ବାରିପଦା: ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ନେଇ ଆସିଛି ଏକାଧିକ ଆପତ୍ତି ଅଭିଯୋଗ। ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ପଦବୀ ସଂରକ୍ଷଣକୁ ନେଇ ଜିଲ୍ଲାରୁ ମୋଟ ୨୯୮ଟି ଆପତ୍ତି ଅଭିଯୋଗ ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଥିବା ଜଣାପଡ଼ିଛି। ଆଜି ସଂରକ୍ଷଣ ନେଇ ଥିବା ଅଭିଯୋଗ ଶୁଣାଣୀର ଅନ୍ତିମ ଦିନ ଥିଲା। ୱାର୍ଡ ସଭ୍ୟ ପଦ ସଂରକ୍ଷଣ ନେଇ ସର୍ବାଧିକ ୧୭୪ଟି ଅଭିଯୋଗ ହୋଇଛି। ସେହିପରି ସରପଞ୍ଚ ପଦକୁ ନେଇ ୨୬ଟି ଅଭିଯୋଗ ଆସିଛି। ବଡ଼ସାହି, କପ୍ତିପଦା, ଉଦଳା, ବେତନଟୀ, ରାସଗୋବିନ୍ଦପୁର ପ୍ରମୁଖ ବ୍ଲକ୍ରୁ ଜିଲ୍ଲାପରିଷଦ ଜୋନ୍ ସଂରକ୍ଷଣକୁ ନେଇ ୧୮ଟି ଅଭିଯୋଗ ହୋଇଛି।

ସମିତି ସଭ୍ୟ ପଦକୁ ନେଇ ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ୮୦ଟି ଅଭିଯୋଗ ପ୍ରାପ୍ତ ହୋଇଥିବା ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ତେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ପଦବୀକୁ ନେଇ କୌଣସି ଅଭିଯୋଗ ହୋଇନାହିଁ। ସେହିପରି ଜିଲ୍ଲାରେ ସକ୍ରିୟ ଥିବା ରାଜନୈତିକ ଦଳଗୁଡ଼ିକ ମଧ୍ୟରୁ କେବଳ ବିଜେପି ହିଁ ସଂରକ୍ଷଣ ପ୍ରକ୍ରିୟା ଏବଂ ବ୍ୟବସ୍ଥାକୁ ନେଇ ଅଭିଯୋଗ ଆଣିଛି। ବିଜେପି ପୂର୍ବଭାଗ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍ ଏନେଇ ଅଭିଯୋଗ କରିଛନ୍ତି। ତେବେ ଅଧିକାଂଶ ଅଭିଯୋଗ ଆସନ ସଂରକ୍ଷଣ ଏବଂ ମହିଳା ପୁରୁଷ ଅଦଳବଦଳକୁ ନେଇ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ କୁସୁମୀ ଏବଂ ସାରସକଣା ବ୍ଲକ୍ରେ ଦୁଇଟି ପଞ୍ଚାୟତରେ ସରପଞ୍ଚ ସଂରକ୍ଷଣ ତାଲିକା ବଦଳିବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟଯେ ଜିଲ୍ଲାରେ ୫୬ ଜିଲ୍ଲାପରିଷଦ ଆସନ, ୪୦୪ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୫୩୮୩ ୱାର୍ଡରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଜିଲ୍ଲାରେ ସମସ୍ତ ସରପଞ୍ଚ ପଦ ଅନୁସୂଚୀତ ଜନଜାତି ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିଛି। ମହିଳାମାନଙ୍କୁ ସମାନ ୫୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଛି। ସେହିପରି ଜିଲ୍ଲାପରିଷଦ ଆସନରେ ଓବିସି ମାନଙ୍କୁ ମଧ୍ୟ ଆସନ ପ୍ରଦାନ କରାଯାଇଛି। ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବାକୁ ପୋଲିଂ ବୁଥ୍ ତାଲିକା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

The post ପଞ୍ଚାୟତ ନିର୍ବାଚନ ସଂରକ୍ଷଣ: ଜିଲ୍ଲାରୁ ଆସିଲା ୨୯୮ଟି ଆପତ୍ତି ଅଭିଯୋଗ first appeared on Sambad.

from ଜିଲ୍ଲା | Sambad https://ift.tt/3mYBD6c