନ୍ମଲାଭ କରିଥିବାରୁ ମା’ଙ୍କୁ ପାର୍ବତୀ କୁହାଗଲା।
ଏହାକୁ ଶୈଳ ମହାରାଜଙ୍କ କନ୍ୟା ବା ଶୈଳପୁତ୍ରୀ ଭାବେ ପୂଜା କରାଗଲା। ଚଣ୍ତୀର ଦ୍ୱିତୀୟ ଅଧ୍ୟାୟରେ ପର୍ବତରେ ବାସ କରୁଥିବା ସିଂହକୁ ସେ ତାଙ୍କ କନ୍ୟା ଶକ୍ତିଙ୍କୁ ବାହନ ଭାବେ ବ୍ୟବହାର କରିବାକୁ ଦେଇଥିଲେ ବୋଲି କୁହାଯାଏ। ଏହି ବ୍ରତରେ ମା’ ଙ୍କୁ ବନଦୁର୍ଗାଙ୍କ ମନ୍ତ୍ରରେ ପୂଜା କରାଯିବାର ବିଧି ରହିଛି। ଗୁରୁବାର ନବରାତ୍ରର ପ୍ରଥମ ଦିନରେ ମା’ ଙ୍କୁ ବ୍ରହ୍ମଚାରିଣୀ ଭାବେ ପୂଜାର୍ଚନା କରାଯିବ। ମା’ ଙ୍କୁ ଏହି ଭାବେ ପୂଜା କଲେ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି। ମା’ ଙ୍କୁ ଯୋଗ, ତପସ୍ୟା ଓ ଧ୍ୟାନ ତୁଷ୍ଟି କଲେ ବ୍ରହ୍ମତ୍ୱ ପ୍ରାପ୍ତି ହୋଇପାରିବ ବୋଲି ବିଶ୍ୱାସ ରହିଛି। ଏହିପରି ୯ ଦିନ ଧରି ଶକ୍ତିପୀଠ ମାନଙ୍କରେ ମା’ ଙ୍କୁ ବିଭିନ୍ନ ବେଶରେ ପୂଜା କରାଯିବାର ବିଧି ରହିଛି।
ମା’ କଟକଚଣ୍ତୀ ମନ୍ଦିର
ମା’ କଟକ ଚଣ୍ତୀଙ୍କ ଭକ୍ତଙ୍କୁ ହରଚଣ୍ତୀ ବେଶରେ ଦର୍ଶନ ଦେବେ। ଏହି ଅବସରରେ ପ୍ରତିଦିନ ଭଳି ନୀତିକାନ୍ତି କରାଯିବ। ସକାଳ ୫ଟାରେ ପହଡ଼ ଖୋଲିବ। ପରେ ମା’ ଙ୍କର ସ୍ନାନ ଓ ପୂଜା ରହିଛି। ୯ ଟା ସମୟରେ ମା’ ଙ୍କ ପାଖେ ଫଳ ଭୋଗ ଲାଗି ଆଳତୀ କରାଯିବ। ୧ଟା ବେଳେ ଅନ୍ନ ଭୋଗ ଲାଗି ହୋଇ ପହଡ ପଡିବ। ସନ୍ଧ୍ୟା ୫ ଟାରେ ପହଡ଼ ଖୋଲାଯାଇ ୭ଟା ସମୟରେ ଆଳତୀ ଓ ଷୋଡ଼ଶ ଉପଚାର ଯଜ୍ଞ କରାଯିବ।
ମନୋଜ ପଣ୍ତା,
ଚଣ୍ତୀମନ୍ଦିର ମୁଖ୍ୟ ପୂଜକ
ମା’ ଗଡ଼ଚଣ୍ତୀ ମନ୍ଦିର
