
ରାଉରକେଲା: ବନ୍ୟଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ ସହ ଏକ ସନ୍ତୁଳିତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ରାଉରକେଲାସ୍ଥିତ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଡ.ଅରୁଣ କୁମାର ମିଶ୍ର କରିଛନ୍ତି । ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରୁଛନ୍ତି । ଜନସାଧାରଣ ଏ ଦିଗରେ ସଚେତନ ହୋଇ ଜୀବଜନ୍ତୁଙ୍କ ସୁରକ୍ଷା ସହିତ ବନ ତଥା ପରିବେଶର ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବା ଜରୁରୀ ।
ରାଉରକେଲା ବନମଣ୍ଡଳ ଏବଂ ବନଖଣ୍ଡର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସିଭିକ୍ ସେଂଟର ଠାରେ ଆୟୋଜିତ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି ଯେ, ଆମେ ଜଙ୍ଗଲରେ ବାସ କରୁଥିବା ବନ୍ୟପ୍ରାଣୀଙ୍କ ବସବାସ ଅଂଚଳରେ ପ୍ରବେଶ କରି ସେମାନଙ୍କ ପରିବେଶକୁ ନଷ୍ଟ କରୁଥିବାରୁ, ସେମାନେ ଅନିଛା ସତ୍ୱେ ଗାଁ ଏବଂ ସହରାଭିମୁଖୀ ହେଉଛନ୍ତି । ପରିଣାମ ସ୍ୱରୂପ ମଣିଷ ଏବଂ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷ ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ତେଣୁ ପ୍ରତ୍ୟେକ ଏ ଦିଗରେ ସଚେତନ ରହି ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଜଙ୍ଗଲ ଏବଂ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ଡ. ମିଶ୍ର ପାୱାର ପଏଂଟ ପ୍ରେଜେଂଟେସନ ଜରିଆରେ ଦେଶର ବିଭିନ୍ନ ଅଂଚଳରେ ଥିବା ଜୈବ ମଣ୍ଡଳ, ନ୍ୟାସନାଲ ପାର୍କ, ଅଭୟାରଣ୍ୟ ତଥା ସେଠାରେ ରହୁଥିବା ଜୀବଜନ୍ତୁ ଓ ସେଠାକାର ପରିବେଶ ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଉରକେଲା ବନ ମଣ୍ଡଳ ଅଧିକାରୀ ଯଶୋବନ୍ତ ସେଠୀ ଯୋଗଦେଇ ଜୀବଜନ୍ତୁମାନଙ୍କୁ ସମସ୍ତେ ସୁରକ୍ଷାଦେଲେ ଆଗାମୀ ପିଢୀ ଚିଡ଼ିଆଖାନା ସହିତ ବଣ ଜଙ୍ଗଲରେ ସେମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ, ଅନ୍ୟଥା ଭବିଷ୍ୟତରେ ଏମାନଙ୍କୁ ବଣ ଜଙ୍ଗଲରେ ଦେଖିବାର ସୁଯୋଗ ମିଳିବ ନାହିଁ ବୋଲି କହିଥିଲେ । ରାଉରକେଲା ବନ ଖଣ୍ଡ ତରଫରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମେନ୍ତ ୧୨୦ଟି ସ୍କ୍ୱାର୍ଡ଼ ଗଠନ କରାଯିବା ସହ ହାତୀମାନେ ନିଜ ଅଂଚଳରୁ ଯେପରି ବାହାରକୁ ଆସି ନ ପାରିବେ ସେଥିପାଇଁ ସୋଲାର ଫେନ୍ସିଂ, ଗର୍ତ ଖୋଳାଯିବା ଆଦି କାର୍ଯ୍ୟ ଚାଲିଛି । ବିଶ୍ରା ବନାଂଚଳରେ ୯ ଟି ନୀଳ ଗାଈ ରହିଥିବାର ଶ୍ରୀ ସେଠୀ କହିଥିଲେ ଓ ଏମାନଙ୍କୁ ସ୍ଥାନୀୟ ବାସିନ୍ଦାମାନେ ସୁରକ୍ଷା ଦେବାକୁ ସେ ପରାମର୍ଶ ଦେଇଥିଲେ ।

ବନ୍ଧମୁଣ୍ଡା ସ୍ଥିତ ଦକ୍ଷିଣ ପୂର୍ବ ରେଳବାଇର ସହକାରୀ ଆଂଚଳିକ ମ୍ୟାନେଜର ନିଶାନ୍ତ କୁମାର ଅତିଥି ଭାବେ ଯୋଗଦେଇ ହାତୀମାନେ ରେଳଧାରଣା ଅତିକ୍ରମ କରୁଥିବା ବେଳେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ରେଳ ବିଭାଗ ଓ ବନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯାଇ ରେଳ ଚଳାଚଳକୁ ନିୟନ୍ତ୍ରଣ କରାଯାଇଥାଏ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ତଥା ବର୍ତମାନ ସୁନ୍ଦରଗଡ଼ର ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଭଗବାନ ପତି ଯୋଗଦେଇ ତାଙ୍କ ଅଭିଭାଷଣରେ ତାଙ୍କ ଚାକିରି ଜୀବନ ଭିତରେ ଜଙ୍ଗଲ ସୁରକ୍ଷା ତଥା ବନ୍ୟପ୍ରାଣୀଙ୍କ ପାଇଁ ଗ୍ରହଣ କରିଥିବା କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ପ୍ରାରମ୍ଭରେ ରାଉରକେଲା ସହକାରୀ ବନ ସଂରକ୍ଷକ ଦିଲ୍ଲୀପ କୁମାର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ରାଉରକେଲା ଇସ୍ପାତ କାରଖାନାର ଉଦ୍ୟାନ ବିଭାଗର ଡିଜିଏମ୍ ଡାକ୍ତର ଏ.ବିଶ୍ୱାସ ବନ୍ୟଜନ୍ତୁଙ୍କ ଚିକିତ୍ସା ଓ ସେମାନଙ୍କର ଜୀବନୀ ଉପରେ ସମ୍ୟକ ସୂଚନା ଦେଇଥିଲେ । ଉତ୍ସବରେ ବନ ବିଭାଗ ପକ୍ଷରୁ ହାତୀ ଦ୍ୱାରା ନଷ୍ଟ ହୋଇଥିବା ଫସଲ, ଘର ଆଦିର ପୀଡ଼ିତ ୮ ଜଣ ବ୍ଯକ୍ତିକୁ କ୍ଷତିପୂରଣ ବାବଦରେ ୧୦ ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।
The post ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦ୍ୱାରା ଜୈବମଣ୍ଡଳ ସନ୍ତୁଳିତ ରହିପାରିବ: ଆରସିସିଏଫ୍ first appeared on Sambad.
from ଜିଲ୍ଲା | Sambad https://ift.tt/3iWbpQX
0 Comments