
କଟକ : ସ୍କୁଲ୍ ପରିସରରେ ଖୋଳା ଯାଇଥିବା ଗାତରେ ପଡ଼ି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ପ୍ରସଙ୍ଗରେ ଦୁଇ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହେବ ତାହା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ସେଥିପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାରି ନିୟମାବଳୀର କଡ଼ାକଡ଼ି ପାଳନ କରିବାକୁ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ୍ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଜମ୍ବେଶ୍ବର ନାୟକ ଓ ପୀତବାସ ଦାସଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୨, ସେପ୍ଟେମ୍ବର ୭ରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିହତା ପ୍ରୋଜେକ୍ଟ ୟୁପି ସ୍କୁଲ ପରିସରରରୁ ଜମ୍ବେଶ୍ବରଙ୍କ ଝିଅ ଓ ପୀତବାସଙ୍କ ଝିଅର ଶବ ଉଦ୍ଧାର କରାଯାଇଥିଲା। ଦୁଇ ଓ ଚାରି ବର୍ଷୀୟା ଶିଶୁ କନ୍ୟା ସ୍କୁଲ ପରିସରରେ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଆଉ ଘରକୁ ଫେରି ନଥିଲେ। ଖୋଜା ଖୋଜି ପରେ ସ୍କୁଲ ପରିସରରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଖୋଳା ଯାଇଥିବା ଗାତରେ ଜମି ଥିବା ପାଣିରୁ ଦୁଇ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ନିର୍ମାଣ ପାଇଁ ଖୋଳା ଯାଇଥିବା ସ୍ଥାନରେ ସାଢେ ଚାରି ଫୁଟର ଜଳସ୍ତର ଥିଲା। ଏହି ପାଣିରେ ବୁଡ଼ି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସ ମାମଲା ପରିଚାଳନା କରୁଥିଲେ।
The post ସ୍କୁଲ୍ ପରିସର ଗାତରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ମାମଲା: ଦୁଇ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ first appeared on Sambad.from ଜିଲ୍ଲା | Sambad https://ift.tt/3A3Ts8q
0 Comments