ବାମରା : କେନ୍ଦ୍ର ସରକାର ବର୍ତ୍ତମାନ ‘ଡିଜିଟାଲ ଇଣ୍ଡିଆ’ର ଦ୍ୱାହି ଦେଉଥିବା ବେଳେ, ଏବେ ବି ମୋବାଇଲ ନେଟୱର୍କ ପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ହଇରାଣ ହରକତ ହେଉଥିବା ଦେଖାଯାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତରେ।

ବିବରଣୀ ଅନୁସାରେ, ଜରାବଗା ପଞ୍ଚାୟତର ଅପହଞ୍ଚ ଇଲାକା ଭାବେ ପରିଗଣିତ କର୍ଲିଆଡିହି, ବେତଝରଣ, କନ୍ଧକୁଲେହି, ଶର୍ଗିଡିହି, ଲପଡ଼ା ଗ୍ରାମରେ ମୋବାଇଲ ଟାୱାର ନ ଥିବାରୁ ନେଟୱର୍କ ସମସ୍ୟା ରହିଛି। ଏହିପାଇଁ ସ୍କୁଲ, କଲେଜରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ବେତଝରଣ ନିକଟ ପାହାଡ଼ ଉପରକୁ ଚଢୁଥିବା ଦେଖିବାକୁ ମିଳୁଛି। ଏହା ବ୍ୟତୀତ ନୂତନ ଆଧାର କାର୍ଡ ତିଆରି ଓ ସଂଶୋଧନ, କ୍ୟାସ ଉଠାଣ, ଫୋନରେ କଥାବାର୍ତ୍ତା, ଡିଜିଟାଲ ସେବା ଆଦିରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏ ନେଇ ବାରମ୍ବାର ଜିଲ୍ଲା ତଥ ସ୍ଥାନୀୟ ପ୍ରଶାସନ ତଥା ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କଲେ ବି କୌଣସି ଫଳ ମିଳୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଏ ନେଇ ବୁଧବାର କର୍ଲିଆଡିହିର ସ୍ବେଚ୍ଛାସେବୀ ଉମ୍ଳାନ ତପନୋ ଏବଂ ମାନୁଏଲ ଲାକଡ଼ା ମିଶି ପୂର୍ବତନ ବିଧାୟକ ବୃନ୍ଦାବନ ମାଝିଙ୍କୁ ଦେଖା କରିଥିଲେ। ପରେ ଶ୍ରୀ ମାଝି ନିଜ ଆଡୁ ବାମରା ବ୍ଲକର ନିହାତି ଜରୁରୀ  ସମସ୍ୟା ଥିବା ଲରିଆପାଲି, କର୍ଲିଆଡିହି, ସାଧପଡ଼ା ଆଦି ଗାଁରେ ନେଟୱର୍କ ସମସ୍ୟାର ସମାଧାନ ପାଇଁ ମୋବାଇଲ ଟାୱାର ସ୍ଥାପନ କରିବାକୁ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କୁ ଲିଖିତ ଅନୁରୋଧ କରିଥିବା ଜଣାପଡ଼ିଛି। ବୁଧବାର ରଙ୍ଗବତୀ ବିଲୁଙ୍ଗ ଗାଁର ପୋଷ୍ଟାଲ କର୍ମଚାରୀ ହେମନ୍ତ ମାକର ନିଜ ସେବା ଯୋଗାଇବାକୁ ଆସିଥିବା କ୍ରମରେ କିଓସ୍କ ମେସିନ ଧରି ନିକଟସ୍ଥ ପୁଞ୍ଜିପଥର ଜଙ୍ଗଲ ପାଖରେ ନେଟୱର୍କ ଖୋଜୁଥିବା ପରିଲକ୍ଷିତ ହୋଇଥିଲା। ତାଙ୍କ ପଛେ ପଛେ ଆଖପାଖ ଗ୍ରାମର ମହିଳା ପୁରୁଷମାନେ ତରବରିଆ ଭାବେ ରାସ୍ତାରେ ଅନୁସରଣ କରୁଥିଲେ। ବର୍ତ୍ତମାନ ମହାମାରୀ କୋଭିଡ୍‌ କାରଣରୁ  ଅନ ଲାଇନ ପାଠପଢ଼ା ଚାଲିଥିବା ବେଳେ, ଧାରକରଜ କରି ବହୁ କଷ୍ଟରେ ଗୋଟିଏ ଲେଖାଏଁ ସ୍ମାର୍ଟ ଫୋନ କିଣିଥିଲେ ହେଁ ନେଟୱର୍କ ସମସ୍ୟା ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଶୀଘ୍ର ସମସ୍ୟାର ସମାଧାନ କରାଗଲେ ଆଦିବାସୀ ବହୁଳ ଅଞ୍ଚଳବାସୀ ଉପକୃତ ହେବା ନେଇ ଆଶାବାଦୀ ରହିଛନ୍ତି।

The post ଜଙ୍ଗଲରେ ଚାଲୁଛି ନେଟୱର୍କ ଖୋଜା, ଟାୱାର ସ୍ଥାପନ ପାଇଁ ସାଂସଦଙ୍କୁ ଚିଠି ଲେଖିଲେ ପୂର୍ବ ବିଧାୟକ first appeared on Sambad.

from ଜିଲ୍ଲା | Sambad https://ift.tt/3mvDj75