
ବାରିପଦା: ବାରିପଦା ସ୍ଥିତ ଏମପିସି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଥମୁନି ଛାତ୍ର ଅଶାନ୍ତି। ମହାବିଦ୍ୟାଳୟର ସମସ୍ତ ବିଭାଗରେ ପୁନଃ ନାମଲେଖା ଫି’ ଶତକଡ଼ା ୬୦ ପ୍ରତିଶତ ହ୍ରାସ ଦାବିରେ ତିନିଦିନ ତାଲାବନ୍ଦ କରି ଧାରଣାରେ ବସିବା ପରେ ଆଜି ତକତପୁର ଛକରେ ୧୮ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ରାସ୍ତା ଅବରୋଧ ଜାରି ରଖିଛନ୍ତି। ଏପରିକି ଛାତ୍ରଛାତ୍ରୀଙ୍କ ସହିତ ବାରିପଦା ବିଧାୟକ ପ୍ରକାଶ ସୋରେନ୍ ମଧ୍ୟ ଧାରଣାରେ ବସିଛନ୍ତି। ମାତ୍ର ମହାବିଦ୍ୟାଳୟର ଅଧ୍ୟକ୍ଷା ଦମୟନ୍ତୀ ବେଶ୍ରା କିମ୍ବା କୌଣସି କଲେଜ୍ କର୍ତ୍ତୃପକ୍ଷଙ୍କ ଦେଖା ମିଳୁନାହିଁ। ନିଜ ଦାୟିତ୍ବରୁ ଖସିଯିବାକୁ ଚେଷ୍ଟା କରୁଥିବା ଅଧ୍ୟକ୍ଷା ଶ୍ରୀମନ୍ତୀ ବେଶ୍ରାଙ୍କ ଏପରି ବେପରୁଆ ମନୋଭାବ କାରଣରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ଛାତ୍ରନେତା ଅର୍ଜ୍ଜୁନ ମୁର୍ମ୍ମୁ କ୍ଷୋଭ ପ୍ରକାଶ କରିଛନ୍ତି। ଏପରିକି ଏହି ପ୍ରସଙ୍ଗରେ ଅଧ୍ୟକ୍ଷା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଲୁଚୁଥିବା ଦେଖାଦେଇଛି।
ଛାତ୍ର ଆନ୍ଦୋଳନକୁ ପ୍ରଶମିତ କରିବାରେ ଅଧ୍ୟକ୍ଷା ଏକପ୍ରକାର ଫେଲ୍ ମାରିଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଦାବି ସଂପର୍କରେ ପୂର୍ବରୁ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବରେ ଛାତ୍ରଛାତ୍ରୀ ମାନେ ଜଣେଇଥିଲେ। ଏହି କଲେଜରେ ଗ୍ରାମାଞ୍ଚଳ ଅଞ୍ଚଳର ବହୁ ଗରିବ, ଅସହାୟ, ଦଳିତ ପରିବାରର ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। କରୋନା ମହାମାରୀ ସମୟରେ ବହୁ ଗରିବ ପିତାମାତା ନିଜର ରୋଜଗାର ହରାଇ ବସିଥିଲା ବେଳେ ପିଲାମାନଙ୍କ ବୋଝ ସତେ ଯେପରି ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି।
