ବୈପାରିଗୁଡା: ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚେରକା ପଞ୍ଚାୟତର କାଙ୍ଗୁଗୁଡା, ଝାଲିଆଗୁଡା, ଏବଂ ଅଟାଳଗୁଡା ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଜୀବାଦାସ ପାଙ୍ଗୀଙ୍କ ନେତୃତ୍ୱରେ ବିଡ଼ିଓଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା ତାଲିକାରେ ଅନ୍ତର୍ଭୁକ୍ତ କରିବା ସହ ଅଂଗନବାଡି କେନ୍ଦ୍ର ସ୍ଥାପନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ କାଙ୍ଗୁଗୁଡା ଓ୍ବାର୍ଡର କାଙ୍ଗୁଗୁଡା ସମେତ ଝାଲିଆଗୁଡା ଏବଂ ଅଟାଳଗୁଡା ଗ୍ରାମରେ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟର ଲୋକେ ରହିଥିବା‌େବେଳ ସେମାନେ ସମସ୍ତେ ଦରିଦ୍ର ସୀମାରେଖା ତଳେ ରହନ୍ତି। କିନ୍ତୁ ଗ୍ରାମର କୈାଣସି ପରିବାରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଗୃହ ପ୍ରଦାନ କରାଯାଇନାହିଁ। ସରକାରୀ ନିୟମ ଅନୁଯାୟୀ ଏମାନଙ୍କୁ ଏସ୍ଇସିସି ଯୋଜନାରେ ସଂପୃକ୍ତ କରାଯାଇପାରି ନାହିଁ।

ତେଣୁ ଏହି ତିନୋଟି ଗ୍ରାମର ଗ୍ରାମବାସୀ ବୈପାରିଗୁଡା ବିଡ଼ିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ଏହି ତିନୋଟି ଗ୍ରାମ ପାଇଁ ଅଂଗନବାଡି କେନ୍ଦ୍ର ନଥିବାରୁ ଶିଶୁମାନେ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁଯୋଗରୁ ବଞ୍ଚିତ ହେଉଛନ୍ତି। ତିନି କିଲୋମିଟର ଦୂରରେ ରହିଥିବା ମୁଣ୍ଡାଗୁଡା ଗ୍ରାମରେ ରହିଥିବା ଅଂଗନବାଡି କେନ୍ଦ୍ରକୁ ଯାଇଥାନ୍ତି। ତେବେ ବର୍ଷା ଋତୁରେ ଗାଆଁ ପାଖ ଦେଇଯାଇଥିବା ନାଳରେ ପାଣି ଭର୍ତ୍ତି ହେବା ଫଳରେ ମୁଣ୍ଡାଗୁଡା ଅଂଗନବାଡି କେନ୍ଦ୍ରକୁ ଯିବା ବାଟ ବନ୍ଦ ହୋଇଯାଏ। ତେଣୁ ଏହି ତିନୋଟି ଗ୍ରାମ ପାଇଁ ଅଂଗନବାଡି କେନ୍ଦ୍ର ସ୍ଥାପନ ପାଇଁ ଦାବିପତ୍ର ବୈପାରିଗୁଡା ସିଡିପିଓଙ୍କୁ ପ୍ରଦାନ କରିଥିଲେ। ତେବେ ଏହି ସମସ୍ୟା ସମ୍ପର୍କରେ ଯୁବ ବିଜେଡ଼ି ଉପସଭାପତି ବିଶ୍ବଜିତ ନାୟକ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ତେବେ ମନ୍ତ୍ରୀ ଶ୍ରୀମତୀ ଦିଆନ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଆର୍. ଶ୍ରୀନିବାସ ରାଓ ଏବଂ ସଦା ମଲ୍ଲିକ ଉପସ୍ଥିତ ରହିଥିଲେ।

The post ଆବାସ ଗୃହ ଓ ଅଂଗନବାଡି କେନ୍ଦ୍ର ପାଇଁ ବିଡ଼ିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ତିନି ଗ୍ରାମର ଗ୍ରାମବାସୀ first appeared on Sambad.

from ଜିଲ୍ଲା | Sambad https://ift.tt/3mseaeI