
ରାୟଗଡ଼ା: ସବୁ ବାପା, ମାଆ ଚାହୁଁଛନ୍ତି ତାଙ୍କ ପିଲା ଭଲ ପାଠ ପଢ଼ୁ। ୯୮ ପ୍ରତିଶତ ମାର୍କ ରଖୁ। ଭଲ ଚାକିରି କରି ମୋଟା ଅଙ୍କର ଦରମା ପାଉ। କେହି ବି ନିଜ ପିଲାଙ୍କୁ ଭଲ ମଣିଷ ଭାବେ ଗଢ଼ି ତୋଳି ନିଜ ଭାଷା, ସାହିତ୍ୟ ଓ ସଂସ୍କୃତି ମନସ୍କ କରିବାକୁ ଚାହୁଁନାହାନ୍ତି। ଫଳରେ ଓଡ଼ିଆ ଭାଷା, ସାହିତ୍ୟ କଳା ଓ ସଂସ୍କୃତିର ବିବର୍ତ୍ତନ ଘଟି ଚାଲିଛି। ଆଗାମୀ ପିଢ଼ି ଏହି ଧାରାକୁ ଆପଣାଇବା ପୂର୍ବରୁ ସାହିତ୍ୟ ଓ ସଂସ୍କୃତି ଅନୁରାଗୀ କରିବା ସଭିଁଙ୍କ ଦାୟିତ୍ବ ହେଉ। ସାହିତ୍ୟ ଏକାଡ଼େମୀ ଓ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରାୟଗଡ଼ାରେ ଅନୁଷ୍ଠିତ ସଂସ୍କୃତି ଓ ସାହିତ୍ୟ, ଓଡ଼ିଶାର ଲୋକ ନାଟକ ସଂପର୍କିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ରଞ୍ଜନ କୁମାର ଦାସ ଏହି ମତ ପ୍ରକାଶ କରିଛନ୍ତି।
ଶ୍ରୀ ଦାସ କହିଛନ୍ତି ଯେ, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି, ଲୋକକଳାର ସୁରକ୍ଷା ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ନ କରି ସମସ୍ତେ ନେବା ଉଚିତ୍। ଗୋଟିଏ ଜାତିର ସଂସ୍କୃତି ତାର ଚାଲି ଚଳଣ, ଆଚାର, ବ୍ୟବହାର ଜଣା ପଡ଼ିଥାଏ। ଏଣୁ ବାହାର ରାଜ୍ୟ ଓ ଦେଶରେ ଚାକିରୀ କରୁଥିବା ଏବଂ ଆଧୁନିକତାର ପ୍ରଭାବରେ ନିଜ ସଂସ୍କୃତିକୁ ଅବହେଳା ପଥଭ୍ରଷ୍ଟ ଯୁବପିଢ଼ିଙ୍କୁ ନିଜ ସଂସ୍କୃତିର ମହତ୍ତ୍ବ ସଂପର୍କରେ ଅବଗତ କରିବା ସମଗ୍ର ଓଡ଼ିଆ ସମାଜର ଦାୟିତ୍ବ। ସଭିଁଏ ନିଜ ମାନସିକତାରେ ପରିବର୍ତ୍ତନ ଆଣି ଏ ଦିଗରେ ପ୍ରୟାସ ଜାରି ରଖିଲେ ଆଗାମୀ ଦିନରେ ଅନେକ ଫକୀର ସିଂହ, ଡାକମୁନସୀ ବାହାରିବେ। ଓଡ଼ିଶାର ଲୋକକଳାକୁ ବିଶ୍ବଦରବାରରେ ପହଞ୍ଚାଇବା ପାଇଁ ପ୍ରତି ଜିଲ୍ଲାରେ ଲୋକକଳା ଗ୍ରାମ ଗଠନ କରାଯାଇଛି। ଆଗାମୀ ବର୍ଷରୁ ରାୟଗଡ଼ାରେ ମା’ ମଝିଘରିଆଣୀ ଲୋକକଳା ମହୋତ୍ସବ ଆୟୋଜନ କରାଯାଇ ଲୁକ୍କାୟିତ କଳା ପ୍ରତିଭାକୁ ଲୋକ ଲୋଚନକୁ ଅଣାଯିବ। ଏଥି ସହିତ ନଭେମ୍ବର ୧୯ ତାରିଖରେ ୩୦ ଜିଲ୍ଲାର ଲୋକକଳା ଗ୍ରାମରେ ମାର୍ଗଶୀର ଗୁରୁବାର ଉପଲକ୍ଷେ ମାଣ ବସାଯିବ। ଘଣ୍ଟଘଣ୍ଟା, ହୁଳହୁଳି ପକାଇ ମା’ ଲକ୍ଷ୍ମୀଙ୍କୁ ଆବାହନ କରାଯିବ। ରାୟଗଡ଼ାର ସଉରା ଲିପିକୁ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବାକୁ ଏକ ଚିତ୍ରକଳା ଗ୍ରାମ ଚିହ୍ନଟ କରାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।
