
ରାଉରକେଲା: ପ୍ରତ୍ୟେକ କାମର ଦୁର୍ନୀତିକୁ ନେଇ ଜିଲ୍ଲାରେ ସର୍ବଦା ଚର୍ଚ୍ଚାରେ ରହିଛ ପାନପୋଷ ଆଇଟିଡିଏ। ବ୍ଲକଠୁ ନେଇ ସହର ଆଇଟିଡିଏ ଦ୍ବାରା ହେଉଥିବା କାମରେ ଦୁର୍ନୀତିର ଗନ୍ଧ ବାହାରୁଛି। ବିଭାଗର ଜେଇ, ଅଧିକାରୀମାନେ ଠିକାଦାରଙ୍କ ସହ ଭିତିରି ସଲାସୁତୁରାରେ ସମସ୍ତ କାମ କରୁଛନ୍ତି। ବର୍ଷକୁ ଯେତିକି ପାଣ୍ଠି ଆସୁଛି ତା’ର ପ୍ରାୟ ୮୦ % କାମର ଟେଣ୍ଡର ହେଉ ନାହିଁ। ବିଗତ ଦିନରେ ବିନା ଟେଣ୍ଡରରେ ଏମିତି ମାଳ ମାଳ କାମ କରାଯାଇଥିବା ଅଭିଯୋଗ ହୋଇଛି। ସ୍କୁଲ ମରାମତି, କମ୍ୟୁନିଟି ସେଣ୍ଟର ନିର୍ମାଣ, ଚାଷୀଙ୍କୁ ଔଷଧ ସିଞ୍ଛିନ ମେସିନ୍ ବଣ୍ଟନଠାରୁ ଆରମ୍ଭ କରି ନଳକୂପ ବସାଇବା ଆଦି ପ୍ରତ୍ୟେକ କାମକୁ ୫ ଲକ୍ଷ ଟଙ୍କା କରି ଠିକାଦାରକୁ ବାଣ୍ଟି ଦିଆଯାଉଛି। ଏବେ ‘ ମୋ ସ୍କୁଲ ଅଭିଯାନ’ରେ ଅଧୀନରେ ଜିଲ୍ଲାର ହେଉଥିବା ୫୦ ସ୍କୁଲ ମଧ୍ୟରୁ ପାନପୋଷ ଆଇଟିଡିଏ ଅଧୀନରେ ହେଉଥିବା ୧୦ ସ୍କୁଲର କାମକୁ ନେଇ ବିବାଦ ସୃଷ୍ଟି ହୋଇଛି।
ସହରରେ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଦ୍ବାରା ଦେଓଗାଁ ସ୍ଥିତ ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ, ସିଭିଲଟାଉନସିପ୍ସ୍ଥିତ ନ୍ୟୁ ଏଲ୍ଆଇସି କଲୋନି ଡେଭଲପ୍ଡ ଏରିଆ ଉଚ୍ଚ ବିଦ୍ୟାଳୟ, ପାନପୋଷ ସରକାରୀ ଉଚ୍ଚ ବିଦ୍ୟାଳୟ ସରକାରଙ୍କ ନୀତିନିୟମ ଅନୁଯାୟୀ ଟେଣ୍ଡର କରାଯାଇଛି। କିନ୍ତୁ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ସାରନଗରୀ ବାଲିଯୋଡି ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ଲାଣ୍ଟସାଇଟ୍ ସ୍ଥିତ ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ, ବନ୍ଧମୁଣ୍ଡା କଲ୍ୟାଣୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣା ଷ୍ଟେସନ ନିକଟ ରାଷ୍ଟ୍ରୀୟ ଉଚ୍ଚ ବିଦ୍ୟାଳୟ, ୱାର୍ଡ ନଂ ୧୩ର ଗୋପବନ୍ଧୁପାଲୀ ଅପ୍ ଗ୍ରେଡେଡ୍ ଉଚ୍ଚ ବିଦ୍ୟାଳୟ, ବାସନ୍ତି କଲୋନୀ ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୨୧ ନୟାବଜାର ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ କାମ ବିନା ଟେଣ୍ଡରରେ ୪୦ରୁ ଅଧିକ ଠିକାଦାରକୁ ବାଣ୍ଟି ଦିଆଯାଇଛି। ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି।