ଏହି ଘଟଣାରେ ଛାତ୍ରଛାତ୍ରୀ ମାନେ ଅତ୍ୟନ୍ତ ଭାଙ୍ଗି ପଡିଥିବା ବେଳେ ଛାତ୍ରଛାତ୍ରୀଙ୍କ ପିତାମାତା ମଧ୍ୟ ନାମ ଲେଖାଇବା ପାଇଁ ସକ୍ଷମ ନୁହଁନ୍ତି। ଚତୁର୍ଥଦିନ ଧରି କଲେଜ ମୁଖ୍ୟ ଫାଟକ ସାମ୍ନାରେ ଧାରଣାରେ ବସିଥିଲେ ମଧ୍ୟ ତାଙ୍କ ନିକଟକୁ ଜିଲ୍ଲା ପ୍ରଶାସନ କିମ୍ବା କୌଣସି ସରକାରୀ ଆଧିକାରୀ ସମସ୍ୟା ବୁଝିବା ପାଇଁ ଆସିନାହାଁନ୍ତି। ଯାହାଫଳରେ ଆଜି ଛାତ୍ରଛାତ୍ରୀ ମାନେ ରାଜରାସ୍ତାରେ ବସିବା ପାଇଁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି। ଅଧ୍ୟକ୍ଷା ଶ୍ରୀମତୀ ବେଶ୍ରା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଦାବି ସମ୍ପର୍କରେ ଆଲୋଚନା କରି ପଦକ୍ଷେପ ନିଆଯିବାକୁ ପ୍ରତିଶ୍ରୁତି ଦେଇଥିବାରୁ ଆନ୍ଦୋଳନ ମଧ୍ୟ ଦୁଇଦିନ ପାଇଁ ସ୍ଥଗିତ କରାଯାଇଥିଲା। କିନ୍ତୁ ଅଧ୍ୟକ୍ଷା ନିଜ ପ୍ରତିଶ୍ରୁତି ପାଳନ ନ କରିବାରୁ ଆଜି ଛାତ୍ର ଅଶାନ୍ତି ଦେଖାଯାଇଛି।
ଆନ୍ଦୋଳନକାରୀଙ୍କ ମଧ୍ୟରେ ଜେଏମଏମ ଯୁବ ସଭାପତି ଅର୍ଜ୍ଜୁନ ମୁର୍ମ୍ମୁଙ୍କ ସମେତ ତୋଫାନ କୁମାର ହେମ୍ବ୍ରମ, ମିଲିନ ସ୍ଵାଇଁ, ରାଜେଶ୍ଵରୀ ଜେନା, କାର୍ତ୍ତିକ ଜେନା, ଅଙ୍କିତା କୁମାରୀ, ଅଜୀତ କୁମାର ସାହୁ, ରଜତ କୁମାର, ମିଲନ ନାଏକ, ଅନନ୍ତ କୁମାର ସେଠୀ, ଦେବାଶିଷ କୁମାର, ସୁଦୀପ ଚୌଧୁରୀ, ସନ୍ଦୀପ ବସନ୍ତିଆଙ୍କ ସମେତ ଶତାଧୀକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆଜି ଛାତ୍ରଛାତ୍ରୀଙ୍କ ସହିତ ଆନ୍ଦୋଳନ ସ୍ଥଳରେ ଭଞ୍ଜସେନାର କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ। ସେହିପରି ଜେଏମଏମ ନେତା ରାମଚନ୍ଦ୍ର ହାଁସଦା, ପ୍ରଭୂଦାନ ମାର୍ଣ୍ଡି, ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିଛନ୍ତି। ବାରିପଦା ଟାଉନ ଥାନା ଆଇଆଇସି ବିରେନ୍ଦ୍ର ସେନାପତି ଘଟଣାସ୍ଥଳରେ ଉପସ୍ଥିତ ରହି ଆଇନଶୃଙ୍ଖଳା ରକ୍ଷା କରୁଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ରାଜରାସ୍ତାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏପରିକି ଆଜି ଦାବି ପୂରଣ ନହେଲେ ଆସନ୍ତାକାଲି ବାରିପଦା ବନ୍ଦ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।
The post ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ ଥମୁନି ଛାତ୍ର ଅଶାନ୍ତି, ଫି’ ହ୍ରାସକୁ ନେଇ ଛାତ୍ରଛାତ୍ରୀଙ୍କ ୧୮ ନଂ ଜାତୀୟ ରାଜପଥ ଅବରୋଧ first appeared on Sambad.from ଜିଲ୍ଲା | Sambad https://ift.tt/3uWMcus
0 Comments