କଣ୍ଟାବାଞ୍ଜି : ତୁରେକେଲା ଅଂଚଳରେ ହାତୀ ଉପଦ୍ରବ ଜାରି ରହିଛି। ଗତ ଦୁଇଦିନ ହେଲା ୨୨ଟି ହାତୀ ଆସି ଧାନ କିଆରି ନଷ୍ଟ କରିବା ସହ ଗଦା ହୋଇଥିବା ଧାନ ଖାଇ ନଷ୍ଟ କରୁଛନ୍ତି। କେତେକ ସ୍ଥାନରେ ଘର ଭାଙ୍ଗିଥିବା ମଧ୍ୟ ସୂଚନା ମିଳିଛି। ଏହି ହାତୀପଲ ଦୁଇଦିନ ତଳେ ମହଖଣ୍ଡ ଜଙ୍ଗଲ ଦେଇ ତୁରେକେଲା ବଗବାହଲ ସଂରକ୍ଷିତ ଜଙ୍ଗଲକୁ ଆସିଥିଲେ। ଆଖପାଖରେ ଥିବା ଗଡ଼ଗଡବହାଲ, ବଗବାହଲ, ପଖନମୁଣ୍ଡା, ପାଣ୍ଡ୍ରେନ ଓ କୁଇବାହଲ ଅଂଚଳରେ ଉପଦ୍ରବ କରୁଛନ୍ତି। କୁଇବାହାଲ ଗାଁର ଅନେକ ଚାଷୀଙ୍କ କ୍ଷତି କରିଥିବା ସେମାନେ ଅଭିଯୋଗ କରିଛନ୍ତି। ହାତୀମାନେ ଏକ ଘରକୁ ମଧ୍ୟ ଭାଙ୍ଗି ଛାରଖାର କରିଦେଇଛନ୍ତି। ଫଳରେ ଏ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଖବର ପାଇ ବନ ବିଭାଗର ଫରେଷ୍ଟର, ଫରେଷ୍ଟଗାର୍ଡ, ପାରା ସ୍କ୍ବାଡ ହାତୀମାନଙ୍କୁ ଘଉଡ଼ାଉଛନ୍ତି। ହେଲେ ହାତୀମାନେ ତାଙ୍କର ଗତିବିଧି ପରିବର୍ତ୍ତନ ନକରି ବଗବାହଲ ଜଙ୍ଗଲରେ ହିଁ ରହିଥିବା କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଳୀ କହିଛନ୍ତି। ଅନ୍ୟପକ୍ଷରେ ଦୁଇବର୍ଷ ତଳେ ଏ ଅଞ୍ଚଳକୁ ହାତୀପଲ ଆସି କ୍ଷୟକ୍ଷତି କରିଥିଲେ। ସେସମୟର କ୍ଷତିପୂରଣ କିଛି ଚାଷୀଙ୍କୁ ମିଳିଥିବା ବେଳେ ଆଉ କେତେକ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ମିଳି ନାହିଁ। ତେଣୁ ଶୀଘ୍ର ଏହି ହାତୀଙ୍କୁ ଅଞ୍ଚଳରୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି।

The post ତୁରେକେଲା ଅଞ୍ଚଳରେ ପୁଣି ହାତୀ ଉପଦ୍ରବ: ଧାନ କିଆରି ନଷ୍ଟ କଲେ, ଘର ଭାଙ୍ଗିଲେ first appeared on Sambad.

from ଜିଲ୍ଲା | Sambad https://ift.tt/3nFgoH8