ସୋନପୁର : କୌଣସି ଜିଲ୍ଲା ବା ରାଜ୍ୟର ବିକାଶ ଧାରାରେ ଜନପ୍ରତିନିଧିଙ୍କ ସହ ପ୍ରଶାସନର ଉପଯୁକ୍ତ ସମନ୍ଵୟ ରହିବା ଜରୁରୀ। ବିକାଶମୂଳକ କାର୍ଯ୍ୟ ହେଉ ବା ଲୋକଙ୍କ ସମସ୍ୟା କ୍ଷେତ୍ରରେ ଜନପ୍ରତିନିଧିଙ୍କ ଲିଖିତ କିମ୍ବା ମୌଖିକ ସୂଚନା ତଥା ଅନ୍ୟ କୌଣସି ମାଧ୍ୟମର ସୂଚନାକୁ ପ୍ରାଶାସନିକ ଅଧିକାରୀମାନେ ଗୁରୁତର ସହ  ପଦକ୍ଷେପ ଗ୍ରହଣ କଲେ ବିକାଶରଧାରା ଆହୁରି ସୁଗମ ହୋଇ ପାରିବ। ଶନିବାର ରାଜ୍ୟ ବିଧାନସଭା ସଦାଚାର କମିଟିର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ କମିଟି ଅଧ୍ୟକ୍ଷ ତଥା ବିଧାୟକ ଅମର ପ୍ରସାଦ ଶତପଥୀ ଏହି ମତ ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ସମସ୍ତେ ନିଜ ନିଜ ସ୍ତରରେ ସକରାତ୍ମକ ମନୋଭାବ ପୋଷଣ ପୂର୍ବକ ପ୍ରସଙ୍ଗକୁ ତତ୍‌କ୍ଷଣାତ କାର୍ଯ୍ୟକାରୀ କରିବା ଉଚିତ। ଏହି ମର୍ମରେ ସଂଗ୍ରହ ପରିପତ୍ର ୪୭ ଧାରାକୁ ପ୍ରତ୍ୟେକ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ବିଭାଗୀୟ କର୍ମଚାରୀ ନିହାତି ଜାଣିବା ଓ କାର୍ଯ୍ୟକ୍ଷେତ୍ରରେ ବିନିଯୋଗ କରିବା ଉପରେ ପରାମର୍ଶ ଦେଇଥିଲେ। ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ବିଶ୍ବ ବନ୍ଦିତ  ଭୀମଭୋଇଙ୍କ ସାଧନା ପୀଠ,  ପାତାଳୀ ଶ୍ରୀକ୍ଷେତ୍ର ଆଦିର ସାମୂହିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରି ସେଗୁଡ଼ିକୁ ଆହୁରି ସୁଦୂର ପ୍ରସାରୀ କରିବା ଉପରେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଏଥିରେ କମିଟିର ଅନ୍ୟତମ ସଦସ୍ୟ ବିଧାୟକ ପ୍ରଦୀପ କୁମାର ଅମାତ, କିଶୋର ମହାନ୍ତି, ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂହ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଦାଶରଥି ଗମାଙ୍ଗୋ ପ୍ରମୁଖ ଏହି ଗସ୍ତରେ ଆସି କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଯେକୌଣସି ଜନକଲ୍ୟାଣକାରୀ ଯୋଜନାକୁ ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରାଶାସନିକ ଅଧିକାରୀ ଉପଯୁକ୍ତ ସମନ୍ଵୟ ରକ୍ଷା କରି ତାର ସୁଫଳ ତୃଣମୂଳସ୍ତରରେ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟାଜିତ ଏହି ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ  ସ୍ବାଗତ ଭାଷଣ ପ୍ରଦାନ କରି ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ, ସୋନପୁର ଉପ ଜିଲ୍ଲାପାଳ ନିହାର ରଞ୍ଜନ କଅଁର,  ବୀରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ ଭୋଇ, ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ସୁକାନ୍ତ ଜେନା ପ୍ରମୁଖଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଧନ୍ୟବାଦ ଦେଇଥିଲେ।

The post ବିଧାନସଭା ସଦାଚାର କମିଟିର ସୁବର୍ଣ୍ଣପୁର ଗସ୍ତ, ଜନପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ first appeared on Sambad.

from ଜିଲ୍ଲା | Sambad https://ift.tt/2XF0u6H