
ଭୁବନେଶ୍ୱର: ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି କ୍ୟାପିଟାଲ୍ ହସ୍ପିଟାଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଜାମିନ ନାମଞ୍ଜୁର ହେବା ପରେ ଆତ୍ମସମର୍ପଣ କରିବା ପରେ ଜେଲ୍ ଯାଇଥିଲେ ବିଧାୟକ।
ସୂଚନାଯୋଗ୍ୟ ଯେ, ଏଡିଜେ ଦୁଇଟି ହସ୍ପିଟାଲ୍ ସ୍ଥାନାନ୍ତର ପାଇଁ ଅନୁମତି ଦେଇଥିଲେ। ତାହା ହେଲା ଆପୋଲୋ ଓ କ୍ୟାପିଟାଲ ହସ୍ପିଟାଲ। ପ୍ରଶାନ୍ତ ଜଗଦେବଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। ଏହା ପୂର୍ବରୁ ସେ ହୃଦରୋଗ କାରଣରୁ ଚିକିତ୍ସା ପାଇଁ ଅନୁମତି ମାଗିଥିଲେ।
ସୂଚନା ମୁତାବକ, ଦୀର୍ଘ ୧ ମାସର ଛକାପଞ୍ଝା ପରେ ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜର ଓକିଲଙ୍କ ସହ ଖୋର୍ଦ୍ଧା ଏଡିଜେ କୋର୍ଟରେ ଆତ୍ମ ସମର୍ପଣ ପାଇଁ ଆସିଥିଲେ । ଏହାପରେ ଅଭିଯୋଗକାରୀ ତଥା ବିଜେପିର ବାଲୁଗାଁ ନଗରମଣ୍ଡଳ ସଭାପତି ନିରଂଜନ ସେଠୀ ଓ ତାଙ୍କ ଓକିଲ ମଧ୍ୟ ଆସି ପହଞ୍ଚିଥିଲେ । କୋର୍ଟ ସମ୍ମୁଖରେ ଉଭୟ ପକ୍ଷ ନିଜ ନିଜର ଆବେଦନ ଓ ଯୁକ୍ତି ସହ ପ୍ରମାଣ ରଖିଥିଲେ । ଅଭିଯୋଗକାରୀଙ୍କ ପକ୍ଷରୁ ବିଧାୟକଙ୍କ ପୂର୍ବ ଅପରାଧିକ ଘଟଣାବଳିର ତାଲିକା ମଧ୍ୟ ଦିଆଯାଇଥିଲା । ଅପରପକ୍ଷରେ, ବିଧାୟକଙ୍କ ଓକିଲ ପକ୍ଷରୁ ତାଙ୍କର ଯୁକ୍ତି ଉପସ୍ଥାପିତ କରାଯିବା ସହ ତାଙ୍କ ମୁଦଲା ଜଣେ ନ୍ୟୁରୋକାର୍ଡିଓଲୋଜି ରୋଗୀ ଓ ସେ ଏଥିପାଇଁ ଚିକିତ୍ସିତ ହେଉଛନ୍ତି। ଏଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ ବୋଲି ଅନୁରୋଧ କରିଥିଲେ ।
ତେବେ ଏକ ନିର୍ବାଚିତ ଜନ ପ୍ରତିନିଧିଙ୍କ ସହ ଜଡ଼ିତ ମାମଲା ଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ, ସେମାନଙ୍କ ପାଇଁ ନିର୍ଦ୍ଧାରିତ ସ୍ୱତନ୍ତ୍ର କୋର୍ଟରେ ବିଚାର ବଦଳରେ ଏଠାରେ ବିଚାର କରିବା ଆଇନସମ୍ମତ କି ନୁହେଁ ସେନେଇ ଦୀର୍ଘ ସମୟ ଧରି ତର୍ଜମା ଚାଲିଥିଲା । ପ୍ରଥମ ଚରଣରେ ଜଣାଯାଉଥିଲା ଯେ, ବିଧାୟକଙ୍କୁ ଜାମିନ ମିଳିବ। କିନ୍ତୁ ଅପରାହ୍ଣ ପ୍ରାୟ ସାଢ଼େ ୬ଟା ବେଳେ କୋର୍ଟ ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଏସଡିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ତାଙ୍କୁ ଗିରଫ କରି ଜେଲ ହାଜତକୁ ନେଇଯାଇଥିଲେ ।
The post ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି କ୍ୟାପିଟାଲ୍ ହସ୍ପିଟାଲ ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ first appeared on Sambad.from ଜିଲ୍ଲା | Sambad https://ift.tt/3DpwN8U
0 Comments