ଖୋର୍ଦ୍ଧା: ଓଡ଼ିଶା ଗୋଟିଏ ଦୃଷ୍ଟିରୁ ଅତ୍ୟନ୍ତ ସମୃଦ୍ଧିଶାଳୀ। ଓଡ଼ିଶାରେ ସାମ୍ପ୍ରଦାୟିକ ବିଦ୍ୱେଷ ନାହିଁ। ଏଥିପାଇଁ ଆମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କୃତଜ୍ଞ। ଭକ୍ତ ସାଲବେଗ, ଦାସିଆ ବାଉରି, ବନ୍ଧୁ ମହାନ୍ତି ସମସ୍ତେ ତାଙ୍କ ଭକ୍ତ। ଓଡ଼ିଶାରେ ସାମ୍ପ୍ରଦାୟିକ ବିଭେଦ ଓ ଗଣ୍ଡଗୋଳ ପ୍ରାୟତଃ ନାହିଁ। ଯିଏ କରିବାକୁ ଚେଷ୍ଟା କରିଛି ସେ ସଫଳ ହୋଇନାହିଁ କି ହୋଇପାରିବ ନାହିଁ ବୋଲି ଅଂଯୁମନ୍ ଇ-ଇସଲାମିଆର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।

୬୦ ଦଶକରେ ରାଉରକେଲାରେ ସେ ପଢ଼ୁଥିବା ସମୟର ସାମ୍ପ୍ରଦାୟିକ ଦଙ୍ଗା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ସେ କହିଥିଲେ ଯେ ତାଙ୍କ ମାଆ ଜଣେ ରକ୍ଷଣଶୀଳ ହିନ୍ଦୁ ଗୃହିଣୀ ଥିଲେ। କିନ୍ତୁ ଦଙ୍ଗା ସମୟରେ ତାଙ୍କ ପଡ଼ୋଶୀ ଓ ସେ ସମୟରେ ପୁଲିସ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସିକନ୍ଦର ଆଲାମଙ୍କ ଭାଇଙ୍କ ପତ୍ନୀଙ୍କୁ ନିଜ ଶୋଇବା ପ୍ରକୋଷ୍ଠରେ ଲୁଚାଇ ରଖିଥିଲେ ତାହା କହି ସେ ଭାବବିହ୍ୱଳ ହୋଇଯାଇଥିଲେ। ପ୍ରତ୍ୟେକ ଗୃହିଣୀ ଯଦି ଏଭଳି ହିନ୍ଦୁ ଧର୍ମର ମୌଳିକତାକୁ ସୁରକ୍ଷା ଦିଅନ୍ତି ତେବେ ଦେଶରେ ସର୍ବଦା ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଖୋର୍ଦ୍ଧା ଉପକଣ୍ଠ ତୋଟାପଡ଼ା ଠାରେ ଅଂଯୁମନ ଇ-ଇସଲାମିଆର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବଡ଼ଚଣାର ପୂର୍ବ ବିଧାୟକ ତଥା ପୂର୍ବ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ଜଟଣୀ ବିଧାୟକ ସୁରେଶ କୁମାର ମହାପାତ୍ର, ସମାଜସେବୀ ସଂଜୟ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅଂଯୁମନର ସଭାପତି ରମଜାନ ଖାନ୍‌ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ। ହାଜି ନସିମୁଦ୍ଦୀନ ଖାନ୍‌ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଜିଲ୍ଲାରେ ଓ ରାଜ୍ୟରେ ବିଭିନ୍ନ ସମୟରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ସମୟରେ କିଭଳି ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଛି, ମୁସଲମାନ ଝିଅଙ୍କ ଶିକ୍ଷାରେ ବିକାଶ ଆଦି କାମ କରିଛି ସେନେଇ ସୂଚନା ଦେଇଥିଲେ।

Sambad

ଏହି ଅବସରରେ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ହୋଇଥିବା ବିଶେଷ ବ୍ୟକ୍ତିମାନେ ହେଲେ- ଡଃ. ମହମ୍ମଦ ଫୟାଜୁଲ ହୋସେନ୍, ଡଃ. ଫହିମୁଲ ଇସଲାମ ଖାଁ, ଡଃ. ଖୁର୍ସିଦ ଆଲମ ଖାନ୍‌, ମୋଇନ୍ ଉଦ୍ଦୀନ୍ ଅଲ୍ଲୀ ସା, କବି ବସୀରିନ୍ ବିବି, ସେକ୍ ଏଜାଜ୍ ଇକବାଲ୍, ଅବଦସ ସମଦ ଖାନ୍‌, ସେ୍ ମାଲିକ, କାଦର ଖାନ୍‌, ମୋହସିନ ଖାନ୍‌, ଅବିବ ଖାନ୍‌, ସାନା କଳାପାହାଡ଼, ହାଜି ଦୟାନ ଖାନ୍‌, ମହମ୍ମଦ ମୋଇନ ଉଦ୍ଦୀନ, ହାଜି ସେକ୍ ସମଶେର ଅଲ୍ଲୀ, ସତ୍ୟବାଦୀ ବଳିଆରସିଂହ, ଭୀମସେନ ପ୍ରଧାନ, ଗୋପାଳକୃଷ୍ଣ ଦାସ, ମୃତ୍ୟୁଂଜୟ ଛୋଟରାୟ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଉମେଶ ଚନ୍ଦ୍ର ପାତାଳସିଂହ, ସୁବ୍ରତ ସାହୁ ଓ ଭୁବନେଶ୍ୱର ହସ୍ କ୍ଲବର କର୍ମକର୍ତା। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୌଲାନା ଆବାତ ଖାନ୍‌ କୋରାନ ପାଠ କରିଥିଲେ। ଜିଲ୍ଲାର ୧୫୬ଟି ଗାଁର ଅଂଯୁମନର ପ୍ରତିନିଧି ଯୋଗ ଦେଇଥିଲେ। କାର୍ଯକ୍ରମକୁ ମହମ୍ମଦ କେଫାତୁଲ୍ଲା, ସାହାଜାହାନ ଖାନ୍‌, ଫହିମୁଲ ଇସଲାମ, ବିକ୍ରମ ସାହୁ, ଘୋରି ବାବୁ ପ୍ରମୁଖ ପରିଚାଳନା କରିଥିଲେ।

The post ସାମ୍ପ୍ରଦାୟିକ ସଦ୍ଭାବ ଦୃଷ୍ଟିରୁ ଓଡ଼ିଶା ଧନୀ: ସୌମ୍ୟରଂଜନ ପଟ୍ଟନାୟକ first appeared on Sambad.

from ଜିଲ୍ଲା | Sambad https://ift.tt/3m7v5TO