କୋରେଇ : କୋରେଇ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଥିବା ମାର୍କେଟ କମ୍ପ୍ଲେକ୍ସ ଓ କଲ୍ୟାଣମଣ୍ତପ ଗୁଡ଼ିକର ସ୍ଥିତି ସମ୍ବନ୍ଧରେ ତଥ୍ୟ ଦେବା ସହିତ ଆଦାୟ ହୋଇଥିବା ଘରଭଡ଼ା ତୁରନ୍ତ ପଇଠ କରିବା ପାଇଁ ଯାଜପୁର ଜିଲ୍ଲାପାଳ କୋରେଇ ବିଡିଓଙ୍କୁ ନୋଟିସ ଜାରି କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦେଶକୁ ଏହା ମଧ୍ୟରେ ୬ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ କୌଣସି ପଞ୍ଚାୟତ କିମ୍ବା ବ୍ଲକ୍ କାର୍ଯ୍ୟାଳୟ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇନାହିଁ।

ପ୍ରକାଶ ଯେ, ପଞ୍ଚାୟତମାନଙ୍କର ରାଜସ୍ବ ବୃଦ୍ଧି ପାଇଁ ରାଜ୍ୟ ସରକାର ବିଭିନ୍ନ ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ କରିଥିଲେ। ସେଥିରୁ ଆଦାୟ ଭଡ଼ା ଅର୍ଥକୁ ପଞ୍ଚାୟତ ଉନ୍ନୟନ କାର୍ଯ୍ୟରେ ଲଗାଯିବ ବୋଲି ଏହି ଯୋଜନା ଆରମ୍ଭ କରାଯାଇଥିଲା। ହେଲେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ବହୁ ପଞ୍ଚାୟତରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସ ଗୃହ ଖାଲି ପଡ଼ିଛି। ଅଧିକାଂଶ ସ୍ଥାନରେ ଏହି ଘରଗୁଡ଼ିକ ଭଡ଼ା ଲାଗିନଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଏହା ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଫଳରେ ପଞ୍ଚାୟତମାନଙ୍କର ରାଜସ୍ବରେ ଅଭିବୃଦ୍ଧି ହେଉନଥିବା ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି। ଏହିପରି କୋରେଇ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ମାର୍କେଟ କମ୍ପ୍ଲେକ୍ସ ଘର ଗୁଡ଼ିକ ଖାଲି ପଡ଼ିଛି।

ଏନେଇ ଗତ ଅଗଷ୍ଟ ମାସରେ ହୋଇଥିବା ଜିଲ୍ଲା ପରିଷଦ ବୈଠକରେ ମଧ୍ୟ ଅଧିକାରୀମାନେ ବିରକ୍ତି ପ୍ରକାଶ କରିଥିଲେ। ତେଣୁ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି। ତଥ୍ୟ ଅନୁଯାୟୀ, କୋରେଇ ବ୍ଲକ୍‌ରେ ମୋଟ ୯୬ଟି ମାର୍କେଟ କମ୍ପ୍ଲେକ୍ସ ଘର ତିଆରି ହୋଇଥିବା ବେଳେ ସେଗୁଡ଼ିକ ମଧ୍ୟରୁ ମାତ୍ର ୧୨ଟି ଘର ଭଡ଼ା ଦିଆଯାଇଛି। ଅବଶିଷ୍ଟ ୮୪ଟି ଘର ଖାଲି ପଡ଼ିଛି। ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ଏହି ଘର ନିର୍ମାଣ କରାଯାଇଥିଲେ ମଧ୍ୟ ତାହା କାମରେ ଆସୁନି। ଅନ୍ୟପକ୍ଷରେ ଭଡ଼ା ଦିଆଯାଇଥିବା ୧୨ଟି ଘର ଗୁଡ଼ିକ ମଧ୍ୟରୁ ବହୁ ଭଡ଼ାଟିଆ ଭଡ଼ା ପ୍ରଦାନ କରୁନଥିବା ବେଳେ କେତେକ ସ୍ଥାନରେ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିଙ୍କ ସମ୍ମତିରେ କିଛିଲୋକ ଏହି ଘରଗୁଡ଼ିକୁ ଜବରଦଖଲ କରିଛନ୍ତି। ତୁରନ୍ତ ଏହାର ତଦାରଖ କରାଯିବା ସହିତ ଗତ ୬ ବର୍ଷର ବକେୟା ଥିବା ଘରଭଡ଼ା ତୁରନ୍ତ ପଇଠ କରାଯିବାକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ତାଗିଦ କରିଛନ୍ତି।

The post କୋରେଇ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଥିବା ମାର୍କେଟ କମ୍ପ୍ଲେକ୍ସ ଜବରଦଖଲରେ, ୮୪ ଘର ଖାଲି ପଡ଼ିଛି first appeared on Sambad.

from ଜିଲ୍ଲା | Sambad https://ift.tt/3vpiheA