ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଗ୍ରାମାଞ୍ଚଳର ସର୍ବାଧିକ ଜନସଂଖ୍ୟା ଖୋର୍ଦ୍ଧା ଉପଖଣ୍ତରେ ବସବାସ କରନ୍ତି। ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ ଖୋର୍ଦ୍ଧାର ଗ୍ରାମାଞ୍ଚଳର ଅନେକ ସ୍ଥାନକୁ ପକ୍କା ସଡ଼କ ହୋଇପାରିନାହିଁ। ଯେଉଁ ସ୍ଥାନକୁ ସଡ଼କ ହୋଇଛି ତା’ର ନିୟମିତ ରକ୍ଷଣାବେକ୍ଷଣ, ମରାମତି ହେଉନାହିଁ କିମ୍ବା ଅନୁଦିତ ସଡ଼କ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରୁନାହିଁ।

ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ, ୨୦୧୯–୨୦୨୦ ଆର୍ଥିକ ବର୍ଷ ସୁଦ୍ଧା ଜିଲ୍ଲାରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ୩୧୩.୨୦୫ କିମି, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ୧୪୭୧.୮୧ କିମି ପଞ୍ଚାୟତ ସଡ଼କ, ୨୪୨୪ କିମି ପଞ୍ଚାୟତ ସମିତି ସଡ଼କ ରହିଛି ଓ ୧୨୮ କିମି ସଡ଼କ ବନ ବିଭାଗ ଅଧୀନରେ ରହିଛି। ଏହା ମଧ୍ୟରୁ ବେଗୁନିଆରେ ସର୍ବାଧିକ ୬୮୫ କିମି ଗ୍ରାମାଞ୍ଚଳ ଓ ପଞ୍ଚାୟତ ସଡ଼କ ରହିଥିବା ବେଳେ ବାଣପୁର ଓ ଟାଙ୍ଗୀରେ ସର୍ବନିମ୍ନ ଯଥାକ୍ରମେ ୩୨୭ ଓ ୨୭୦ କିମି ସଡ଼କ ରହିଛି। ଜିଲ୍ଲାର ମୋଟ ଗ୍ରାମ ସଂଖ୍ୟା ୧୫୦୬ ହୋଇଥିବା ବେଳେ ଏହି ସବୁ ଗ୍ରାମ ପାଇଁ ମୋଟ୍‌ ୪୩୩୬ କିମି ଦୀର୍ଘ ସଡ଼କ ରହିଛି। ଗ୍ରାମ ଓ ସଡକର ଅନୁପାତିକ ହାର ଆକଳନ କଲେ, ପ୍ରତି ଗାଁ ପିଛା ସଡ଼କ ପରିମାଣ ୨.୮୭୯ କିମି ଅଟେ। ଜାତୀୟ ସ୍ତରରେ ଏହା ୫.୭ କିମି ରହିଛି। ଗ୍ରାମାଞ୍ଚଳରେ ସଡ଼କ ପରିବହନ ଓ ଯୋଗାଯୋଗର ଏଭଳି ଦୁଃସ୍ଥିତି ବିଭାଗୀୟ ଅବ୍ୟବସ୍ଥା ଓ ଦୁର୍ନୀତି ଆଡ଼କୁ ସ୍ପଷ୍ଟ ନିର୍ଦ୍ଦେଶ କରୁଛି।

Daily Excelsior

ପ୍ରମାଣ ସ୍ବରୂପ, ସେପ୍ଟମ୍ବର ୨୯ ତାରିଖରେ ଜିଲ୍ଲା ରୁରାଲ୍ ୱାର୍କସ୍‌ ବିଭାଗ ପକ୍ଷରୁ ଜିଲ୍ଲାରେ ଏମ୍ଏମ୍ଏସ୍‌ୱାଇ (ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା) ଓ ନାବାର୍ଡ ଅନୁଦିତ ସଡ଼କ ନିର୍ମାଣର ସ୍ଥିତି ନେଇ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ରିପୋର୍ଟର ତଥ୍ୟ ଅନୁସାରେ, ୨୦୧୬–୧୭ରୁ ୨୦୧୮–୧୯ ମଧ୍ୟରେ ୯ଟି ସଡ଼କ ପାଇଁ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁଦାନ ମିଳିଥିଲା। ଏହା ମଧ୍ୟରୁ ବାଣପୁର ହଳନ୍ଦାଠାରୁ ବେରୁହାଁବାଡ଼ି ରାସ୍ତା, ଦୁଲାରିଠାରୁ ଏକଡାଲିଆ, ଜାତୀୟ ରାଜପଥ–୫ର ନୂଆଗଡ଼ଠାରୁ ଡାଇକ ଛକ ସଡ଼କର ଅନୁଦିତ ପ୍ରମାଣପତ୍ର କାର୍ଯ୍ୟାଳୟ ନିକଟରେ ନାହିଁ। ଏଣୁ ଏହି ସଡ଼କର ନିର୍ମାଣ କାର୍ଯ୍ୟ ଏଯାଏ ଶେଷ ହୋଇପାରୁନାହିଁ। ସେହିଭଳି ଦଣ୍ତଗାଡ଼ିଆଠାରୁ ଖୁଣ୍ଟାପଲ୍ଲୀ, ବାଣପୁର ମୁଖ୍ୟ କେନାଲ୍‌ଠାରୁ ଅନ୍ତରାକିଆରି କୋଷରଡ଼ା, ଭେଟେଶ୍ବରଠାରୁ ପେଣ୍ତୁରାପଲ୍ଲୀ, ସାଳିଆ କେନାଲ୍‌ ପୋଲଠାରୁ ତୁମୁରାପୁଟ ସାହସପୁର ରାସ୍ତା ୨୦୧୬–୧୭ରୁ ଆରମ୍ଭ ହୋଇଥିଲା, ଏହା ମଧ୍ୟରେ ୫ ବର୍ଷ ବିତିଯିବାକୁ ବସିଛି, କିନ୍ତୁ ସଡ଼କ ନିର୍ମାଣ ହୋଇପାରିନାହିଁ।

ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଚିଲିକା, ବାଣପୁର ଓ ବାଲୁଗାଁ, ଟାଙ୍ଗୀର କେତେକ ଅଞ୍ଚଳରେ ମେଟାଲ୍, ବାଲି ଆଦି ପରିବହନର ସମସ୍ୟା ଯୋଗୁ ସଡ଼କ ନିର୍ମାଣ କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରୁନାହିଁ। ସେହିଭଳି ପରିବହନ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଠିକାଦାର ମଧ୍ୟ କାମ କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଗତ ଦୁଇ ବର୍ଷ ଧରି ନିର୍ବାଚନ, ଫନି ବାତ୍ୟା ଓ କରୋନା ହେତୁ କାମ ଶେଷ ହେବାରେ ବିଳମ୍ବ ଘଟିଥିଲା। ତେବେ ବର୍ତ୍ତମାନ ଭୁବନେଶ୍ବର ଡିଭିଜନ ଅଧୀନରେ ୧୭ଟି କାମ ଚାଲୁଛି ଓ ସବ୍‌ଡିଭିଜନ–୧ ଅଧୀନରେ ୭ଟି ସଡ଼କ କାମ ଶେଷ ହୋଇଛି।

The post ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ: ଆସୁଛି ଅନୁଦାନ, ହେଉନି ଖର୍ଚ୍ଚ first appeared on Sambad.

from ଜିଲ୍ଲା | Sambad https://ift.tt/3lO8fAx