
ନୟାଗଡ଼ : କିଛିଦିନ ତଳେ ୫ ଜଣ ବ୍ରାଉନସୁଗାର ବେପାରୀଙ୍କୁ ହାଉସିଂ ବୋର୍ଡ କଲୋନିରୁ ଟାଉନ ଥାନା ପୁଲିସ ଗିରଫ କରିଥିଲା। ଏହା ପୂର୍ବରୁ ମଧ୍ୟ ଏଠାରେ ନାନା ଅପରାଧିକ କାର୍ଯ୍ୟକଳାପ ନେଇ ଅସାମାଜିକ ଯୁବକ ଏକାଠି ହେଉଥିବାର ନଜିର୍ ରହିଛି। ଲଗାତାର ଏହି କଲୋନିରୁ ଚୋରି ହୋଇଥିବା ମଧ୍ୟ ଦେଖାଯାଇଛି। ଉକ୍ତ କଲୋନିରେ ପ୍ରାୟ ୧୫୦ରୁ ଅଧିକ ଅବ୍ୟବହୃତ ଘର ପଡ଼ି ରହିଛି। ଯାହା ଅପରାଧିକ କାର୍ଯ୍ୟାକଳାପର ପ୍ରସ୍ତୁତି, ଅପରାଧିଙ୍କ ଛପି ରହିବା ପାଇଁ ସୁବିଧା ହେଉଛି। ସହରଠାରୁ ଟିକିଏ ଦୃଷ୍ଟି ଆଢ଼ୁଆଳରେ ଉକ୍ତ କଲୋନି ରହିଥିବାରୁ ଅସାମାଜିକ ଯୁବକଙ୍କୁ ଏହା ବେଶ୍ ସୁହାଉଛି। ଏଭଳି ସ୍ଥିତିରେ ଏଠାରେ ଦିନ, ରାତି ଉଭୟ ସମୟରେ ପାଟ୍ରୋଲିଂର ଆବଶ୍ୟକତା ରହିଛି। କିନ୍ତୁ ଏଠାରେ ଆଦୌ ପାଟ୍ରୋଲିଂ କରାଯାଉନଥିବା କଲୋନି ବାସିନ୍ଦାଙ୍କଠାରୁ ସୂଚନା ମିଳିଛି।
ଏଠାରେ ୭୦ ପରିବାର ରହୁଥିବା ବେଳେ, ଶତାଧିକ ଗୃହ ଅବ୍ୟବହୃତ ରହିଛି। ଫଳରେ ମଦ ପିଇବାଠାରୁ ଆରମ୍ଭ କରି ନାନା ଅସାମାଜିକ କାର୍ଯ୍ୟାକଳାପ ପାଇଁ ଏଠାରେ ଯୁବକମାନଙ୍କ ଭିଡ଼ ଜମୁଛି। ବହୁ ଅଚିହ୍ନା ଯୁବକ ମଦ ପିଇ ଏଠାରେ ଉତ୍ପାତ କରୁଥିବା ବେଳେ, ଦିନ ସମୟରେ ମଧ୍ୟ ବାହାରକୁ ବାହାରିବାକୁ ଭୟ ଲାଗୁଥିବା କଲୋନି ବାସିନ୍ଦା କହିଛନ୍ତି। ମହିଳା, ଯୁବତୀମାନେ ମଧ୍ୟ ଦିନରେ ଏଠାରେ ନିଜକୁ ଅସୁରକ୍ଷିତ ଅନୁଭବ କରୁଥବା କଲୋନି ସମ୍ପାଦକ ପ୍ରଦୀପ୍ତ ରଥ କହିଛନ୍ତି। ଖୋଦ୍ ନୟାଗଡ଼ ଏସ୍ପିଙ୍କ ସରକାରୀ ବାସଭବନ ଏଠାରୁ ମାତ୍ର ୫୦୦ ମିଟର ଦୂରରେ ଅବସ୍ଥିତ। ତେବେ ହାଉସିଂ ବୋର୍ଡ କର୍ତ୍ତୃପକ୍ଷଙ୍କଠାରୁ ଘର କିଣି ସ୍ଥାନୀୟ ବାସିନ୍ଦା ଅକଳରେ ପଡ଼ିଯାଇଛନ୍ତି। ୧୫୦ରୁ ଅଧିକ ଘର ଏଠାରେ ଫାଙ୍କା ପଡ଼ିଥିବାରୁ ହାଉସିଂ ବୋର୍ଡ କଲୋନି କ୍ରମେ ଭୂତକୋଠି ପାଲଟିବାକୁ ଯାଉଛି। ଏଠାରେ ଘର ଆବଶ୍ୟକ କରୁଥିବା ଲୋକେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। କିନ୍ତୁ ବେପାରୀ ଯେକୌଣସି ଉପାୟରେ ଏଠାରେ ଘର ହାତେଇଥିବା ବେଳେ, ଏବେ ସେ ଘରଗୁଡ଼ିକ ଫାଙ୍କା ପଡ଼ିଛି।