ମା’ ଗଡ଼ ଚଣ୍ତୀ(ଗଡ଼ଖାଇ) ବନଦୁର୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଭୋର ୪: ୩୦ ମିନିଟ୍ରେ ପହଡ଼ ଖୋଲାଯିବ। ପରେ ନୀତିକାନ୍ତି ଓ ଆଳତୀ କରାଯିବ। ୬:୩୦ ସମୟରେ ସୂର୍ଯ୍ୟପୂଜା କରାଯିବ। ୧୦ଟାରୁ ସପ୍ତସତୀ ଚଣ୍ତୀପାଠ, ଷୋଡ଼ଶ ଉପଚାର ପୂଜା, ରୁଦ୍ରାଭିଷେକ ଓ ମନ୍ତ୍ର ଜପ କରାଯିବ। ୧୨:୩୦ ସମୟରେ ଯଜ୍ଞ ଓ ୧:୩୦ ସମୟରେ ପହଡ଼ ପଡ଼ିବ। ସନ୍ଧ୍ୟା ୬ଟା ସମୟରେ ପୁରାଣ ପାଠ ପଢ଼ାଯିବ। ୮ଟା ସମୟରେ ସପ୍ତସତୀ ଚଣ୍ତୀ ଯଜ୍ଞ ଓ ଷୋଡ଼ଶ ଉପଚାର ପୂଜା କରାଯିବ।
ମନୋରଞ୍ଜନ ଦାଶ,
ଗଡ଼ଚଣ୍ତୀ ମନ୍ଦିର, ମୁଖ୍ୟ ପୂଜକ
ମା’ ଝାଞ୍ଜିରୀମଙ୍ଗଳା
ମା’ ଝାଞ୍ଜିରୀ ମଙ୍ଗଳା(ଝାଞ୍ଜିରୀମଙ୍ଗଳା) ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେବେ। ରାତି ୩ ଟା ସମୟରୁ ମା’ଙ୍କର ପ୍ରଥମେ ମହାସ୍ନାନ କରାଯାଇ ବେଶ ଆରମ୍ଭ ହେବ। ପ୍ରାତଃ ୬ଟାରେ ଜୟ ଆଳତୀ ଓ ୬:୩୦ ସମୟରେ ମାଙ୍କ ପାଖେ ଖେଚେଡ଼ି ଭୋଗ କରାଯିବ। ପରେ ସୂର୍ଯ୍ୟ ପୂଜା, ଚଣ୍ତୀପାଠ କରାଯିବ। ୧୨:୩୦ ସମୟେର ମା’ଙ୍କର ମଧ୍ୟାହ୍ନ ଧୂପ ଓ ପହଡ଼ ହେବ। ୫ଟା ସମୟରେ ପହଡ଼ ଖୋଲା ଯାଇ ୬:୩୦ ସମୟରେ ସନ୍ଧ୍ୟା ଆଳତୀ କରାଯିବ। ପରେ ଷୋଡ଼ଶ ଉପଚାର ପୂଜା ଓ ଯଜ୍ଞ କରାଯିବ। ରାତି ୧୦ ଟା ସମୟରେ ପଣା ନୈବେଦ୍ୟ ଓ ମା’ଙ୍କର ଶୟନ ଆଳତୀ ଓ ପହଡ଼ ପଡ଼ିବ।
ଯୋଗେଶ ରାଣା, ମୁଖ୍ୟ ପୂଜକ,
ଝାଞ୍ଜିରୀମଙ୍ଗଳା ମନ୍ଦିର
ଜୟଦୁର୍ଗା ଠାକୁରାଣୀ-
ମା’ ଜୟ ଦୁର୍ଗା ଠାକୁରାଣୀ (ଚାଉଳିଆଗଞ୍ଜ) ଅନ୍ନପୂର୍ଣ୍ଣା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ରାତି ୩:୩୫ ସମୟରେ ମା’ ଙ୍କ ପହଡ଼ ଖୋଲାଯାଇ ମହାସ୍ନାନ, ମାର୍ଜନା ଓ ବେଶ ଆରମ୍ଭ କରାଯିବ। ପ୍ରାତଃ ୭ଟାରେ ମହାଆଳତୀ ଓ ସୂର୍ଯ୍ୟପୂଜା, ବାଳଭୋଗ ହେବ। ୮ଟା ସମୟରେ ନବରାତ୍ର କଳସ ସ୍ଥାପନା କରାଯିବ। ଦିନ ୧ଟାରେ ମା’ ଙ୍କ ପାଖେ ଅନ୍ନ ଭୋଗ କରାଯାଇ ପହଡ଼ ପଡ଼ିବ। ସନ୍ଧ୍ୟା ୫ଟା ସମୟରେ ପହଡ଼ ଓ ୬:୩୦ ସମୟରେ ସନ୍ଧ୍ୟା ଆଳତୀ କରାଯିବ। ସନ୍ଧ୍ୟା ୭ଟା ସମୟରେ ଚଣ୍ତୀପାଠ ଓ ଯଜ୍ଞ କରାଯାଇ ଶୟନ ଆଳତୀ କରାଯିବ।
ବିଷ୍ଣୁ ଚରଣ ଦାସ, ମୁଖ୍ୟ ପୂଜକ, ଜୟଦୁର୍ଗା ଠାକୁରାଣୀ(ଚାଉଳିଆଗଞ୍ଜ)
ମା’ ବାସନ୍ତୀଦୁର୍ଗା
ମା’ ବାସନ୍ତୀ ଦୁର୍ଗା (ମଙ୍ଗଳାବାଗ) ସକାଳ ୫ଟା ସମୟରେ ପହଡ଼ ଖୋଲା ଯାଇ ମହାସ୍ନାନ କରାଯିବ। ୬:୩୦ ସମୟରେ ବେଶ ଆରମ୍ଭ କରାଯିବ। ୭:୩୦ ସମୟରେ ଆଳତୀ ଓ ଷୋଡ଼ଶ ଉପଚାର ପୂଜା ଓ ନବରାତ୍ର ସଂକଳ୍ପ କରାଯିବ। ୨ଟା ସମୟରେ ପହଡ଼ ପଡ଼ିବ। ସନ୍ଧ୍ୟା ୬ଟା ସମୟରେ ଆଳତୀ ପରେ ଯଜ୍ଞ ହେବ। ୧୦ ଟା ସମୟରେ ଆଳତୀ ଓ ପହଡ଼ ପୂଜା କରାଯିବ।
ହୃଷିକେଶ ତ୍ରିପାଠୀ, ମୁଖ୍ୟ ପୂଜକ, ବାସନ୍ତୀ ଦୁର୍ଗା (ମଙ୍ଗଳାବାଗ)
ମା’ ମଙ୍ଗଳା ଦୋଳମୁଣ୍ତାଇ
ମା’ ମଙ୍ଗଳା (ଦୋଳମୁଣ୍ତାଇ) ଅନ୍ନପୂର୍ଣ୍ଣା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ରାତି ୪ଟା ସମୟରୁ ମା’ଙ୍କର ମଙ୍ଗଳା ଆଳତୀ ମାର୍ଜନା ହେବ। ୬:୩୦ ସମୟରେ ଆଳତୀ କରାଯିବ। ୭:୩୦ ସମୟରୁ ଚଣ୍ତୀପାଠ କରାଯିବ। ୧୨ଟା ସମୟରେ ଦହି ପଖାଳ ଭୋଗ ଓ ମଧ୍ୟାହ୍ନ ଆଳତୀ କରାଯାଇ ପହଡ଼ ପଡ଼ିବ। ୬ଟାରେ ସନ୍ଧ୍ୟା ଆଳତୀ ଓ ଷୋଡ଼ଶ ଉପଚାର ପୂଜା କରାଯାଇ ଶୟନ ଆଳତୀ କରାଯିବ।
ଅଭିମନ୍ୟୁ ସ୍ବାଇଁ, ମୁଖ୍ୟ ପୂଜକ, ମା’ ମଙ୍ଗଳା (ଦୋଳମୁଣ୍ତାଇ)
from ଜିଲ୍ଲା | Sambad https://ift.tt/3AfLUjl
0 Comments