
ଖୋର୍ଦ୍ଧା: ଖୋର୍ଦ୍ଧା ଅଂଚଳର ଜଣାଶୁଣା ସାହିତ୍ୟିକ ତଥା ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘରର ପ୍ରତିଷ୍ଠାତା ସଦସ୍ୟ ପୂର୍ବତନ ପ୍ରଧାନଶିକ୍ଷକ ଭାଗିରଥୀ ରାଉତରାୟଙ୍କ(୭୭) ଭୁବନେଶ୍ୱରସ୍ଥ ଏକ ଚିକିତ୍ସାଳୟରେ ଦେହାନ୍ତ ଘଟିଛି। ନୟାଗଡ଼ ଜିଲ୍ଲା ରଣପୁର ମୟୁରଝାଲିଆରେ ଜନ୍ମିତ ଭାଗିରଥୀ ପ୍ରାଣନାଥ ମହାବିଦ୍ୟାଳୟରୁ ଶିକ୍ଷା ଶେଷ କରିବା ପରେ ଶିକ୍ଷକ ଭାବେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରିଥିଲେ। ଶେଷରେ ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ। ଅବସର ପରେ ଖୋର୍ଦ୍ଧାର ମଙ୍ଗଳନଗରରେ ସ୍ଥାୟୀ ଭାବେ ବସବାସ କରୁଥିଲେ। ଗ୍ରାମାଂଚଳରେ ଶିକ୍ଷା ଓ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସେ ଅନେକ ଉଦ୍ୟମ କରିଥିଲେ। କମାଗୁରୁ ଠାରେ ହାଇସ୍କୁଲର ସେ ପ୍ରତିଷ୍ଠାତା ଥିଲେ। ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର ପ୍ରତିଷ୍ଠା ସଦସ୍ୟ ଥିବା ସହ ନିୟମିତ ଭାବେ ଏହାର ମାସିକ ବୈଠକ ଓ ଆମ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗ ଦେଉଥିଲେ।
ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ତାଙ୍କ ଦ୍ୱାରା ରଚିତ “ସହିଦ ସଂଗ୍ରାମୀ’ ସାହିତ୍ୟିକ ଓ ଐତିହାସିକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା। ଗତ କିଛିଦିନ ଧରି ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ଚିକିତ୍ସିତ ହେଉଥିଲେ। ତାଙ୍କର ବିୟୋଗରେ ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ସଭାପତି ସତ୍ୟବାଦୀ ବଳିଆରସିଂହ, ସମ୍ପାଦକ ଗୋବିନ୍ଦଚନ୍ଦ୍ର ମହାରଣା, କୋଷାଧ୍ୟକ୍ଷା ଇତିଶ୍ରୀ ସାହୁ, ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
The post କବି ଓ ଖୋର୍ଦ୍ଧା ସମ୍ବାଦ ସାହିତ୍ୟ ଘରର ପ୍ରତିଷ୍ଠାତା ସଦସ୍ୟଙ୍କ ପରଲୋକ first appeared on Sambad.from ଜିଲ୍ଲା | Sambad https://ift.tt/3aFtsq1
0 Comments