ଚଣ୍ଡିଖୋଲ : ବହୁଚର୍ଚ୍ଚିତ ଓଳାଶୁଣୀ ପାହାଡ଼ରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ବାଲିଚନ୍ଦ୍ରପୁର ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ଗୋଟିଏ ବାଇକ, ୩ ଟି ମୋବାଇଲ ଫୋନ, ଗୋଟିଏ ବନ୍ଧୁକ, ୪ଟି ମାଗାଜିନ ଓ ୧୨ ଟି ଅଫୁଟା ଗୁଳି ଜବତ କରାଯାଇଛି। ବାଲିଚନ୍ଦ୍ରପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ୍‌ ଏସଡିପିଓ ଚିନ୍ମୟ କୁମାର ନାୟକ ଏହି ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଚାଟ୍ରା ଚକଡ଼ା ଗ୍ରାମର ଚିତ୍ତ ରଞ୍ଜନ ମଲ୍ଲିକ ଓରଫ ବଳିଆ (୪୧), ମାନସ ରଞ୍ଜନ ବେହେରା ଓରଫ ଚିକୁ (୩୨), ଜିତେନ୍ଦ୍ର ଜେନା ଓରଫ ଜିତୁ (୩୨) ଓ ଅନ୍ୟଜଣେ ସହଯୋଗୀ କଟକ ଜିଲ୍ଲା ମାହାଙ୍ଗା ଥାନା ହରିଭକ୍ତପୁର ଗ୍ରାମର ବେଣୁଧର ମଲ୍ଲିକ ଓରଫ ବଣୁଆ (୩୨)। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ସୂଚନା ମୁତାବକ ଗତ ୩ ତାରିଖ ଦିନ ଅଭିଯୁକ୍ତମାନେ ଏକ କାର ଓ ଗୋଟିଏ ବାଇକ ଯୋଗେ ଓଳାଶୁଣୀ ପାହଡ଼ରେ ପହଞ୍ଚିଥିଲେ। ପାହାଡ଼ ତଳେ ଜଣେ ମାଛ ବ୍ୟବସାୟୀ ମାଛ ଶୁଖାଇଥିଲେ। ଅଭିଯୁକ୍ତମାନଙ୍କ ଗାଡ଼ି ସେହି ମାଛ ଉପରେ ଚଢ଼ି ଯାଇଥିଲା। ମାଛ ବ୍ୟବସାୟୀ ପ୍ରତିବାଦ କରିବାରୁ ଯୁକ୍ତିତର୍କ ହୋଇଥିଲା। ମାଛ ବ୍ୟବସାୟୀ ବନ୍ଦରେଶ୍ଵର ଗ୍ରାମର ସିଦ୍ଧାନ୍ତ ସାମଲ ଓରଫ ବୁବୁନଙ୍କ ଉପରକୁ ଅଭିଯୁକ୍ତ ବଳିଆ ଗୁଳିମାଡ଼ କରିଥିଲା। ଏଥିରେ ବୁବୁନ ଗୁରୁତର ହୋଇଥିଲେ। ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ଏହି ଘଟଣାରେ ଆହୁରି କେତେଜଣ ଅଭିଯୁକ୍ତ ସାମିଲ ଥିବା ପୁଲିସ କହିଛି। ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

The post ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ୪ ଗିରଫ; ବନ୍ଧୁକ, ଗୁଳି ସହ ବାଇକ୍‌ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/2Z5r9tQ