ଏବେ ସେଇ ସ୍କୁଲଗୁଡ଼ିକରେ ଚାଲିଥିବା କାମରେ ଜଣେ କରିତକର୍ମା ପିଡବ୍ଲ୍ୟୁଡି ଯନ୍ତ୍ରୀଙ୍କ ସମ୍ପୃ୍କ୍ତି ସହରରେ ବେଶ୍ ଚର୍ଚ୍ଚାର ବିଷୟ ପାଲିଛି। ଯନ୍ତ୍ରୀ ଜଣଙ୍କ ୧୦ଟି ସ୍କୁଲକୁ ଆବଶ୍ୟକ ସମସ୍ତ ଟାଇଲ୍ ଯୋଗାଇଥିବା ସାଂଘାତିକ ଅଭିଯୋଗ ହେଉଛି। ଯନ୍ତ୍ରୀ ଜଣକ ଗୋଟିଏ ଦୁଇ ଟ୍ରକ୍ ନୁହେଁ ପାଖାପାଖି ୫ ଟ୍ରକ ଟାଇଲ୍ କିଣି ସରକାରୀ ସ୍କୁଲଗୁଡ଼ିକରେ ଗଚ୍ଛିତ ରଖିଛନ୍ତି। ସେହି ଟାଇଲକୁ ବର୍ଗଫୁଟ ପିଛା ବଜାର ମୂଲ୍ୟଠାରୁ ଅଧିକ ଦାମରେ ବିକୁଥିବାରୁ ଅଧିକାଂଶ ଠିକାଦାର ନେଉ ନାହାନ୍ତି। ଫଳରେ ୧୦ଟି ସ୍କୁଲ କାମରୁ ଅଧିକାଂଶ ସ୍କୁଲର ଟାଇଲ୍ ବିଛା କାମ ବନ୍ଦ ରହିଛି। ରାଜନୈତିକ ଚାପ ଭୟରେ କାମ ନେଇଥିବା ଠିକାଦାର ଓ କରିତକର୍ମା ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ବିରୋଧରେ ଆଇଟିଡିଏ ଜେଇ ଓ ଅଧିକାରୀ ମୁହଁ ଖୋଲିବାକୁ ସାହାସ ଜୁଟାଇପାରୁ ନାହାନ୍ତି। ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ନାଁରେ କେବଳ ଆଇଟିଡିଏ ନୁହେଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍ ) ଓ ପାନପୋଷ ସରକାରୀ ସ୍ବୟଂ ଶାସିତ କଲେଜରେ ହୋଇଥିବା କାମର ଅନେକ ଅଭିଯୋଗ ରହିଛି।
ଯାହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ସେପଟେ ଆସନ୍ତା ନଭେମ୍ବର ୧୪ରୁ ସ୍ମାର୍ଟ ସ୍କୁଲରେ ପିଲାମାନେ ପଢ଼ିବେ ଘୋଷଣା କରିଛନ୍ତି ସରକାର। ତେବେ ଆସନ୍ତା ୧୪ ପୂର୍ବରୁ କିପରି ସ୍କୁଲଗୁଡ଼ିକର କାମ ଶେଷ ହେବ, ତାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଚିନ୍ତା ବଢ଼ିଛି। ବର୍ଷ ବର୍ଷ ଧରି ବଦଳି ହେଉନଥିବା ଜେଇ ଓ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ବଢ଼ୁଥିବା ଦୁର୍ନୀତିକୁ ନେଇ ସର୍ବଦା ପାନପୋଷ ଆଇଟିଡିଏ ବିବାଦରେ ରହିଛି। ଅନୁରୂପ ଭାବେ ଜିଲ୍ଲାର କେତେକ ବ୍ଲକରେ କାମର କାମନୁ ନେଇ ଅଭିଯୋଗ ଆସୁଛି। ବୀରମିତ୍ରପୁରରେ ସ୍କୁଲ ବିକାଶମୂଳକ କାମ ଶେଷ କରି ସ୍କୁଲକୁ ହସ୍ତାନ୍ତର କରି ଦିଆଯାଇଥିବା ଅଭିଯୋଗ ହେଉଛି। ବିଶ୍ରା ବ୍ଲକରେ ଦୁଇଟି ସ୍କୁଲକୁ ପ୍ରାୟ ୧ କୋଟି ୧୦ ଲକ୍ଷ ଟଙ୍କା, କୁଆରମୁଣ୍ଡାରେ ଦୁଇଟି ସ୍କୁଲକୁ ପ୍ରାୟ ୫୦ ଲକ୍ଷ, ନୂଆଗାଁ ବ୍ଲକର ହାତୀବାରି ଓ ଖୁଣ୍ଟଗାଁରେ ଦୁଇଟି ସ୍କୁଲ ମରାମତିରେ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି।
The post ସ୍କୁଲ ଚକାଚକ୍ କାମରେ ଦୁର୍ନୀତିର ଗନ୍ଧ ! ସନ୍ଦେହ ଘେରରେ ଆଟିଡିଏର ଜେଇ ଓ ଅଧିକାରୀ first appeared on Sambad.from ଜିଲ୍ଲା | Sambad https://ift.tt/3nDWagT
0 Comments