
କୋରାପୁଟ: କୋରାପୁଟ ସ୍ଥିତ ନିଶାଣୀ ମୁଣ୍ଡା ପଡିଆ ଠାରେ ଅନୁଷ୍ଠିତ ହୋଇଛି ଓଡିଶା ଅଗ୍ରଣୀ ସମାଜସେବୀ ସଂଗଠନ ସ୍ମାର୍ଦାର ବାର୍ଷିକ ଉତ୍ସବ ଓ ଜନ ସଚେତନତା ଶିବିର। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ସେ ଦିନିକିଆ କୋରାପୁଟ ଗସ୍ତରେ ଆସି କୋରାପୁଟ ଓ ଜୟପୁରରେ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲାର ବିଜେପି କର୍ମୀ ଓ ୟୁଥ ଫର ଆକ୍ସନ ସଦସ୍ୟମାନଙ୍କ ସହିତ ବିଶାଳ ବାଇକ ରାଲିରେ ସର୍କିଟି ହାଉସରୁ କୋରାପୁଟ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଆସି ସାବର ଶ୍ରୀକ୍ଷେତ୍ର ଦର୍ଶନ କରିଥିଲେ। ତା ପରେ ବାଦ୍ୟର ତାଳେ ତାଳେ କୋରାପୁଟ ସହର ପରିକ୍ରମା କରି ନିଶାଣୀ ମୁଣ୍ଡାରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେଇଥିଲେ। କୋରାପୁଟ ସହରରେ ରହିଥିବା ସମସ୍ୟା ବିଷୟରେ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନା କରି ଖୁବ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।
ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ୨୧ ଟି ଗ୍ରାମର ସାମଗ୍ରିକ ବିକାଶ ନିମନ୍ତେ କୋଟିଆ ଡେଭେଲପମେଣ୍ଟ ଏଜେନ୍ସି ଗଠନ କରି ଓଡିଶା ତରଫରୁ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗୁରୁତ୍ୱ ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ଓ ରାଜନୈତିକ ନେତୃବୃନ୍ଦ ଯେଉଁ ବେଗରେ ଓଡ଼ିଶାର ଅଭିନ୍ନ ଅଙ୍ଗ କୋଟିଆ ମଧ୍ୟରେ ନିର୍ବାଚନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମ କରୁଛନ୍ତି, ସରକାରଙ୍କ ଦ୍ବାରା ସେମାନଙ୍କୁ ଏଥିରୁ ନିବୃତ ହେବା ପାଇଁ ଆନ୍ଧ୍ରପ୍ରଦେଶକୁ କଡା ଜବାବ ଦିଆଯାଇନଥିବା କ୍ଷୋଭର ବିଷୟ ବୋଲି ସେ ମତ ରଖିଛନ୍ତି ।

ଆଜି ସକାଳୁ କୋରାପୁଟ ପହଂଚି ଶ୍ରୀମତୀ ଷଡଙ୍ଗୀ ବିଭିନ୍ନ ବର୍ଗର ଲୋକଙ୍କ ସହ କଥାବାର୍ତା କରି କୋରାପୁଟର ସାମ୍ପ୍ରତିକ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସ୍ଥିତାବସ୍ଥା ସମ୍ପର୍କରେ ଚର୍ଚ୍ଚା କରିଥିଲେ । ଆଜି ବିଜେପି ଦଳର ଶହ ଶହ କର୍ମକର୍ତା ଶ୍ରୀମତୀ ଅପରାଜିତାଙ୍କୁ ଭେଟିବାକୁ ଆସି ବିଶାଳ ଶୋଭାଯାତ୍ରାରେ ଯୋଗ ଦେଇଥିବା ବେଳେ ସେ କୋରାପୁଟ ଜିଲ୍ଲାପାଳ ଥିବା ସମୟରେ ସମ୍ପର୍କ ରଖିଥିବା ମହିଳା ଓ ପୁରୁଷ ହଜାର ହଜାର ସଂଖ୍ୟାରେ ସ୍ଵତଃସ୍ପୁର୍ତ ଭାବେ ଆସି ସାକ୍ଷାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ମାର୍ଦାର ସମ୍ପାଦକ ଡକ୍ଟର ସୂର୍ଯ୍ୟକାନ୍ତି ରାଉତ, ସଭାପତି ଡକ୍ଟର ନରେନ୍ଦ୍ର କୁମାର ମିଶ୍ର, ମନ୍ମଥ କୁମାର ମଲ୍ଲିକ, ବିଜୟ କୁମାର ମିଶ୍ର, ଅଶ୍ୱିନୀ କୁମାର ପଟ୍ଟନାୟକ, ପିତାମ୍ବର ସାହୁ, ଜଳଧର ତ୍ରିପାଠୀ, ନୃପେନ୍ଦ୍ର ନାରାୟଣ ବାଘ, ଦୁର୍ଗା ପ୍ରସାଦ, ରାଜେନ୍ଦ୍ର ପାତ୍ର, ବିଜୟ ଦଳାଇ, ଜୀବନ ସାହୁ, ନିକୁଞ୍ଜ ପଟ୍ଟନାୟକ, ସଂଗୀତ ମାଝୀ, ସୁଜିତ ସିଂ, ଲକ୍ଷ୍ମୀନାରାୟଣ ପାତ୍ର, ଗୋପାଳ ସାହୁ, ମମତା ରାୟ, ଶିବନାରାୟଣ ରାୟ ଓ ହେମନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
The post ସ୍ମାର୍ଦାର ବାର୍ଷିକ ଉତ୍ସବରେ ଯୋଗ ଦେଲେ ସାଂସଦ ଅପରାଜିତା first appeared on Sambad.from ଜିଲ୍ଲା | Sambad https://ift.tt/2ZUZL1V
0 Comments