କଟକ : ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ବିରୋଧରେ ୱେବ୍ ଚାନେଲ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ ସଂପର୍କିତ ମାମଲାରେ ସତ୍ୟପାଠ ଦାଖଲ ପାଇଁ ଭୁବନେଶ୍ବର ଡିସିପିଙ୍କୁ ହାଇକୋର୍ଟ ମହଲତ ପ୍ରଦାନ କରିଛନ୍ତି। ଶୁକ୍ରବାର ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ଖଣ୍ଡପୀଠ ଏଥି ପାଇଁ ଅନୁମତି ଦେବା ସହିତ ଅକ୍ଟୋବର ୨୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଦୂତି ଚାନ୍ଦଙ୍କ ବିରୋଧରେ ୱେବ୍ ଚାନେଲ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ ପ୍ରସଙ୍ଗରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ୱେବ ଚାନେଲ ନିର୍ଦ୍ଦେଶକ ସୁଧାଂଶୁ ଶେଖର ରାଉତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀ ରାଉତଙ୍କ ଅଭିଯୋଗ ଉପରେ ଆଇନ ଅନୁସାରେ ଡିସିପି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଅଗଷ୍ଟ ୧୧ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଡିସିପି ଏହି ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ ବୋଲି ଅଭିଯୋଗ ହୋଇଥିଲା। ଅପରପକ୍ଷରେ ଦୂତିଙ୍କ ଅଭିଯୋଗ ଆଧାରରେ ଶ୍ରୀ ରାଉତଙ୍କୁ ସେପ୍ଟେମ୍ବର ୩ରେ ପୁଲିସ ଗିରଫ କରିଥିଲା। ହାଇକୋର୍ଟଙ୍କ ଅଗଷ୍ଟ ୧୧ର ନିର୍ଦ୍ଦେଶ ପାଳନ କରାଯାଇ ନଥିବା ଦର୍ଶାଇ ଶ୍ରୀ ରାଉତଙ୍କ ପତ୍ନୀ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କ ମାଧ୍ୟମରେ ହାଇକୋର୍ଟରେ ଏହି ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି।

The post ଦୂତିଙ୍କ ବିରୋଧରେ ଗଣମାଧ୍ୟମ ପ୍ରତିନିଧିଙ୍କ ଅଭିଯୋଗ: ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ଦେଲେ ମହଲତ first appeared on Sambad.

from ଜିଲ୍ଲା | Sambad https://ift.tt/3aqGNSA