ଜୟପୁର: ପଙ୍କ, ମଇଳା ଓ ଲତାବୁଦାରେ ପୋତି ହୋଇ ପଡ଼ିଥିବା ଜଗନ୍ନାଥସାଗରକୁ ପୁନଃଉଦ୍ଧାର କରିବା ପାଇଁ ଜାତୀୟ ଗ୍ରୀନଟ୍ରିବ୍ୟୁନାଲ ବର୍ଷକ ତଳେ ଜିଲ୍ଲାପ୍ରଶାସନକୁ ନିର୍ଦେଶ ଦେଇଥିଲେ। ତେବେ ତାହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ଦିନକୁ ଦିନ ଏହା ଅଧିକା ପୋତି ହେବା ସହ ସବୁ ପାଣି ସବୁଜ ହେଲାଣି। କୋର୍ଟ ନିର୍ଦେଶକୁ ଜିଲ୍ଲାପ୍ରଶାସନ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରି ପୁଣି ଆଉ ଥରେ ଜାତୀୟ ଗ୍ରୀନଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇ ଅବମାନନା ମାମଲା ଦାୟର କରିଥିଲେ ସମାଜସେବୀ ବସନ୍ତ ପାତ୍ର। ଏହାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଡିସେମ୍ବର ୭ତାରିଖ ଦିନ ଟ୍ରିବ୍ୟୁନାଲ୍ ଧାର୍ଯ୍ୟ କରିଛି।

ଜିଲ୍ଲାପ୍ରଶାସନ ଏଥିରେ ଉପସ୍ଥିତ ରହୁ ନଥିବାରୁ ଟ୍ରିବ୍ୟୁନାଲ୍ ଏକ ପାଖିଆ ଶୁଣାଣୀ କରିବା ସମ୍ଭାବନା ରହିଥିବା ସୂଚନା ମିଳିଛି। ପଙ୍କ, ପଲିଥୀନ ଓ ନାଳ ମାଟିରେ ପୋତି ହେବା ଫଳରେ ଦିନକୁ ଦିନ ଜଗନ୍ନାଥ ସାଗର ସଂକୁଚିତ ହୋଇ ପଡ଼ିବାରେ ଲାଗିଛି। ଏହାର ପୁନଃରୁଦ୍ଧାର ପାଇଁ ସେ ଜଳସେଚନ ବିଭାଗ ଓ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଏହାରି ମଧ୍ୟରେ ହାଲ ଓ ନାଲାକେ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରେ ଏହାର ବିକାଶ ପାଇଁ ୬କୋଟି ଅନୁଦାନ ଦେଇସାରିଛନ୍ତି ବୋଲି କହିଛନ୍ତି ଶ୍ରୀ ପାତ୍ର।

ଜିଲ୍ଲାପ୍ରଶାସନ ଓ ରାଜନୈତିକ ନେତାଙ୍କ ଇଛାଶକ୍ତି ଅଭାବ ଯୋଗୁଁ ଏହାର ଉଦ୍ଧାର ହୋଇ ପାରୁନି ବୋଲି ଶ୍ରୀପାତ୍ର କହିଛନ୍ତି। ସେ ଏହାରି ମଧ୍ୟରେ ଚିଲିକା ଉନ୍ନୟନ କମିଟି ଓ ରାଜ୍ୟ ଜଳସେଚନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଏ ନେଇ ଆଲୋଚନା କରିଥିଲେ। ତେବେ ଜିଲ୍ଲାପ୍ରଶାସନ ଥରକ ଚିଠି ଦେଇ ପରବର୍ତ୍ତୀ ସମୟରେ ଆଉ ଯୋଗାଯୋଗ ରଖି ନଥିବା ଉପରୋକ୍ତ ୨ବିଭାଗର ଅଧିକାରୀ ମାନେ ଶ୍ରୀ ପାତ୍ରଙ୍କୁ ଅବଗତ କରିତିବା ସୂଚନା ଦେଇଛନ୍ତି। ଗତ କିଛିଦିନ ମଧ୍ୟରେ ପୌରପାଳିକା ପକ୍ଷରୁ ସାଗର ପାର୍ଶ୍ବରେ ପାର୍କ, ଲୋକେ ଚାଲିଚାଲି ବୁଲିବା ପାଇଁ ପାଥୱେ କରିଛନ୍ତି ସତ ତେବେ ରାଜରାଜୁଡ଼ା ଅମଳର ଜଗନ୍ନାଥ ସାଗର କିଭଳି ପୁନଃଜୀବିତ ହେବ ସେ ଦିଗରେ କାହାରି ନିଘା ନାହିଁ ବୋଲି ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଅନୁପ ପାତ୍ର, ବରିଷ୍ଠ ଆଇନଜୀବି ରବିନ୍ଦ୍ର ପାତ୍ର।

The post ଜଗନ୍ନାଥ ସାଗର ପୁନଃଉଦ୍ଧାର ପ୍ରସଙ୍ଗ: ବର୍ଷକ ପରେ ବି ଗ୍ରୀନଟ୍ରିବ୍ୟୁନାଲ ନିର୍ଦେଶ କାର୍ଯ୍ୟକାରୀ ହେଲାନି first appeared on Sambad.

from ଜିଲ୍ଲା | Sambad https://ift.tt/3FwL1q9