
ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଯୋଗ ଦେବା ପରେ ଘଡ଼ିକେ ଘୋଡ଼ା ଛୁଟୁଛି। ଅଚାନକ ଆଜିଠାରୁ କୁଳପତି ନୂଆ ଆଦେଶ ଜାରି କରିଥିବା ଜଣାପଡ଼ିଛ। ନୂଆ ଆଦେଶ ଅନୁସାରେ, ଏଣିକି ସରକାରୀ ଛୁଟି ଦିନରେ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ଦେଇ କେହି ବି ପ୍ରବେଶ କରି ପାରିବେ ନାହିଁ। ଅନ୍ୟ ଦିନେ ସକାଳୁ ୯ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମୁଖ୍ୟ ଫାଟକ ଖୋଲା ରହିବ। ନୂଆ ଆଦେଶ ଜାରି ହେବା ପରେ ଆଜି ସକାଳୁ ମୁଖ୍ୟ ଫାଟକ ଦେଇ କାହାରିକୁ ଯିବାଆସିବା କରିବାକୁ ଦିଆଯାଇ ନାହିଁ। ଫଳରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହୁଥିବା ଲୋକଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡ଼ିଛି।
ବିଶ୍ୱବିଦ୍ୟାଳୟ ପରିସରରେ କିଛି ଅବସରପ୍ରାପ୍ତ କର୍ମଚାରୀଙ୍କ ଘର ସହିତ ଡାକ୍ତରଖାନା, ଡାକଘର, ବ୍ୟାଙ୍କ ଓ ଏଟିଏମ୍ ଆଦି ଥିବାରୁ ଲୋକମାନଙ୍କୁ ବୁଲିକରି ଦ୍ବିତୀୟ ଫାଟକ ଦେଇ ଯାତାୟତା କରିବାକୁ ପଡ଼ୁଛି। ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। କୌଣସି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ମୁଖ୍ୟ ଫାଟକ ଖୋଲା ଯାଉନାହିଁ। ମୁଖ୍ୟ ଫାଟକ ସମ୍ମୁଖରେ ଏକମାତ୍ର ମେଡ଼ିସିନ ଷ୍ଟୋର ଥିବାରୁ ପିଲାମାନଙ୍କୁ ବୁଲିକରି ଯିବାରେ ଅନେକ ଅସୁବିଧା ଭୋଗିବାକୁ ପଡ଼ୁଛି। ଅପରପକ୍ଷରେ ଆହୁରି ମଧ୍ୟ ନିୟୋଜିତ ଥିବା ଘରୋଇ ସୁରକ୍ଷା କର୍ମୀମାନଙ୍କୁ କୌଣସି ପ୍ରକାର ଲିଖିତ ଅନୁମତି ଦିଆଯାଇ ନଥିବାରୁ ସେମାନେ ଅନେକ ସମୟରେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏଥିପ୍ରତି ଶୀଘ୍ର ଧ୍ୟାନ ନଦେଲେ ଆଗାମୀ ଦିନରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।
The post ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଲାଗୁ ହେଲା ନୂଆ ନିୟମ: ଛୁଟି ଦିନରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ବନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/3Ffhrp5
0 Comments