
ଓଡ଼ଗାଁ : ଅସରାଏ ବର୍ଷାରେ ଗାଁ ଦାଣ୍ତ ବେହାଲ। ଡ୍ରେନେଜ୍ ନଥିବାରୁ ଦୂଷିତ ପାଣି ନିଷ୍କାସନ ହେଉନାହିଁ, ଫଳରେ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଏହି ଘଟଣା ଦିନକର ନୁହଁ, ପ୍ରତିଦିନ ଲୋକମାନେ ଛିଛାକର ହୋଇ ସେହି ଆବର୍ଜନା ପାଣି ଦେଇ ଯିବାଆସିବା କରୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆଖିବୁଜି ଦେଇଛି।
ସୂଚନା ଥାଉକି, ଭାଡ଼ିକିଳା ପଞ୍ଚାୟତ ଭାଡ଼ିକିଳା ଗ୍ରାମର ନୂଆସାହିରେ ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି। ପାଣି ନିଷ୍କାସନ ହେବାର ବାଟ ନଥିବାରୁ ରାସ୍ତା ଉପରେ ଆବର୍ଜନା ପାଣି ଜମି ରହି ସେଥିରୁ ଦୁର୍ଗନ୍ଧ ବାହାରୁଛି। ଲୋକମାନେ ସେହି ପାଣି ଦେଇ ପ୍ରତିଦିନ ଯିବାଆସିବା କରୁଛନ୍ତି। ଏପଟେ ପରିବାର ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଏଭଳି ପ୍ରତିଦିନ ଲୋକମାନେ ସେହି ଦୂଷିତ ପାଣି ଦେଇ ଯାତାୟାତ କରୁଥିଲେ ବି ଜାଣି ଅଜଣା ରହିଛି ପ୍ରଶାସନ। ଏହି ରାସ୍ତା ବାଉଁଶଗାଡ଼ିଆଠାରୁ ବାହାରି ଭାଡ଼ିକିଳା ଦେଇ ନନ୍ଦିଘୋର ଯିବାକୁ ରହିଛି। ପ୍ରତିଦିନ ଶହ ଶହ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରୁଥିଲେ ବି ସତେ ଯେମିତି ଏହି ରାସ୍ତା ଉପରେ କାହାରି ଟିକେ ବି ଦୃଷ୍ଟି ନାହିଁ।
ଭାଡ଼ିକିଳା ଗ୍ରାମରେ ପଞ୍ଚାୟତ କାର୍ଯ୍ୟାଳୟ ଥିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ଡ୍ରେନେଜ୍ ସୁବିଧା ହୋଇନାହିଁ। ଫଳରେ ଗ୍ରାମବାସୀଙ୍କ ମନରେ ଘୋର ଅସନ୍ତୋଷ ଦେଖାଦେଇଛି। ଲୋକଙ୍କୁ ମୌଳିକ ସୁବିଧା ଦେବାକୁ ସରକାର ଯୋଜନା କାର୍ଯ୍ୟକାରୀ କରୁଥିଲେ ବି ତାହା ଏଠାରେ ଏକ ପ୍ରହସନରେ ପରିଣତ ହୋଇଛି। ଲୋକମାନେ ସରକାରୀ ସୁବିଧା ସୁଯୋଗ ନ ପାଇ ଅଣନିଶ୍ବାସୀ ହୋଇଛନ୍ତି। ଏଥି ପ୍ରତି ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
The post ଡ୍ରେନେଜ୍ ନାହିଁ, ନିଷ୍କାସିତ ହେଉନି ପାଣି: ଅସରାଏ ବର୍ଷା ହେଲେ ଗାଁ ଦାଣ୍ତରେ ଲହଡ଼ି ମାରୁଛି ପାଣି first appeared on Sambad.from ଜିଲ୍ଲା | Sambad https://ift.tt/3veVF00
0 Comments