
ଆନନ୍ଦପୁର : ଘସିପୁରା ଥାନା ନାରଙ୍ଗପୁର ଗ୍ରାମରେ ଦୁର୍ଗାପୂଜା କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଶତାଧିକ ଗ୍ରାମବାସୀ ସନ୍ଧ୍ୟାରେ ଘସିପୁରା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଦଶହରା ଦିନ ଭୋଗ ଖାଇବାକୁ ନେଇ ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏପରିକି ଗତ ଦୁଇଦିନ ହେଲା ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିଲା। ସୋମବାର ଅପରାହ୍ଣ ୩ଟାବେଳେ ବଜାରରେ ଥିବା ଦେବ ସାହୁଙ୍କ ଫାଷ୍ଟଫୁଡ୍ ଦୋକାନ ଉପରେ ଗୋଟିଏ ଗୋଷ୍ଠୀ ଆକ୍ରମଣ କରିବା ସହ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ସେହିପରି ପୂଜା କମିଟିର ବରିଷ୍ଠ ସଦସ୍ୟ ଶ୍ରୀଧର ସାହୁଙ୍କୁ ମାଡ଼ ହୋଇଛି। ଅନ୍ୟତମ ସଦସ୍ୟ ବସନ୍ତ ସାହୁ ଓ ପ୍ରଶାନ୍ତ ସାହୁଙ୍କ ଘରେ ପଶି ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମର ଶ୍ରୀଧର ସାହୁ ଥାନାରେ ଏତଲା ଦେଇଛନ୍ତି। ଗ୍ରାମର ୭/୮ଜଣ ଲୋକ ମାରଣାସ୍ତ୍ର ଧରି ତାଙ୍କ ଘରେ ପଶି ଗାଳିଗୁଲଜ କରିବା ସହ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ଦୁଇଗୋଷ୍ଠୀ ମଧ୍ୟରେ ତିକ୍ତତା ବଢ଼ୁଥିବାରୁ ଘଟଣା ଉପରେ କଡ଼ା ନଜର ରଖାଯାଇଥିବା ଆଇଆଇସି ଶ୍ୟାମଘନ ବେହେରା କହିଛନ୍ତି।
The post ନାରଙ୍ଗପୁରରେ ଗୋଷ୍ଠୀ ସଂଘର୍ଷ first appeared on Sambad.from ଜିଲ୍ଲା | Sambad https://ift.tt/3BVSMUD
0 Comments