ସଭାମୁଖ୍ୟ ସାହିତ୍ୟ ଏକାଡ଼େମୀ ତଥା ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉଦଘାଟକ ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଉପକୁଳପତି ସଞ୍ଜୟ କୁମାର ଶତପଥୀ ଯୋଗଦେଇ କହିଲେ ଯେ , ଓଡ଼ିଶାର କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିର କେହି ସମକକ୍ଷ ନୁହଁନ୍ତି। କିନ୍ତୁ ଆମ ବିଭବ ଓ ଐଶ୍ଚର୍ଯ୍ୟପୂର୍ଣ୍ଣ ସଂସ୍କୃତିକୁ ଯେତିକି ଆଗକୁ ଆମେ ନେବା କଥା ସେତିକି ନେଇ ପାରୁନୁ। ଲୋକ ସଂସ୍କୃତିର ଉପରେ ଆମେ ଅଧିକ ପ୍ରାଧ୍ୟାନ୍ୟ ଦେବାର ଅଛି। ଓଡ଼ିଆ ଭାଷାରେ ଏତେ ଚ୍ୟାନେଲ୍, ଖବର କାଗଜ, ମାଗାଜିନ୍, ସାହିତ୍ୟ ପତ୍ରିକା, ଜିଲ୍ଲାସ୍ତରରେ ଲୋକ ଉତ୍ସବ ଥାଇ ଆମେ ଆମ ସଂସ୍କୃତି ଲୋପ ପାଉଥିବା କଥା ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଶତପଥୀ ମତ ପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବରିଷ୍ଠ ସାହିତ୍ୟିକ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି, ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ବିଜୟ କୁମାର ଶତପଥୀ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ସାହିତ୍ୟ ଏକାଡ଼େମୀ କଲିକତାର ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ସ୍ବାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ସୁଶାନ୍ତ କୁମାର ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଶେଷରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଅର୍ଚ୍ଚନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟିକ ପ୍ରଦୀପ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଆଶୁତୋଷ ପାତ୍ର ଓ ଡଃ. ନରେନ୍ଦ୍ର କୁମାର ମିଶ୍ର ଶ୍ରୀରଙ୍ଗ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ଦ୍ବିତୀଚନ୍ଦ୍ର ସାହୁ, କରୁଣା କେରକେଟା ପ୍ରବନ୍ଧ ପାଠ କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ସାହିତ୍ୟ ଆଲୋଚନାଚକ୍ରକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଉଦଘାଟନ କରିଥିଲେ। ବାସୁଦେବ ପାତ୍ର, ଗୌରାଙ୍ଗ ଚରଣ ରାଉତ, ପ୍ରତାପ କୁମାର ରାୟ ପ୍ରବନ୍ଧ ପାଠ କରିଥିବା ବେଳେ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ରଘୁନାଥ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।
The post ରାୟଗଡ଼ାରେ ସାହିତ୍ୟ ଏକାଡ଼େମୀ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ first appeared on Sambad.from ଜିଲ୍ଲା | Sambad https://ift.tt/3Czbdii
0 Comments