ସୁନ୍ଦରଗଡ଼: ବିପୁଳ ସମ୍ପତ୍ତି ଉପରେ ଠିଆ ହୋଇଥିବା ଲୋକଟି କେବେ ଭୋକରେ କଲବଲ ହେଉଥିବା ଦେଖିଛନ୍ତି କି। ବଣାଇ ଉପଖଣ୍ଡ କୋଇଡ଼ା ବ୍ଲକ ଦେଖିଛି  ଭୋକର ଏମିତି ଏକ ଛାତିଥରା ଦୃଶ୍ୟକୁ । ଖଣି ରାଜଧାନୀ କୋଇଡ଼ା ଛାତିରେ ଠିଆ ମାଲଦା ପଞ୍ଚାୟତ ଗଣୁଆ ଗ୍ରାମ ସୁନାପଶି ଡାଡୁଗୋଠ ସାହିର ଏକ ଅଢ଼େଇ ବର୍ଷର ମା’ ଛେଉଣ୍ଡ ଶିଶୁ ପୁତ୍ର ଅଇଁଠା ଖଲିପତ୍ର ଚାଟି ଖାଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥିଲା ଚଳିତ ବର୍ଷ ଅପ୍ରେଲ ପ୍ରଥମ ସପ୍ତାହରେ।  ଦାରିଦ୍ର୍ୟର ଏ ଦାରୁଣ ଚିତ୍ର ସେତେବେଳେ ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। କିନ୍ତୁ କୋଇଡ଼ାର ଏ ଯନ୍ତ୍ରଣା କେବଳ ଭୋକିଲା ଶିଶୁର ଅଇଁଠି ଖଲି ଚାଟିବାରେ ଅଟକି ଯାଇ ନଥିଲା, ତାହା ଅପପୁଷ୍ଟି ଓ ଶୋଚନୀୟ ମୃତ୍ୟୁ ଯାଏ ଲମ୍ବି ଯାଇଥିଲା।

ଘଟଣାକ୍ରମେ, ସେପ୍ଟେମ୍ବର ୨୧ରେ ବଣାଇ ଉପଖଣ୍ଡର ଲହୁଣିପଡ଼ା ବ୍ଲକ ଶସ୍ୟକଳା ପଞ୍ଚାୟତ ଦମାଳୁ ଗ୍ରାମର ବିଧବା ଇନ୍ଦୁ  ତୁରୀଙ୍କ ୮ ବର୍ଷର ପୁଅ ଓ ୬ ବର୍ଷର ଝିଅର ପ୍ରାଣ ନେଇଥିଲା ଅପପୁଷ୍ଟି । ବହୁଦିନ ଧରି ଅପପୁଷ୍ଟିରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା  ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସା ନପାଇ  ଶୋଚନୀୟ ଭାବେ ନିଜ ଘରେ  ପ୍ରାଣ ହରାଇଥିଲେ। ପୁଅର ଅନ୍ତିମ ସଂସ୍କାର ନସରୁଣୁ  ଗୁରୁତର ହେଲେ ଝିଅ। ଜରୁରୀ ଆମ୍ବୁଲାନ୍ସ ଆସିବାରେ  ବିଳମ୍ବ ହେବାରୁ ତାଙ୍କୁ ଅଟୋ ଯୋଗେ  ଲହୁଣିପଡ଼ା ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ଦୁଃଖଦସ୍ଥିତିରେ ଉପଯୁକ୍ତ ଚିକିତ୍ସା ପାଇଁ ମା’ ଓ ଦେଢ଼ ବର୍ଷର ଅନ୍ୟ ଏକ ପୁଅକୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ମା’ ଇନ୍ଦୁ ସୁସ୍ଥ ହେଉଥିବା ବେଳେ ଶିଶୁ ପୁତ୍ର ପୁଷ୍ଟି ସାଧନ କେନ୍ଦ୍ରରେ ଚିକିତ୍ସାଧୀନ। ଏ ହୃଦୟ ବିଦାରକ ଘଟଣାର  ୭ ଦିନ ନଯାଉଣୁ ସେପ୍ଟେମ୍ବର ୨୮ ତାରିଖରେ  କୋଇଡ଼ା ବ୍ଲକ କେ. ବଲାଙ୍ଗ ପଞ୍ଚାୟତ  ହାତୀଅଡ଼ା ଗାଁର  ପ୍ୟାରୀ ମୁଣ୍ଡାଙ୍କ ବର୍ଷକର ଝିଅ ସାଲିମାକୁ  ଅପପୁଷ୍ଟିଜନିତ କାରଣରୁ  ଗୁରୁତର ହେବାରୁ ତୁରନ୍ତ ଲହୁଣିପଡ଼ା ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନା ନିଆଗଲା। କିନ୍ତୁ ସେଠାରେ ଅବସ୍ଥା ଅତି ସାଂଘାତିକ ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍)କୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ଆରଜିଏଚରେ ୬ ଦିନ ହେଲା ମରଣ ସହ ଯୁଝୁଛନ୍ତି। ପ୍ରଚୁର ଖଣିଜ ସମ୍ପଦ ଥିବା ଏହି ଅଞ୍ଚଳ ରାଜ୍ୟ ରାଜକୋଷକୁ ବାର୍ଷିକ ୩୬ ଶହ କୋଟିରୁ ଅଧିକ ଟଙ୍କା ରାଜସ୍ବ ଦେଉଛି।

