
ବଲାଙ୍ଗୀର : ପ୍ରଥମେ ପ୍ରେମ। ତାପରେ ବିବାହ। ବିବାହର ୧୫ ଦିନ ପରେ ରାଜସ୍ଥାନକୁ ନେଇ ସାତ ଜନମର ସାକ୍ଷୀ ହୋଇ ବିବାହ କରିଥିବା ସ୍ୱାମୀ ନିଜ ସ୍ତ୍ରୀକୁ ବିକିଦେଇଥିଲା। ଆଉ ଶେଷରେ ପୁଲିସକୁ ମାମଲା ଯିବା ପରେ ରାଜସ୍ଥାନରୁ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିବା ସହ ପ୍ରତାରଣା କରିଥିବା ସ୍ୱାମୀକୁ ଜେଲ୍ ପଠାଇଛି। ଏଭଳି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଂଚଳରେ ଚାଞ୍ଚଲ୍ୟ ଖେଳାଇଛି।
ବେଲପଡ଼ା ଥାନା ସୁଲେକେଲା ଗାଁର ରାଜେଶ ରଣା ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲପାଉଥିଲା। ଉଭୟ ପରିବାରର ସହମତି ପରେ ବିବାହ ହୋଇଥିଲା। ରୀତିନୀତି ଅନୁସାରେ ଝିଅକୁ ବାହା ହୋଇ ଘରକୁ ଆଣିଥିଲା ରାଜେଶ। ହେଲେ ବିବାହର ୧୫ ଦିନ ପରେ ବୁଲିଯିବାକୁ ଡାକି ନେଇ ନିଜ ସ୍ତ୍ରୀକୁ ରାଜସ୍ଥାନରେ ଜଣଙ୍କ ପାଖରେ ବିକ୍ରି କରି ଚାଲିଆସିଥିଲା। ୧ ଲକ୍ଷ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀଙ୍କୁ ବିକିଦେଇଥିଲା ରାଜେଶ। ଅଗଷ୍ଟ ୫ ତାରିଖ ଝିଅର ବାପା ଶଙ୍ଖଧର ରଣା ବେଲପଡ଼ା ଥାନାରେ ଝିଅ ନିଖୋଜ ହେବା ନେଇ ଏତଲା ଦେଇଥିଲେ। ନିଖୋଜ ମାମଲାର ତଦନ୍ତ କରୁ କରୁ ପୁଲିସ ରାଜେଶକୁ ଥାନାକୁ ଡାକି ପଚରଉାଚୁରା କରିଥିଲା। ରାଜେଶ ନିଜ ସ୍ତ୍ରୀକୁ ବିକି ଦେଇଥିବା କଥା କହିବା ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ରାଜସ୍ଥାନ ମଂଜୋଲା, ଶିଫଲାକୁ ଯାଇ ସେଠାରୁ ଝିଅକୁ ଉଦ୍ଧାର କରିଥିଲା। ହେଲେ ଗାଁ ଲୋକେ ଝିଅ ଛାଡ଼ିବାକୁ ନାରାଜ ଥିଲେ। ପରେ ସେଠିକାର ପୁଲିସର ସହାୟତାରେ ଝିଅ ଉଦ୍ଧାର ହୋଇଥିଲା। ଏ ନେଇ ପୁଲିସ ରାଜେଶ ବିରୋଧରେ ଦଫା-୪୨୦, ୩୭୦, ୩୭୨ ଲଗାଇ କୋର୍ଟଚାଲାଣ କରିଥିଲା। ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।
The post ପ୍ରେମ, ବିବାହ ପରେ ପ୍ରତାରଣା: ସ୍ତ୍ରୀକୁ ରାଜସ୍ଥାନରେ ବିକି ଜେଲ୍ ଗଲା ସ୍ୱାମୀ first appeared on Sambad.from ଜିଲ୍ଲା | Sambad https://ift.tt/2ZdUrWU
0 Comments