
ବାରିପଦା: ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ। ମାତ୍ର ହସ୍ପିଟାଲ ଛାତରୁ ସିମେଣ୍ଟ ସ୍ଲାବ୍ ପଡ଼ି ଗୁରୁତର ହେଲେ। ଏପରି ଅଘଟଣ ଘଟିଛି ବାରିପଦାସ୍ଥିତ ପିଆରଏମ ହସ୍ପିଟାଲରେ। ଆଜି ଦିନବେଳେ ଘଟିଥିବା ଏହି ଅଘଟଣରେ ଚକ୍ରଧର ସିଂ ନାମକ ଜଣେ ରୋଗୀ ଆହତ ହୋଇଛନ୍ତି। ଶଯ୍ୟା ଅଭାବରୁ ମେଡିସିନ୍ ବିଭାଗ ପୁରୁଷ ୱାର୍ଡର ବାରଣ୍ଡାରେ ଚିକିତ୍ସିତ ହେଉଥିବା ଚକ୍ରଧରଙ୍କ ମୁଣ୍ଡରେ ଛାତରୁ ସିମେଣ୍ଟ୍ ସ୍ଲାବ୍ ପଡ଼ିଥିଲା। ଏନେଇ ତାଙ୍କର ମୁଣ୍ଡ ଫାଟିଯାଇଥିଲା। ସୌଭାଗ୍ୟବଶତଃ ଚକ୍ରଧରଙ୍କ ବିଶେଷ କୌଣସି କ୍ଷତି ହୋଇନଥିବା ସିଟି ସ୍କାନ୍ ପରେ ଜଣାପଡ଼ିଛି।
ଲିଭର ସିରୋସିସ୍ ଭଳି ଗୁରୁତର ରୋଗରେ ପିଡ଼ୀତ ଚକ୍ରଧର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ପୁରୁଣା ହସ୍ପିଟାଲ ବିଲ୍ଡିଂ ମେଡିସିନ୍ ୱାର୍ଡର ଛାତରୁ ସ୍ଲାବ୍ ଖସି ସେ ଆହତ ହୋଇଥିଲେ। ତୁରନ୍ତ ତାଙ୍କର ସିଟି ସ୍କାନ୍ କରାଯାଇଥିଲା। ଯାହାକି ନର୍ମାଲ୍ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏପରିକି ସନ୍ଧ୍ୟାରେ ଚକ୍ରଧରଙ୍କୁ ରକ୍ତ ମଧ୍ୟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏପରି ବିପଦପୂର୍ଣ୍ଣ କୋଠାରେ କିପରି ରୋଗୀଙ୍କ ଚିକିତ୍ସା ଚାଲିଛି। ରାଜା ରାଜୁଡ଼ା ଅମଳର ଏହି ପୁରୁଣା ହସ୍ପିଟାଲ କୋଠା ଏବେ ପ୍ରାୟତଃ ବିପଦସଙ୍କୁଳ ହୋଇପଡ଼ିଛି।
ଲଗାଣ ବର୍ଷା କାରଣରୁ ଛାତର ଅଧିକାଂଶ ସ୍ଥାନରୁ ଏବେ ପାଣି ଗଳିବା ସହିତ ସ୍ଲାବ୍ ଖସୁଛି। ତେଣୁ ଏହି କୋଠାରେ ରୋଗୀ ସେବା ବିପଦର କାରଣ ବୋଲି ଜେଏମଏମ ଜିଲ୍ଲା ସଭାପତି ପ୍ରଭୂଦାନ ମାର୍ଣ୍ଡି ଅଭିଯୋଗ କରିଛନ୍ତି। ପ୍ରଭୂଦାନ ଆହତ ରୋଗୀଙ୍କୁ ଭେଟି ଉତ୍ତମ ଚିକିତ୍ସା ଦାବି କରିଥିଲେ। ସେହିପରି ସରକାରୀ ଅର୍ଥକୁ ଅଯଥାରେ ଖର୍ଚ୍ଚ ନକରି ହସ୍ପିଟାଲର ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରାଯାଉ ବୋଲି ଜେଏମଏମ ରାଜ୍ୟ ପ୍ରବକ୍ତା ଶିବାଜୀ ମୌଲିକ୍ ମତ ଦେଇଛନ୍ତି। ରାଜ୍ୟ ସରକାର କେବଳ ସ୍ବାସ୍ଥ୍ୟ କାର୍ଡ ନବାଣ୍ଟି ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଶିବାଜୀ ଦାବି କରିଛନ୍ତି।
The post ଚିକିତ୍ସା ପାଇଁ ଆସିଥିଲେ, ଛାତରୁ ସ୍ଲାବ୍ ଖସି ଆହତ ହେଲେ ରୋଗୀ first appeared on Sambad.from ଜିଲ୍ଲା | Sambad https://ift.tt/2Yc36ZI
0 Comments