
ବଅଁରପାଳ : ପ୍ରଖ୍ୟାତ କବି ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ଏକମାତ୍ର ପୁତ୍ର ଦୀପକ ଗଡ଼ନାୟକଙ୍କର ଜୀବନ-ଦୀପ ଆଜି ଲିଭିଯାଇଛି।
ସୂଚନା ଅନୁଯାୟୀ, ଦୀପକ ଦୁଇଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଆଜି ଭୋରରେ ଚିକିତ୍ସାଧୀନ ଅବସ୍ଥାରେ ୮୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗକରିଛନ୍ତି। ତାଙ୍କ ମରଶରୀର କଲଣ୍ଡାପାଳକୁ ଆଣି ଗାଁ ପରିକ୍ରମା ପରେ ଅନ୍ତିମ ସଂସ୍କାର କରାଯାଇଛି। ଅଞ୍ଚଳର ବହୁ ଲୋକ ତାଙ୍କର ଶେଷ ଦର୍ଶନକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ତିମ ସମୟରେ ୪ ପୁଅ, ବୋହୂଙ୍କ ସମେତ ଆତ୍ମୀୟ ସ୍ବଜନମାନେ ଉପସ୍ଥିତ ଥିଲେ।
ବାପା ରାଧାମୋହନଙ୍କ ପରି ଦୀପକ ଥିଲେ ସ୍ବାଭିମାନୀ। ସେ କଳାରେ ସ୍ନାତକଧାରୀ ହୋଇଥିବାରୁ ବିଭିନ୍ନ କମ୍ପାନିରେ ତାଙ୍କୁ ଚାକିରି ମିଳିଥିଲା। କିନ୍ତୁ ଅନ୍ୟପାଖରେ ମୁଣ୍ଡ ନୁଆଁଇବାକୁ ସେ ଚାହିଲେ ନାହିଁ। ନିଜର ପୈତୃକ ଜମି ଚାଷକରିବା, ଗ୍ରାମବାସୀଙ୍କ ସହାୟତା କରିବା ଓ କବିତା ରଚନାରେ ତାଙ୍କର ସମୟ ବିତିଥିଲା। ଦୀପକ ଶହେରୁ ଅଧିକ କବିତା ରଚନା କରିଛନ୍ତି। ସେଥିରୁ ୧୬ଟି କବିତା ‘ସମାହାର, ‘କୃଷ୍ଣଚକ୍ରଗଡ଼’ ଆଦି ପତ୍ରିକାରେ ପ୍ରକାଶ ପାଇଛି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
The post ପଦ୍ମଶ୍ରୀ କବି ରାଧାମୋହନଙ୍କ ପୁତ୍ର ଦୀପକ ଆରପାରିରେ first appeared on Sambad.from ଜିଲ୍ଲା | Sambad https://ift.tt/2YalXEV
0 Comments