ଘର ପଜେସନ୍ ନେଇ ବର୍ଷ ବର୍ଷ ଧରି ପକାଇ ରଖିଥିବାରୁ ଏହାକୁ ଅସାମାଜିକ ଯୁବକ ଉପଭୋଗ କରୁଛନ୍ତି। ହାଉସିଂ ବୋର୍ଡ କଲୋନିର ଏଭଳି ବାସ୍ତବ ସ୍ଥିତି ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ, ହାଉସିଂ ବୋର୍ଡ ଏହାକୁ ଗୁରୁତର ସହିତ ନେଇଥିଲା। ଏପରିକି ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ନିର୍ଦେଶ କ୍ରମେ ହାଉସିଂ ବୋର୍ଡ ସଚିବ, ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ପରିଦର୍ଶନ କରି କଲୋନିବାସୀଙ୍କ ସହ ପ୍ରାୟ ଦୁଇ ବର୍ଷ ତଳେ ଆଲୋଚନା କରିଥିଲେ। ଘର ପଜେସନ୍ ନେଇଥିବା ବ୍ୟକ୍ତିଙ୍କୁ ନୋଟିସ୍ କରିବା ସହିତ ୨୦୨୦ ମାର୍ଚ୍ଚ ୩୦ ସୁଦ୍ଧା ଘରକୁ ବାସୋପଯୋଗୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କିଛି ହାତଗଣତି ଘର ମାଲିକ ଏହି ନିୟମକୁ ମାନିଥିବା ବେଳେ, ଅନ୍ୟମାନେ ଏହାକୁ ଫୁ କରି ଉଡ଼ାଇ ଦେଇଥିବା ଦେଖାଯାଇଛି। ଯାହାକୁ ନେଇ ହାଉସିଂ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଆମେ ଜଣାଇବୁ ବୋଲି କଲୋନି ସମ୍ପାଦକ ଶ୍ରୀ ରଥ କହିଛନ୍ତି। ତେବେ ଅସାମାଜିକ ଯୁବକଙ୍କ ଆଡ଼ା ଘଟଣାକୁ ଟାଉନ୍ ଥାନା ଆଇଆଇସି ଜୟଦୀପ ମହାନ୍ତି ସ୍ବୀକାର କରିଛନ୍ତି। ଅନ୍ୟ କାର୍ଯ୍ୟ ପାଇଁ ଆମେ ବ୍ୟସ୍ତ ରହୁଛୁ, ସେଥିପାଇଁ ଏଠାରେ ଦିନ ପାଟ୍ରୋଲିଂ କରିପାରୁନୁ; ଏଥର ଚଢ଼ଉ କରିବୁ ବୋଲି କହିଛନ୍ତି। ତେବେ ରାତିରେ ପାଟ୍ରୋଲିଂ କରାଯାଉଥିବା ଆଇଆଇସି କହୁଥିବା ବେଳେ, କଲୋନିବାସୀ ପାଟ୍ରୋଲିଂ କରାଯାଉନଥିବା କହିଛନ୍ତି।
The post ଅସାମାଜିକଙ୍କ ଆଡ଼ାସ୍ଥଳୀ ପାଲଟିଛି ହାଉସିଂ ବୋର୍ଡ କଲୋନି first appeared on Sambad.from ଜିଲ୍ଲା | Sambad https://ift.tt/3j9dIQF
0 Comments