ଜୟପୁର: ଗତ ୨ବର୍ଷ ହେବ କରୋନା ପାଇଁ ହାତ ବାନ୍ଧି ବସିଛନ୍ତି ଗାୟକ ଓ ସଂଗୀତ ବାଦକ। ସଂଗୀତକୁ ପେଶା କରି ବଂଚୁଥିବା ଏହି କଳାକାର ମାନଙ୍କ ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା କହିଛନ୍ତି ସଂଗୀତ ବାଦକ ଓ ଗାୟକ। ବିଭିନ୍ନ ପୂଜା ଓ ପାର୍ବଣରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ହେଉଥିବା ଓର୍କେଷ୍ଟ୍ରାରେ ଏହି ଗାୟକ ଓ ବାଦ୍ୟଯନ୍ତ୍ର ଶିଳ୍ପୀ ମାନେ ଭାଗ ନେଇ ଲୋକଙ୍କୁ ମନୋରଂଜନ ଯୋଗାଇ ଆସୁଥିଲେ। ତେବେ ସରକାରୀ କଟକଣା ପରେ ଗତ ୨ବର୍ଷ ହେବ ସମ୍ପୁର୍ଣ୍ଣ ରୁପେ ଓର୍କେଷ୍ଟ୍ରାକୁ ସରକାର ବନ୍ଦ କରାଇ ଦେବା ସହ ଜୟପୁର ସହରରେ ଥିବା ଶତାଧୀକ ଗାୟକ ଓ ବାଦ୍ୟଯନ୍ତ୍ର ବାଦକଙ୍କୁ ହାତ ବାନ୍ଧି ବସିବାକୁ ବାଧ୍ୟ କରିଛନ୍ତି। ପ୍ରତିବର୍ଷ ଦଶହରା ମହୋତ୍ସବ ଆସିଲେ ୯ଦିନ ଧରି ବିଭିନ୍ନ ସହରରେ ଓର୍କେଷ୍ଟ୍ରା ପରିବେଷଣ କରିଥାନ୍ତି ଏହି କଳାକାର। ଏଥିରୁ ଯାହା କିଛି ଆୟ ହୁଏ ଏଥିରେ କିଛି ମାସ ପରିବାର ଚଳାଇଥାନ୍ତି।

ଏଥରକ ଦଶହରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯିବା ପରେ ପେଶା କରି ବଂଚୁଥିବା ଗାୟକ, ବାଦ୍ୟଯନ୍ତ୍ରଶିଳ୍ପୀ, ଲାଇଟ୍ ଏବଂ ସାଉଣ୍ଡର ମାଲିକ ମାନେ ଚିନ୍ତାରେ ପଡ଼ିଛନ୍ତି ବୋଲି କହିଛନ୍ତି ବାଦ୍ୟଯନ୍ତ୍ରଶିଳ୍ପୀ ତରୁଣ ପାଣି, କେ.ସନ୍ତୋଷ ରାଓ। ସରକାର ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇଥିଲେ ହେଁ କଳାକାରଙ୍କୁ କିଛି ସହଯୋଗ ମିଳିନି ବରଂ ଅଣଦେଖା କରାଯାଇଛି ବୋଲି ଏମାନେ ଅଭିଯୋଗ କରିଛନ୍ତି। ଫିଲ୍ମହଲ୍, ମନ୍ଦିର, ବଜାର ସବୁ ଖୋଲା। ପୂର୍ବଭଳି ସ୍ଥିତି ଥିଲେ ହେଁ କଳାକୁ ନେଇ ବଂଚୁଥିବା କଳାକାରଙ୍କ କଥା କେହି ଚିନ୍ତା କରୁନାହାନ୍ତି ବୋଲି ଏମାନେ କହିଛନ୍ତି। ଯାହା କିଛି ସଂଚିତ ରଖିଥିଲେ ତାହା ସବୁ ସରିଗଲାଣି। ବର୍ତ୍ତମାନ ଆର୍ଥିକ ସ୍ଥିତି ବହୁତ ଖରାପ ହୋଇ ପଡ଼ିଛି ବୋଲି ଏହି କଳାକାର ମାନେ କହିଛନ୍ତି।

The post ୨ବର୍ଷ ହେବ ହାତ ବାନ୍ଧି ବସିଛନ୍ତି ଗାୟକ ଓ ବାଦ୍ୟ ଯନ୍ତ୍ରଶିଳ୍ପୀ, ଜୀବନ ଦୁର୍ବିସହ first appeared on Sambad.

from ଜିଲ୍ଲା | Sambad https://ift.tt/3Fw42Jk