
ବାରିପଦା: ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍(ଓଏସ୍ବିଏ) ଡେଭଲପମେଣ୍ଟ୍ କମିଟି ପକ୍ଷରୁ ବାରିପଦାରେ ଆଜିଠାରୁ ରାଜ୍ୟସ୍ତରୀୟ ସିନିୟର୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ୍ରେ ରାଜ୍ୟର ୩୦ ଜିଲ୍ଲାରୁ ଉଭୟ ମହିଳା ଓ ପୁରୁଷ ବର୍ଗରେ ୧୩୫ ଜଣ ଖେଳାଳୀ ଅଂଶଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଏକାଧିକ ସିଡେଡ୍ ଖେଳାଳି ମଧ୍ୟ ସାମିଲ ଅଛନ୍ତି। ଆଜିଠାରୁ ଚଳିତ ମାସ ୩୧ ପର୍ଯ୍ୟନ୍ତ ୪ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିବ। ତେବେ ଉଦ୍ଘାଟନୀ ଦିବସରେ ସିଡେଡ୍ ଖେଳାଳିମାନେ ବିଜୟରୁ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ଦୁଇ ଦୁଇଥର ଅଣ୍ଟର୍-୧୯ ଷ୍ଟେଟ୍ ଚାମ୍ପିଅନ୍ ତୌସିଫ୍ ଖାନ ତାଙ୍କର ଦୁଇଟି ରାଉଣ୍ଡ୍ ଜିତି ୩ୟ ରାଉଣ୍ଡ୍କୁ ଉନ୍ନୀତ ହୋଇଛନ୍ତି।
ସେହିପରି ଅନ୍ୟ ସିଡେଡ୍ ଖେଳାଳୀ ମୁରଲୀ କ୍ରିଷ୍ଣା, ପି ବେହେରା, ସ୍ବାଧୀନ ଗୌଡ, ବି. ପୋଦ୍ଦାର, ରବି ବାବୁ ପ୍ରମୁଖ ମଧ୍ୟ ପରବର୍ତ୍ତୀ ରାଉଣ୍ଡ୍କୁ ଉନ୍ନୀତ ହୋଇଛନ୍ତି। ଅଣ୍ଟର୍-୧୯ ଡବଲ୍ସ ଓ ମିକ୍ସ-ଡବଲ୍ସ୍ ଷ୍ଟେଟ୍ ଚାମ୍ପିଅନ୍ ଆୟୂଷ ପଟ୍ଟନାୟକ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ୍ରେ ଅଂଶଗ୍ରହଣ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ୍ରୁ ଖେଳାଳୀମାନଙ୍କୁ ଅଫିସିଆଲ୍ ପଏଣ୍ଟ୍ ମଧ୍ୟ ମିଳିବ। ଏଠାରୁ ଜାତୀୟ ଟୁର୍ଣ୍ଣାମେଣ୍ଟ୍ ଲାଗି ସର୍ବଶ୍ରେଷ୍ଠ ଖେଳାଳି ଚୟନ ହେବ। ତେଣୁ ଏହି ପ୍ରତିଯୋଗିତାକୁ ବେଶ୍ ଗୁରୁତର ସହିତ ନେଇଛନ୍ତି ଖେଳାଳି।

ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍ରେ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି, ରାଜ୍ୟ ବ୍ୟାଡ୍ମିଣ୍ଟନ୍ ଆସୋସିଏସନ ସମ୍ପାଦକ ନିଲିନ କୁମାର, ମୟୂରଭଞ୍ଜ ଆଥଲେଟିକ୍ ସଂଘ ସମ୍ପାଦକ କିଶୋର କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ମୟୂରଭଞ୍ଜ ଜିଲ୍ଲା ବ୍ୟାଡ୍ମିଣ୍ଟନ ସଂଘର ସଭାପତି କୃଷ୍ଣାନନ୍ଦ ମହାନ୍ତି ଉଦ୍ଘାଟନୀ ଉତ୍ସବକୁ ପରିଚାଳନା କରିଥିଲେ। ଆୟୋଜକ କମିଟିର ସମ୍ପାଦକ ରବୀନ୍ଦ୍ର ବେହେରା, କର୍ମକର୍ତ୍ତା ରୂପମ୍ ସ୍ବାଇଁ, ରୂପକ ମହାନ୍ତି, ସୌମେନ୍ ମହାନ୍ତି, ଜନ୍ମେଞ୍ଜୟ ବେହେରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ୍ ପରିଚାଳନା କରୁଛନ୍ତି। ପ୍ରଥମ ଦିନରେ କେବଳ ପୁରୁଷ ସିଙ୍ଗଲ୍ସ ଖେଳ ଅନୁଷ୍ଠିତ ହୋଇଛି। ଏକକ ପୁରୁଷ ବର୍ଗରେ ୬୧ ଜଣ ଖେଳାଳୀ ଥିବାବେଳେ ମହିଳା ଏକକ ବର୍ଗରେ ୧୫, ପୁରୁଷ ଯୁଗଳ ବର୍ଗରେ ୪୫, ମହିଳା ଯୁଗଳରେ ୬ ଏବଂ ମିକ୍ସଡ୍ ଯୁଗଳ ବର୍ଗରେ ୮ ଜଣ ଖେଳାଳୀ ଅଂଶଗ୍ରହଣ କରିଛନ୍ତି।
The post ରାଜ୍ୟସ୍ତରୀୟ ସିନିୟର୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ, ଯୋଗଦେଲେ ୧୩୫ ଖେଳାଳି first appeared on Sambad.from ଜିଲ୍ଲା | Sambad https://ift.tt/3pJZn19
0 Comments