ଝାରସୁଗୁଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବୁଧବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ଶ୍ରୀ ତ୍ରିପାଠୀ ଝାରସୁଗୁଡ଼ାରେ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ। ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ।

ଝାରସୁଗୁଡ଼ାରେ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇଥିବାରୁ ଜିଲ୍ଲାରେ ପ୍ରକ୍ରିୟାକରଣ ଶିଳ୍ପର ପର୍ଯ୍ୟାପ୍ତ ସମ୍ଭାବନା ଓ ସୁଯୋଗ ରହିଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଏଥି ପାଇଁ କ୍ଷୁଦ୍ର ଓ  ମଧ୍ୟମ ଶିଳ୍ପର ବିକାଶ ନିମନ୍ତେ ସ୍ବତନ୍ତ୍ର ଲ୍ୟାଣ୍ଡବ୍ୟାଙ୍କ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଅଦା, ଲଙ୍କା, ସବୁଜ ପନିପରିବା, ତୈଳବୀଜ, ଲଘୁ ଶସ୍ୟ, ଫଳ ଓ ଫୁଲ ଚାଷ ଆଦି ଉତ୍ପାଦନ ନିମନ୍ତେ ପ୍ରକୃଷ୍ଟ ଜଳବାୟୁ ରହିଛି। ଏଥି ପାଇଁ ନିର୍ଦ୍ଦିଷ୍ଟ କୃଷି ଯୋଜନା ପ୍ରସ୍ତୁତ କରିବା ପାଇଁ ଶ୍ରୀ ତ୍ରିପାଠୀ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୃଷିଜାତ ଦ୍ରବ୍ୟର ଅମଳ ପରବର୍ତ୍ତୀ ଏକତ୍ରୀକରଣ, ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି – ବିପଣି ଆଦି ଉଦ୍ୟୋଗ ନିମନ୍ତେ ପ୍ରୋତ୍ସାହନ ଯୋଗାଇବା ପାଇଁ ମଧ୍ୟ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ଶିକ୍ଷିତ ଯୁବବର୍ଗ ଏବଂ ମହିଳାମାନଙ୍କୁ ବିଭିନ୍ନ ପ୍ରକାର କୌଶଳ ବିକାଶ ତାଲିମ ମାଧ୍ୟମରେ ରୋଜଗାରକ୍ଷମ ଓ ସଶକ୍ତ କରିବା ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାରେ ଶିଳ୍ପ ଓ କୃଷି ଉଦ୍ୟୋଗର ବିକାଶ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମ୍ଭବ ହେବ ବୋଲି  ଶ୍ରୀ  ତ୍ରିପାଠୀ କହିଥିଲେ।

ସମୀକ୍ଷା ବୈଠକ ପରେ ଶ୍ରୀ ତ୍ରିପାଠୀ ଭାସ୍କର ଟେକ୍ସଟାଇଲ ମିଲ ପରିସରସ୍ଥିତ ସରକାରୀ ଜମି, ବାଞ୍ଝିବୋରାସ୍ଥିତ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ଏଚ .କଟାପାଲିରେ ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ, ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ଜିଏଲ ହାଇସ୍କୁଲ ରୂପାନ୍ତରୀକରଣ ପ୍ରକଳ୍ପ, ବଂଜାରୀ ପଂଚାୟତରେ ଫଳ ଏବଂ ଫୁଲ ଚାଷ ଫାର୍ମ, ବେଲପାହାଡ଼ସ୍ଥିତ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ଆଦି ପ୍ରକଳ୍ପ ପରିଦର୍ଶନ କରିଥିଲେ। ବିଟିଏମ୍ ପରିସର ମଧ୍ୟରେ ଥିବା ସରକାରୀ ଜମିର ବିନିଯୋଗ ନିମନ୍ତେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ସାମଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ, ଉପ ଜିଲ୍ଲାପାଳ ଶିବ ଟପ୍ପୋଙ୍କ ସମେତ କୃଷି, ଶିଳ୍ପ, ଶିକ୍ଷା ଓ କୌଶଳ ବିକାଶ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ପ୍ରକଳ୍ପ ସମ୍ବନ୍ଧିତ ସୂଚନା ପ୍ରଦାନ କରିଥିଲେ।

The post ଅସିତ ତ୍ରିପାଠୀଙ୍କ ଝାରସୁଗୁଡ଼ାରେ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା first appeared on Sambad.

from ଜିଲ୍ଲା | Sambad https://ift.tt/3BiwlIF