କେନ୍ଦୁଝର : କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ କେନ୍ଦୁଝର ପୁଲିସ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ରଘୁନାଥ ପଣ୍ଡା।

ସୋମବାର ଦିନ କେନ୍ଦୁଝର ଏସ୍‌ଡିପିଓ ପ୍ରକାଶ ଜେମ୍‌ସ ଟପ୍ପୋ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଧାୟକ ମୋହନ ଚରଣ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡାଙ୍କୁ ପୁଲିସ ଗିରଫ କରିଛି। ରଘୁନାଥଙ୍କ ଘର ହେଉଛି ପଣ୍ଡାପଡ଼ା ଥାନା ଅନ୍ତର୍ଗତ ହୁଣ୍ଡା ଗ୍ରାମରେ। ବୋମାମାଡ଼ ଘଟଣାର ଅନ୍ୟତମ ଅଭିଯୁକ୍ତ ମନମୋହନ ଦାସ ଏବଂ ରଘୁନାଥ ମିଶି ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଘଟଣାରେ ୫ଜଣ ଅଭିଯୁକ୍ତ ବିଦ୍ୟାଧର ପରିଡ଼ା, ପ୍ରତାପ ରାଉତ, ମନମୋହନ ଦାସ, ଶରତ ଚନ୍ଦ୍ର ଜେନା, ସିକୁଲ ଶେଖ୍‌ ଗିରଫ ହୋଇଥିଲେ ବୋଲି ଶ୍ରୀ ଟପ୍ପୋ କହିଛନ୍ତି।

ସୂଚନାଯୋଗ୍ୟ, ୧୦ ତାରିଖ ମଧ୍ୟାହ୍ନ ୧୨ଟା ବେଳେ ବିଧାୟକ ଶ୍ରୀ ମାଝୀ ନିଜ ଗାଡ଼ି (ଓଡି-୦୨-ବିଇ-୬୫୦୦)ରେ ଏକ ବୈଠକରେ ଯୋଗଦେଇ ଫେରୁଥିବା ବେଳେ ମଣ୍ଡୁଆ ଯୋଗାଣ ବିଭାଗ ଗୋଦାମ ରାସ୍ତା ପାଖ ଜାତୀୟ ରାଜପଥ ନିକଟରେ ଦୁଇ ଅଜଣା ବ୍ୟକ୍ତି ମୋଟରସାଇକଲରେ ଆସି ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିଲେ। ପୁଲିସ ପ୍ରଥମେ ୫ଜଣ ଅଭିଯୁକ୍ତଙ୍କୁ ଧରି ଜେରା କରିବା ପରେ ବ୍ୟକ୍ତିଗତ ଶତ୍ରୁତା ଏବଂ ଆର୍ଥ କାରବାର ଘଟଣା ପଛର ମୁଖ୍ୟ କାରଣ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ମିତ୍ରଭାନୁ ମହାପାତ୍ର ପ୍ରକାଶ କରିଥିଲେ।

The post ମୋହନ ମାଝୀଙ୍କ ଗାଡ଼ିକୁ ବୋମା‌ମାଡ଼ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3BXGSta