
ତେଲକୋଇ/ରାଇସୁଆଁ : ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ନରହନ୍ତା ଦନ୍ତା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ହାତୀପଲ ତେଲକୋଇ ଅଞ୍ଚଳରେ ବ୍ୟାପକ ଧାନ ଫସଲ ଖାଇ ନଷ୍ଟ କରିଛନ୍ତି।
ଗୁରୁତର ଆହତ ଯୁବକ ହେଲେ ବିମଳା ଗ୍ରାମର ଚେମୁଟୁ ନାୟକଙ୍କ ପୁଅ ହାଡିବଂଧୁ ନାୟକ(୩୫)। କାଲି ବିଳମ୍ବିତ ରାତିରେ କୁଦୁମୁଣ୍ଡା ଚକରେ ଥିବା ଜମିର ଧାନ ଫସଲକୁ ହାତୀପଲ ପଶି ଖାଇ ମାଡ଼ି ଦଳିଚକଟି ନଷ୍ଟ କରିଛନ୍ତି। ଖବର ପାଇ ଗାଁ’ର ଅନେକ ଚାଷୀ ଜମି ଦେଖିବାକୁ ଯାଇଥିଲେ। ହାଡିବନ୍ଧୁ ମଧ୍ୟ ଜମି ଦେଖିବାକୁ ପଛରେ ଯାଉଥିଲା। ହେଲେ ଗାଁ ମୁଣ୍ଡ ଦୋଛକିରେ ଦନ୍ତ ହାବୁଡରେ ପଡ଼ିଯାଇଥିଲା। ଦନ୍ତାହାତୀ ହାଡିବନ୍ଧୁକୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। କିଛି ଉପାୟ ନ ପାଇ ହାଡିବଂଧୁ ହାତୀର ଗୋଡକୁ ଜାବୁଡି ଧରି ପକାଇଲା। ଏହି ସମୟରେ ଜମିକୁ ଯାଉଥିବା ଇନ୍ଦ୍ରମଣି ନାୟକ ଓ ପଞ୍ଚୁ ନାୟକ ଦେଖି ପାଟି କରିବାରୁ ହାତୀ ତାକୁ ଛାଡି ଚାଲି ଯାଇଥିଲା। ଖବର ପାଇ ବିମଳା ଫରେଷ୍ଟ ସେକ୍ସନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାଡିବନ୍ଧୁଙ୍କୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ଡାହାଣ ଗୋଡ ଭାଙ୍ଗିଯାଇଛି। ବାମ ଗୋଡ ଜଖମ ହୋଇଥିବା ବେଳେ ଶରୀରର ଅନ୍ୟାନ୍ୟ ଅଂଶରେ କ୍ଷତ ସୃଷ୍ଟି ହୋଇଛି। ଆହତ ଯୁବକର ସମସ୍ତ ଚିକିତ୍ସା ଖର୍ଚ୍ଚ ବନ ବିଭାଗ ପକ୍ଷରୁ ବହନ କରାଯିବ ବୋଲି ବିମଳା ଫରେଷ୍ଟର ଜ୍ୟୋର୍ତିମୟୀ ପଟ୍ଟନାୟକ କହିଛନ୍ତି। ତେଲକୋଇ ରେଞ୍ଜ ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ହାତୀ ରହିଥିବାରୁ ଲୋକେ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଜଙ୍ଗଲ ନ ଯିବାକୁ ରେଞ୍ଜର ପ୍ରମୋଦ କୁମାର ସେଠୀ ଅନୁରୋଧ କରିଛନ୍ତି।
ସେହିପରି ତେଲକୋଇ ତହସିଲ ବିମଳା ଆରଆଇ ଅଧୀନରେ ଥିବା ବିମଳା ଗୋରୁ ମୁଣ୍ଡା ଛକରେ ଥିବା ହେମନ୍ତ କୁମାର ନାୟକ, ସୁବଳ ନାୟକ, ବସନ୍ତ କୁମାର ନାୟକ, ହାଡିବଂଧୁ ନାୟକ, ଡିଲେଶ୍ୱର ନାୟକ ଓ ଶୈଳେନ୍ଦ୍ର ନାୟକଙ୍କର ୧୫ଏକରରୁ ଅଧିକ ଜମିର ପାଚିଲା ଏବଂ କଞ୍ଚା ଧାନକୁ ଖାଇବା ସହିତ ଦଳିଚକଟି ନଷ୍ଟ କରିଦେଇଛନ୍ତି। ବନବିଭାଗ ଆହତ ହାଡିବଂଧୁ ପରିବାରକୁ ଚିକିତ୍ସା ଖର୍ଚ୍ଚ ଓ ଆର୍ଥିକ ସହାୟତା ଯୋଗାଇଦେବା ସହିତ ଚାଷୀଙ୍କ ଜମିରେ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଓ କ୍ଷତିଗ୍ରସ୍ତ ଚାଷୀ ଦାବି ଜଣାଇଛନ୍ତି।
The post ତେଲକୋଇ ଅଞ୍ଚଳରେ ବଢ଼ୁଛି ହାତୀ ଉପଦ୍ରବ: ଯୁବକଙ୍କୁ କଚାଡ଼ି ଦେଲା ଦନ୍ତା, ଏକର ଏକର ପାଚିଲା ଧାନ ଖାଇଗଲେ first appeared on Sambad.from ଜିଲ୍ଲା | Sambad https://ift.tt/3pjib7d
0 Comments