
ଜଗତସିଂହପୁର: ଚାଳ ଘରେ ବିଦ୍ୟୁତ୍ ମରାମତି କରୁଥିବା ବଡ଼ଧରଣର ଅଘଟଣ ଘଟିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀଙ୍କ ସମେତ ଝିଅର ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତୋ ଗାଁରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକମାନେ ହେଲେ ପିଣ୍ଟୁ ସ୍ୱାଇଁ (୩୨), କାମିନିବାଳା ସ୍ୱାଇଁ (୨୬) ଓ ପାପାଲି ସ୍ୱାଇଁ (୮)।
ମିଳିଥିବା ସୂଚନା ଅନୁସାରେ ଚାଳ ଘରେ ବିଦ୍ୟୁତ ସଂଯୋଗ ଖରାପ ଥିଲା। ପିଣ୍ଟୁ ଏହାକୁ ସଜାଡୁ ଥିବା ବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ତାଙ୍କ ପତ୍ନୀ ଓ ଝିଅ ପାଖରେ ଥିଲେ। ପିଣ୍ଟୁ ବିଦ୍ୟୁତ୍ ଆଘାତରେ ଛଟପଟ ହେଉଥିବା ବେଳେ କାମିନି ଓ ପାପାଲିଙ୍କ ମୁଣ୍ଡକୁ କୌଣସି ବୁଦ୍ଧି ଜୁଟି ନଥିଲା। ଉଭୟ ମା’ ଓ ଝିଅ ବ୍ୟସ୍ତ ହୋଇ ପଡ଼ିଥିଲେ। ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ କାମିନୀ ମଧ୍ୟ ବିଦ୍ୟୁତ ଆଘାତ ଖାଇଥିଲେ। ବାପା-ମା’ ବିଦ୍ୟୁତ୍ ଆଘାତ ଖାଇ ଚିତ୍କାର କରୁଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲା।
ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ପଡିଶା ଘରେ ରହୁଥିବା କୁମରବର ସ୍ୱାଇଁ ତିନି ଜଣଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
The post ବିଦ୍ୟୁତ୍ ଆଘାତରେ ୩ ମୃତ: ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ଝିଅ ସହ ଜୀବନ ହାରିଲେ ମହିଳା first appeared on Sambad.from ଜିଲ୍ଲା | Sambad https://ift.tt/3oEZnPd
0 Comments