
ବାଲିକୁଦା : ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। କାମ ମିଳିଲାନି, ଫେରିବା ବାଟରେ ଦୁର୍ଘଟଣାରେ ଜୀବନ ଚାଲିଗଲା। ଅର୍ଥାଭାବରୁ ମରଶରୀର ଗାଁକୁ ଆସି ପାରିଲାନି। ଏଭଳି ଏକ ଦୁଃଖଦ ଘଟଣା ବଡ଼ଚଣା ବ୍ଲକ୍ ରଇପୁର ପଞ୍ଚାୟତ ବେଙ୍ଗପୁର ଗ୍ରାମରେ ଘଟିଛି।
ରଇପୁର ଗ୍ରାମର ଶରତ ଚନ୍ଦ୍ର ଦାଶଙ୍କ ପୁଅ ସୁଧାଂଶୁ ଶେଖର(୩୧) ୧୫ ଦିନ ତଳେ ଦାଦନ ଖଟିବାକୁ ଚେନ୍ନେଇ ଯାଇଥିଲେ। ସେଠାରେ କୌଣସି କାମ ମିଳିଲାନାହିଁ। ବାଧ୍ୟହୋଇ ଘରକୁ ଫେରି ଆସୁଥିଲେ। ହେଲେ ଫେରିବା ବାଟରେ ଉଡ଼ିଓ୍ବାଡ଼ା ଷ୍ଟେସନ ନିକଟରେ ଟ୍ରେନ୍ରୁ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। କୌଣସି କାରଣରୁ ଷ୍ଟେସନ ପୂର୍ବରୁ ଅଟକି ଥିବା ଟ୍ରେନ୍ରୁ ସୁଧାଂଶୁ ତଳକୁ ଓହ୍ଲାଇଥିଲେ। ଅନ୍ୟକିଛି ଲୋକ ମଧ୍ୟ ତଳକୁ ଓହ୍ଲାଇଥିଲେ। ଟ୍ରେନ୍ ଛାଡ଼ିବାରୁ ଲୋକମାନେ ଚଢ଼ିବାକୁ ଭିଡ଼ ଲଗାଇଥିଲେ। ତରବରରେ ଚଳନ୍ତା ଟ୍ରେନ୍ରୁ ସୁଧାଂଶୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସାଂଗରେ ଥିବା ଲୋକମାନେ ସୂଚନା ଦେଇଥିଲେ। ଗତକାଲି ଅପରାହ୍ଣରେ ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଏନେଇ ସୂଚନା ଦିଆଯାଇଥିଲା। ପରିବାର ଲୋକେ ଆଜି ଅପରାହ୍ଣରେ ସେଠାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ସେଠାରେ ଦାହ କରାଯାଇଥିଲା। ଅର୍ଥାଭାବରୁ ମରଶରୀରକୁ ଗାଁକୁ ଅଣାଯାଇପାରିନଥିଲା।
ପ୍ରକାଶ ଯେ, ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ସୁଧାଂଶୁ ୩ ମାସ ତଳେ ବିବାହ କରିଥିଲେ। ତାଙ୍କ ଅକାଳ ବିୟୋଗରେ ବେଙ୍ଗପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
The post ଟ୍ରେନ୍ରୁ ପଡ଼ି ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, ଅର୍ଥାଭାବରୁ ଗାଁକୁ ଆସିପାରିଲାନି ମୃତଦେହ first appeared on Sambad.from ଜିଲ୍ଲା | Sambad https://ift.tt/2Ze7bNw
0 Comments