
ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି। ସୁନ୍ଦରଗଡ଼ରେ ପହଞ୍ଚିବା ପରେ ଶ୍ରୀ ତ୍ରିପାଠୀ ଫସଲ ବିବିଧକରଣ, ବିଭିନ୍ନ ଅର୍ଥକାରୀ ଫସଲ ଚାଷ, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ, ଇସ୍ପାତଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଶିଳ୍ପ, ଉଦ୍ୟାନ କୃଷି, ଗୋ ପାଳନ ସହିତ ଅନ୍ୟ ଜୀବିକା ବିକାଶ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଜିଲ୍ଲାରେ ଅନ୍ୟ କେଉଁ ଶିଳ୍ପର ସମ୍ଭାବନା ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବା ଓ ନୂତନ ଶିଳ୍ପାଞ୍ଚଳ ସ୍ଥାପନ ପାଇଁ କୁଆରମୁଣ୍ଡା ଓ ନୂଆଗାଁ ବ୍ଲକର ଦେଓ ନଦୀ ଅବବାହିକାରେ ଆବଶ୍ୟକ ଜମି ଚିହ୍ନଟ ପାଇଁ ସେ ଜିଲ୍ଲା ଶିଳ୍ପ ବିକାଶ ସଂସ୍ଥା (ଡିଆଇପିଏ)କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ତୈଳବୀଜ ସହିତ ବାଦାମ ଚାଷ ଉପରେ ଅଧିକ ଗୁରୁତ୍ୱ ଦେବାକୁ ବୈଠକରେ ଆଲୋଚନା ହୋଇଥିଲା।
୩୦ ହଜାର ହେକ୍ଟର ଜମିରେ ତୈଳବୀଜ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ପରେ ଶ୍ରୀ ତ୍ରିପାଠୀ ସୁନ୍ଦରଗଡ଼ଠାରେ ନିର୍ମାଣାଧୀନ ଭବାନୀ ଭବନ ଷ୍ଟାଡିୟମ ପରିଦର୍ଶନ କରିଥିଲେ। ପରେ ସେ ରଙ୍ଗାଢିପାଠାରେ ଥିବା ସ୍ପିରୁଲିନା ଚିକି ପ୍ରସ୍ତୁତି କେନ୍ଦ୍ର ଓ ମିଶନ ଶକ୍ତି ଗୃହ ବୁଲି ଦେଖିଥିଲେ। ଏହା ସହ ଟାଙ୍ଗରପାଲି ବ୍ଲକ ଗସ୍ତ କରି ଚାଷୀମାନେ କରିଥିବା କଦଳୀ ଚାଷ ଓ ମାଛ ଚାଷ ସ୍ଥାନ ଆଦି ବୁଲି ଦେଖିଥିଲେ। ଉଜ୍ଜଳପୁର ନିୟନ୍ତ୍ରିତ ବଜାର ସମିତି ଅଧୀନରେ ନିର୍ମିତ ୧ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଘର, ରଙ୍ଗିଆମୁଣ୍ଡାଠାରେ ଓଡ଼ିଶା ଜ୍ଞାନ ନିଗମ (ଓ.କେ.ସି.ଏଲ) ଅଧୀନରେ ଚାଲିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଧ୍ୟାନ କରିବା ସହ ବନ୍ଧପାଲିସ୍ଥିତ ମା’ଗୃହ ପରିଦର୍ଶନ କରି ଗର୍ଭବତି ମା’ମାନଙ୍କୁ ମିଳୁଥିବା ବିଭିନ୍ନ ସେବା ସମ୍ପର୍କରେ ସିଧାସଳଖ ସେମାନଙ୍କୁ ପଚାରି ବୁଝିଥିଲେ। ବନ୍ଧପାଲିସ୍ଥିତ ଟିପିଏସ୍ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ୫-ଟି ଅଧୀନରେ ହେଉଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ।

ଏହାପରେ ଶ୍ରୀ ତ୍ରିପାଠୀ ହେମଗିର ବ୍ଲକର କମଲଗାଠାରେ ଥିବା ଗ୍ରାମୀଣ ପାଠାଗାର ଓ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ତିଆରି ହୋଇଥିବା କୁକୁଡ଼ା ଫାର୍ମ ପରିଦର୍ଶନ କରିଥିଲେ। ଅପରାହ୍ନରେ ସେ ସୁନ୍ଦରଗଡ଼ ସଦର ବ୍ଲକରେ ଥିବା ବୃଦ୍ଧାଶ୍ରମ ଓ ଭିନ୍ନକ୍ଷମ ଆଶ୍ରୟ କେନ୍ଦ୍ର ପରିଦର୍ଶନ କରିଥିଲେ। ଏନଟିପିସି ହସ୍ପିଟାଲକୁ ଯାଇ ସେଠାରେ ଭିତ୍ତିଭୂମି ଓ ଚିକିତ୍ସା ସୁବିଧାର ଅନୁଧ୍ୟାନ କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମ ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ରଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ।
The post ସୁନ୍ଦରଗଡ଼ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ: ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା first appeared on Sambad.from ଜିଲ୍ଲା | Sambad https://ift.tt/3Djiq5J
0 Comments