
ଯାଜପୁରଟାଉନ/ସଦର : ମୂଳାଷ୍ଟମୀରୁ ନବଦିନ ବ୍ୟାପୀ ଚାଲିଥିବା ମା’ ବିରଜାଙ୍କ ବିଜୟା ରଥଯାତ୍ରା ଶେଷ ହୋଇଛି। ମନ୍ଦିର ପରିସରରେ ମା’ଙ୍କର ମହାନବମୀ ପାଳିତ ହୋଇଯାଇଛି। ବିଳମ୍ବିତ ରାତିରେ ମା’ଙ୍କ ଲାଖବିନ୍ଧା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଆଜି ମହାନବମୀ ରାତିରେ ମା’ଙ୍କ ଯଜ୍ଞର ପୂର୍ଣ୍ଣାହୂତି ହୋଇଥିଲା। ବିଳମ୍ବିତ ରାତିରେ ମା’ଙ୍କର ମହାସ୍ନାନ କରାଯାଇଥିଲା। ସକାଳ ୫ଟାରୁ ମହାନବମୀ ପୂଜା ଅବସରରେ ଦଶାଶ୍ୱମେଧ ଘାଟରୁ ବ୍ରାହ୍ମଣଙ୍କ ଦ୍ୱାରା ଅଣାଯାଇଥିବା ବୈତରଣୀ ଜଳରେ ମା’ଙ୍କ ସ୍ନାନ କରାଯିବା ପରେ ବେଶ କରାଯାଇ ନୈବେଦ୍ୟ ଅର୍ପଣ କରାଯାଇଥିଲା। ପରେ ନବମୀ ପୂଜା କରାଯିବା ସହ ରଥରେ ଥିବା ବିଜେ ପ୍ରତିମାଙ୍କ ପୂଜା କରାଯାଇ ମା’ଙ୍କୁ ନୀତି ଅର୍ପଣ ପରେ ପହୁଡ଼ ହୋଇଥିଲା।

ଆଜି ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହଶହ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ନିମନ୍ତେ ମନ୍ଦିର ପରିସରରେ ଭିଡ଼ ଲଗାଇଥିଲେ। ଶ୍ରଦ୍ଧାଳୁମାନେ ଧାଡ଼ିରେ ଛିଡ଼ା ହୋଇ ଦର୍ଶନ କରିଥିଲେ। ମା’ଙ୍କ ପହୁଡ଼ ଖୋଲିବା ପରେ ଶ୍ରୀ ଅଙ୍ଗଲାଗି ସେବାୟତ ମା’ଙ୍କର ଆର୍ଶାଦଣ୍ଡ ଧରି ରଥ ଉପରେ ବିଜେ ହୋଇଥିଲେ। ପରେ ଶ୍ରୀ ଅଙ୍ଗଲାଗି ସେବାୟତ, ମା’ଙ୍କ ସେବାରେ ନିୟୋଜିତ ବିଭିନ୍ନ ସେବାୟତ ଓ ପୁଲିସ୍ ବାହିନୀ ବିଜୟା ରଥକୁ ଟାଣି ଆଣି ସିଂହଦ୍ୱାର ନିକଟରେ ରଖିଥିଲେ। ପରେ ଆର୍ଶାଦଣ୍ଡକୁ ରଥରୁ ଓହ୍ଲାଇ ଗର୍ଭଗୃହରେ ରଖିବା ପରେ ମା’ଙ୍କର ଆଳତୀ ହୋଇଥିଲା। ରାତ୍ର ୧୦ଟା ସମୟରେ ମା’ଙ୍କର ସିଂହାସନ ସମ୍ମୁଖରେ ମନ୍ଦିର ଟ୍ରଷ୍ଟି ତଥା ଉପଜିଳ୍ଲପାଳ, ଧର୍ମାଧିକାରୀ, ପୂଜକ, ପାଳିହା, ଲାଖ, ସମିଧ, ଆର୍ଶା, ତରାସ, ଛତା, ଚାମର ଓ ମା’ଙ୍କ ପୂଜାରେ ନିୟୋଜିତ ହୋଇଥିବା ବିଭିନ୍ନ ସେବାୟତଙ୍କୁ ଶିରିପା ବନ୍ଧା ହେବାପରେ ସମସ୍ତେ ରଥ ଦାଣ୍ଡରେ ଥିବା ମା’ଙ୍କର ବିଜୟା ରଥକୁ ଆସିଥିଲେ। ରଥ ଉପରେ ପୁରୋଧା ବିଜେ ପ୍ରତିମାଙ୍କର ପୂଜା ସମ୍ପର୍ଣ୍ଣ କରିଥିଲେ। ଏହାପରେ ଏକ ସୁସଜ୍ଜିତ ବିମାନରେ ମା’ଙ୍କର ବିଜେ ପ୍ରତିମାଙ୍କୁ ଘଣ୍ଟ, ବାଦ୍ୟ, ଦୁନ୍ଦୁଭି, ଶଙ୍ଖ, ତୁରି, ଭଜନ କୀର୍ତ୍ତନ କରାଯାଇ ଲାଖବିନ୍ଧା ପଡ଼ିଆକୁ ନିଆଯାଇଥିଲା। ସେଠାରେ ମା’ଙ୍କ ମଣ୍ଡପରେ ପୂଜାର୍ଚ୍ଚନା ସରିବା ପରେ ଚତୁର୍ଦ୍ଦିଗକୁ ଲାଖଧାରୀ ପୂଜକ ଶର ନିକ୍ଷେପ କରିଥିଲେ।
କିଂବଦନ୍ତି ଅନୁଯାୟୀ ମା’ବିରଜାଙ୍କର ଏହି ପ୍ରଥା ଚାଲୁଅଛି। ଲାଖବିନ୍ଧାରେ ଲାଖ ନିକ୍ଷେପ ପରେ ମା’ବିରଜାଙ୍କୁ ସୁସଜ୍ଜିତ ବିମାନରେ ନଗର ପରିକ୍ରମା କରାଯାଇଥିଲା। ମା’ଙ୍କର ବିଜେ ପ୍ରତିମାକୁ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରାଇ ରତ୍ନ ସିଂହାସନରେ ରଖାଯାଇଥିଲା। ପରେ ପ୍ରଥା ଅନୁଯାୟୀ ମା’ଙ୍କର ଗୁପ୍ତପୂଜା ଅନୁଷ୍ଠିତ ହୋଇଥିଲା। ଏହା ପରେ ମା’ଙ୍କର ପହୁଡ଼ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିରର ଟ୍ରଷ୍ଟି ତଥା ଉପଜିଲ୍ଲପାଳ ଶରତ ଚନ୍ଦ୍ର ମହାପାତ୍ର, ତହସିଲ୍ଦାର ଜ୍ୟୋତିକାନ୍ତ ଭୂଜବଳ, ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ଦାଶ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସରୋଜ କୁମାର ଉପାଧ୍ୟାୟ ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିଥିଲେ।
The post ଶେଷ ହେଲା ବିଜୟା ରଥଯାତ୍ରା first appeared on Sambad.from ଜିଲ୍ଲା | Sambad https://ift.tt/3p1KB5A
0 Comments