ଏହା ବ୍ୟତୀତ ଖଣି ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ଅଞ୍ଚଳର ସାମଗ୍ରିକ ଉନ୍ନତି ଓ ସେଠାକାର ଗରିବ ଅଧିବାସୀଙ୍କ ଜୀବନଜୀବିକାକୁ ସମୃଦ୍ଧ କରିବା ପାଇଁ କାର୍ଯ୍ୟକାରୀ ହେଉଛି ଶହ ଶହ କୋଟିର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଓ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି)। କେବଳ ଶିଶୁମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ  ପୂର୍ବରୁ ଛତୁଆ, ଅଣ୍ଡା ଆଦି ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଏବେ ସେଥିରେ ସାମିଲ କରାଯାଇଛି  ସ୍ପିରୁଲିନା, ଚିକି, ମାଣ୍ଡିଆ ଲଡ଼ୁ ଭଳି ସ୍ବତନ୍ତ୍ର ଅତିପୋଷକ ଖାଦ୍ୟ। ଏହା ସତ୍ତ୍ବେ ଏଠି ନିରୀହ  ଶିଶୁଟିଏ ଭୋକରେ  ଅଇଁଠା ଖଲି ଚାଟିବା ଓ ଅପପୁଷ୍ଟିରେ ପ୍ରାଣ ହରାଇବା ଭଳି ବିଡ଼ମ୍ବନା ସୃଷ୍ଟି ହୋଇଛି। ତେବେ ଖଣି ପ୍ରଭାବିତ ଅଞ୍ଚଳର ଏସବୁ ଅଭାବନୀୟ ଘଟଣାରେ ଲୋକପ୍ରତିନିଧିମାନଙ୍କ ଅସମ୍ଭବ ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡିଏମଏଫ, ଓମବାଡସିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ଅଞ୍ଚଳରେ କାହିଁକି ଲୋକେ ଭୋକିଲା ରହୁଛନ୍ତି, କାହିଁକି ଶିଶୁ ଅପପୁଷ୍ଟିକୁ ରୋକାଯାଇପାରୁନି, ପ୍ରଦୂଷଣ କାହିଁକି  ବଢ଼ୁଛି ସେ ସମ୍ପର୍କରେ ସରକାର କି ପ୍ରଶାସନକୁ ପ୍ରଶ୍ନ ପଚାରିବାକୁ କେହି ନାହିଁ। ନେତାମାନେ ଏବେ କାର୍ଡ ବଣ୍ଟନ, ବିଶାଳ ଦଳୀୟ ସମ୍ମିଳନୀ ଓ  ମିଶ୍ରଣ ପର୍ବରେ ବ୍ୟସ୍ତ। ଲାଗୁଛି ଯେମିତି ଯୋଜନା ଠାରୁ ଅପହଞ୍ଚ, ଦାରିଦ୍ର୍ୟ କବଳିତ ଏହି ନିରୀହ ଅଧିବାସୀ ମଲେ କି ହଜିଲେ, ସେମାନଙ୍କ କିଛି ଯାଏ ଆସେ ନାହିଁ।

The post ଖଣିଜ ସମ୍ପଦ ବନାମ ଅପପୁଷ୍ଟି: ଗରିବଙ୍କ ପାଇଁ ସ୍ବର ଉଠାଇବ କିଏ? କାର୍ଡ ବଣ୍ଟନ ଓ ଦଳୀୟ ସମ୍ମିଳନୀରେ ବ୍ୟସ୍ତ ନେତା  first appeared on Sambad.

from ଜିଲ୍ଲା | Sambad https://ift.tt/3B8FjbE